ଶ୍ରୀକ୍ଷେତ୍ର ପରମ୍ପରାରେ ପଟ୍ଟିଦିଅଁ ଉପାସନା
ଡ.ଅମୂଲ୍ୟ କୁମାର ପଣ୍ଡା : ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉ ମାନେ ସ୍ନାନ ବେଦୀରୁ ଅଣସରକୁ ଗଲାପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗି ହୋଇଥିବା ରାହୁ ରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିଥାନ୍ତି । ଜଗମୋହନ ଏକ ବାଉଁଶ ତାଟି ଦ୍ୱାରା ୨ ଭାଗ ରେ ବିଭକ୍ତ ହୋଇଯାଇଥାଏ ।
ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗରେ ଏକ ଖଟ ରଖା ଯାଇଥାଏ । ମହାଜନ ସେବକ ଦକ୍ଷିଣଘରୁ ସାତ ମୂର୍ତ୍ତି ଯଥା ବାଡ଼ି ନୃସିଂହ , ରାମକୃଷ୍ଣ , ଶ୍ରୀଦେବୀ , ଭୂଦେବୀ , ଦୋଳଗୋବିନ୍ଦ , ମଦନମୋହନଙ୍କୁ ଉକ୍ତ ଖଟ ଉପରକୁ ବିଜେ କରନ୍ତି । ଏହାପୂର୍ବରୁ ଚିତ୍ରକାର ଗୃହରୁ ୩ଗୋଟି ପଟ୍ଟି ଦିଅଁ ଯଥା ବାସୁଦେବ , ଭୁବନେଶ୍ୱରୀ ଏବଂ ନାରାୟଣ ଘଣ୍ଟ , ଛତ୍ର , କାହାଳୀରେ ଆସି ଜୟ ବିଜୟ ଦ୍ୱାରରେ ରଖା ଯାଇଥାନ୍ତି । ତତ୍ପରେ ତିନି ପଟ୍ଟିଦିଅଁ ତିନି ବାଡ଼ରେ ରୁନ୍ଧା ହୁଅନ୍ତି । ବଡ଼ବାଡ଼ରେ ବାସୁଦେବ ପଟ୍ଟି ସାମ୍ନାରେ ରାମ, କୃଷ୍ଣ ଓ ବାଡ଼ି ନୃସିଂହ ; ମଝି ବାଡ଼ରେ ଭୁବନେଶ୍ୱରୀ ପଟ୍ଟି ସାମ୍ନାରେ ଶ୍ରୀଦେବୀ ଏବଂ ଭୂଦେବୀ , ମହାପ୍ରଭୁଙ୍କ ବାଡ଼ରେ ନାରାୟଣ ପଟ୍ଟି ସାମ୍ନାରେ ଦୋଳଗୋବିନ୍ଦ ଏବଂ ମଦନମୋହନ ବିଜେ କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ଦିଅଁମାନଙ୍କ ପଞ୍ଚାମୃତ ସ୍ନାନ ବଢ଼ାଇଥାନ୍ତି । ଏହି ଠାକୁରଙ୍କୁ ବଲ୍ଲଭ ସର୍ପା ମଣୋହି କରାଯାଇଥାଏ , ସମସ୍ତ ୈନିକ ନୀତି ଓ ଭୋଗ ହୋଇଥାଏ । ଏହି ସମୟରେ ଅନ୍ୟଦିନ ପରି ଧୂପରେ ମଇଲମ ହୋଇନଥାଏ । ପଟି ଦିଅଁ ଏବଂ ସେଠାରେ ଥିବା ଚଳନ୍ତି ବିଗ୍ରହଙ୍କ ରାତ୍ର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସରରେ ଥିବା ଦାରୁଦିଅଁଙ୍କ ପାଖେ ଚକଟା ଭୋଗ ହୋଇଥାଏ ।
“ଦାରୁରୂପୀ ଜଗସ୍ୱାମୀ ପଟେ ବିଶ୍ରମ୍ୟ ଚ ପ୍ରଭୁଃ ।
ତିଷ୍ଠତ୍ୟତ୍ର ନ ସନେ୍ଦହଃ ନାସ୍ତି ନାସ୍ତି ନୃପୋତ୍ତମ ?
କୁର୍ଯ୍ୟାଚ୍ଚ ନ୍ନରକେ ଘୋରେ ପଚ୍ୟତେ ମୂଢଧୀର୍ନରଃ ।
ଏବଂ ପଞ୍ଚଦଶାହ୍ନେଖୁ ପଟ୍ଟବ୍ରହ୍ମାର୍ଚ୍ଚନଂ ଚରେତ୍?”
ଅଣସର ପ୍ରଥମ ଚାରିଦିନ ରେ କରାଳ କର୍ମ ହୋଇଥାଏ । ଏଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ହୋଇ କରାଳ ଚନ୍ଦନ ବାହାର କରାଯାଏ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀବିଗ୍ରହରେ ବିଭିନ୍ନ ଲେପ ସହ ପୁନଃନିର୍ମାଣ ଆରମ୍ଭ ହୁଏ । ଯାହାକୁ ଲୋକଭାଷାରେ ଉପଚାର ଆରମ୍ଭ କହନ୍ତି । ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡଓଡିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ନିଆଯିବାର ପରମ୍ପରା ରହିଛି । ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିସôା ସେବା ଯୋଗାଇ ଦିଆଯାଏ । ବଡଓଡିଆ ମଠ ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆ ଯାଇଥାଏ । ଫୁଲୁରୀ ତେଲ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ । ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ଘଡିର ଆବଶ୍ୟକତା ରହିଥାଏ । ତିନି ଘଡିରେ ଘଣା ପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଆଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ, ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ବର୍ଷକ ପରେ ଘୁମାରେ ଥିବା ତେଲକୁ ମାଟି ତଳୁ କଢ଼ା ଯାଇଥାଏ ଏବଂ ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ । ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ ।
ଆସନ୍ତୁ ଏହି ଅବସରରେ ପ୍ରଭୁ ଅଲରାନାଥଙ୍କ କଥା ଆଲୋଚନା କରିବା । ମହାପ୍ରଭୁ ଅଣସର ଘରେ ଗୁପ୍ତ ସେବାରେ ଥିବା ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରାଯାଏ ଅଲାରନାଥ ଏଠାରେ ଶଂଖ, ଚକ୍ର, ଗଦା ଧରି ଦେବ ନାରାୟଣ ରୂପରେ ଦର୍ଶନ ଦିଅନ୍ତି ଦର୍ଶନ ଦିଅନ୍ତି । ତାଙ୍କର ଦୁଇ ପାର୍ଶ୍ୱରେ ଭୂଦେବୀ ଓ ଶ୍ରୀଦେବୀ ବିରାଜମାନ ଅଛନ୍ତି । ଠାକୁରଙ୍କ ନିକଟରେ ଛପନ ଭୋଗ ଲାଗିଲେ ମଧ୍ୟ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରିଭୋଗ । କିମ୍ବଦନ୍ତୀ ରହିଛି ଯେ ଏହି ଗରମ କ୍ଷୀରିଭୋଗ ଖାଇ ଠାକୁରଙ୍କ ଛାତି ଓ ପାଟିରେ ଫୋଟକା ହୋଇଯାଇଛି ଯାହା ଏବେବି ବିଗ୍ରହରେ ଚିହ୍ନ ଦେଖାଯାଏ ।
ଶ୍ରୀ କେତନ ର ୬-୭ ବର୍ଷର ପୁଅ ଠାକୁରଙ୍କୁ ଗରମ କ୍ଷୀରି ଭୋଗ ଲଗାଇ କହିଲା -
“ଆସ ଅଲକ୍ଷରେ ଖାଅ କ୍ଷୀରି
ବାପା ଯାଇଛନ୍ତି ଭିକ୍ଷା କରି
ମତେ ନ ଆସେ ସେବା କରି ।”
ପିଲାଟିର ଏଭଳି କଥା ଶୁଣି ସିଂହାସନ ଛାଡ଼ି ତଳକୁ ଓହ୍ଲାଇ ଗରମ୍ କ୍ଷୀରି ଖାଇ ଦେଇଥିଲେ । ଶ୍ରୀ ଅଲାରନାଥଙ୍କ ଖୀରଭୋଗ ସହିତ ଜଡିତ ଏକ ଲୋକକଥା ଅଛି । ଥରେ ମନ୍ଦିରର ଜଣେ ସେବକ କୌଣସି କାରଣରୁ ଅନ୍ୟ କୌଣସି ଗ୍ରାମକୁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କ ପିଲା ପୁଅକୁ ଶ୍ରୀ ଅଲାରନାଥଙ୍କୁ ଭୋଗ ଅର୍ପଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ବାଳକଟି ଭୋଗ ନୈବେଦ୍ୟ ଅର୍ପଣ କରିବାର ପୂଜା ବିଧି ବିଷୟରେ ଅଜ୍ଞ ଥିଲା ଏବଂ ତାଙ୍କର ପିଲାଦିନର ଏବଂ ସମର୍ପିତ ମନ ଯୋଗୁଁ ସେ ଆଖି ବନ୍ଦ କରି ଭଗବାନଙ୍କୁ ପ୍ରାର୍ଥନା କଲେ ଏବଂ ଯେତେବେଳେ ସେ ଆଖି ଖୋଲିଲେ ସେ ଦେଖିଲେ ଯେ ଖୀର ପାତ୍ରଟି ଖାଲି ଥିଲା । ଖାଲି ପାତ୍ରଟିକୁ ଧରି ପୁଅଟି ଘରକୁ ଫେରି ଆସିଲା । କିନ୍ତୁ ତାଙ୍କ ମାଆ ତାଙ୍କ ଆଖିରେ ବିଶ୍ୱାସ କରିପାରିଲେ ନାହିଁ ଯେ ଦେବତା ଖୀରି ଖାଇଛନ୍ତି । ସେ ଭାବିଲେ ଯେ ଏକ ବିଲେଇ ଭୋଗ ଖାଇଥିବ ଏବଂ ଏହାକୁ ଅଶୁଭ ମନେ କରି ପରଦିନ ସେ ଚତୁରତାର ସହିତ ଦେବତାଙ୍କ ପ୍ରତିମା ପଛରେ ଠିଆ ହୋଇଥିଲେ ଯେ ଦେବତା ପ୍ରକୃତରେ ଖୀରି ଖାଇଛନ୍ତି କି ନାହିଁ । ଯେତେବେଳେ ବାଳକଟି ଦେବତାଙ୍କ ପାଖକୁ ଆସି ପୂର୍ବ ପରି ଭୋଗ ଅର୍ପଣ କଲେ, ଶ୍ରୀ ଅଲାରନାଥ ନଇଁ ପଡ଼ି ଭୋଗ ଖାଇବା ଆରମ୍ଭ କଲେ । ଏହା ଦେଖି ମହିଳା ଜଣକ ଭୟଭୀତ ହୋଇଗଲେ ଏବଂ ଭୟରେ ସେ ଚିକôାର କରିବାକୁ ଲାଗିଲେ ଏବଂ ଗରମ ଖୀର ଦେବତାଙ୍କ ଅଙ୍ଗ ଉପରେ ପଡ଼ି ତାଙ୍କ ଚର୍ମରେ ପୋଡ଼ାଜଳା ସୃଷ୍ଟି କଲା । ଦେବତାଙ୍କ ଛାତି ଏବଂ ଅଙ୍ଗରେ ଏବେ ବି ଏହାର ଚିହ୍ନ ଦେଖାଯାଏ ଯାହା ସେବକମାନେ ସ୍ପଷ୍ଟ ଭାବରେ ଚିହ୍ନିପାରିବେ । ସ୍ଥାନୀୟ ଲୋକଙ୍କ ମତରେ, ଶ୍ରୀ ଅଲାରନାଥଙ୍କୁ ଖୀରିଭୋଗ ବହୁତ ଭଲ ଲାଗେ କାରଣ ସେ ନିଜେ ଏହାକୁ ସେବନ କରନ୍ତି ଏବଂ ଏହା ଶ୍ରୀ ଅଲାରନାଥଙ୍କ ଖୀରିଭୋଗକୁ ସମଗ୍ର ଭାରତରେ ପ୍ରସିଦ୍ଧ କରିଛି ।
ଅଣସର ବା ଅନବସର ସମୟରେ ,ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତିନିଧି ସ୍ୱରୂପ ଶ୍ରୀ ଅନନ୍ତ ନାରାୟଣ ପଟ୍ଟିଦିଅଁ ରୂପେ ପୂଜା ପାଆନ୍ତି । ତାଙ୍କର ଶରୀର କୃଷ୍ଣବର୍ଣ୍ଣ । ସେ ଚୁତୁର୍ଭୁଜ ତଥା ପଦ୍ମାସନସ୍ଥ । ଶ୍ରୀ ଅନନ୍ତ ନାରାୟଣ ସ୍କନ୍ଧ ପ୍ରଦେଶର ବିକଶିତ ଚତୁର୍ଭୁଜ ବଳିଆର ତଥା ସଦୃଢ଼ ପରିଦୃଶ୍ୟ ହୁଏ ଏବଂ ତାହା ଉତ୍ତମ ରୂପେ ଚିତ୍ରିତ ହୋଇଅଛି । ନାସିକା ,ପାଟି ତଥା ଥୋଡ଼ ଅତ୍ୟନ୍ତ ସ୍ପଷ୍ଟ ପରିଦୃଷ୍ଟ ହେଉଥିବା ବେଳେ ଶୁକ୍ଳ ବର୍ଣ୍ଣର ଦାଢ଼ି ତଥା ନିଶ ବହ୍ନିର ଶିଖା ତୁଲ୍ୟ ଉତ୍ତୁଙ୍ଗ ପ୍ରତୀୟମାନ ହୁଏ । ଭାଲପଟରେ ଥିବା ଚିତା ମଧ୍ୟରେ ରକ୍ତ ବର୍ଣ୍ଣର ଏକ ବିନ୍ଦୁ ପରି ଦୃଷ୍ଟ ହେଉଥିବା ବେଳେ ଏହି ଚିତା ନାସିକାର ମୂଳ ପର୍ଯ୍ୟନ୍ତ ଲମ୍ବି ଅଛି । ତାଙ୍କ କର୍ଣ୍ଣ ଦ୍ୱୟ ମକର କୁଣ୍ଡଳ ଦ୍ୱାରା ଶୋଭିତ । ଉନ୍ନତ ବପୁ ତଥା ବିବିଧ ଅଳଙ୍କାର ତଥା ମାଣିକ୍ୟ ମଣ୍ଡିତ ନାରାୟଣଙ୍କ ସ୍କନ୍ଧ ଠାରୁ କଟି ଦେଶ ପର୍ଯ୍ୟନ୍ତ ଯଜେ୍ଞାପବୀତ ଲମ୍ବି ଅଛି ଯାହାକି ତାଙ୍କର କଟିରେ ଲାଗି ହୋଇଥିବା ଅଣ୍ଟା ପଟ୍ଟିରେ ମିଳିତ ହୋଇଅଛି । ଦିବ୍ୟ ପୀତ ବସନ ତ୍ରିକଚ୍ଛ ଶୈଳୀରେ ପରିଧାନ ପୂର୍ବକ ତାଙ୍କର ପଦ ଦ୍ୱୟ ତଥା ହସ୍ତ ଚତୁଷ୍ଟୟରେ ସୁବର୍ଣ୍ଣ ବଳାମାନ ଶୋଭା ପାଉ ଥିବା ବେଳେ ବପୁ ପ୍ରଦେଶ ତଥା ବାହୁ ଗୁଡ଼ିକରେ ଚିତା ଅଙ୍କିତ ହୋଇଅଛି । ବପୁ ଦେଶରେ ଶ୍ରୀବସôଙ୍କର ରକ୍ତାଭ ପଦଚିହ୍ନ ଶୋଭାୟମାନ ହେଉଛି । ଗଳାରେ କମଳ ପୁଷ୍ପର ବନମାଳ, ସବୁଜ ବର୍ଣ୍ଣର କେଶୋରାଜି ଉଡ୍ଡୀୟମାନ ଅବସ୍ଥାରେ ତଥା ମସ୍ତକୋପରିସ୍ଥ ବର୍ଣ୍ଣାଢ୍ୟ କିରୀଟି ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ପ୍ରତୀତ ହୁଏ । ନାରାୟଣଙ୍କ ଉଭୟ ପାର୍ଶ୍ୱରେ ସପ୍ତଋଷି ପ୍ରଣତ ମୁଦ୍ରାରେ ଦଣ୍ଡାୟମାନ । ତାଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରମୁଖ ଚଳନ୍ତି ବିଗ୍ରହ ଶ୍ରୀ ଦୋଳଗୋବିନ୍ଦ ଓ ଶ୍ରୀ ମଦନମୋହନ ବିଜେ କରିଥାନ୍ତି । ସେ ବହୁ ତଳଯୁକ୍ତ ଏକ କୁଞ୍ଜରେ ବିରାଜମାନ । ଏହି କୁଞ୍ଜର ଉପରି ଭାଗରେ ଶ୍ୱେତ କପୋତଦ୍ୱୟ ବିଦ୍ୟମାନ । ଏହା ସହିତ ସେହି କୁଞ୍ଜର ତଳ ଭାଗରେ ମକରଦ୍ୱୟ ଶୋଭା ପାଉଛନ୍ତି । ଏହି କୁଞ୍ଜର ଚୁଡ଼ା ପଦ୍ମ ପୁଷ୍ପ ଆକୃତି ହୋଇ ଥିବା ବେଳେ ବେଦି ଗୁଡ଼ିକ ପ୍ରସ୍ଫୁଟିତ ପଦ୍ମ ପୁଷ୍ପ ଭଳି ହୋଇ ଅଛି ।
ଅରଙ୍ଗାବାଦ ବରୀ ଯାଜପୁର
ମୋବାଇଲ - ୯୯୩୮୯୦୬୦୭୦