ସେମାନଙ୍କ ପାଇଁ ଦୁଃଖ କେଣେ?
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ କେଉଁମାନଙ୍କ ପାଇଁ ବିଲକୁଲ୍ ଦୁଃଖ କରିବା ଅନୁଚିତ୍, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଓଡ଼ିଆରେ ଏକ ପ୍ରହେଳିକା ଅଛି- ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ । ଏଭଳି କହିବାର ଅର୍ଥ ହେଲା ଯେଉଁଁମାନେ ଖଳ ପ୍ରକୃତିର ଲୋକ ସେମାନେ ଯେତେ ଉଚ୍ଚ ଆସନକୁ ଯାଆନ୍ତୁନା କାହିଁକି ସେମାନଙ୍କ ପ୍ରକୃତି ବଦଳେ ନାହିଁ । ସେମାନେ ଯେତିିକି ଉଚ୍ଚ ଆସନକୁ ଯିବେ ସେତିକି ଅଧିକ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ । ସେମାନଙ୍କ ମନ ଭିତରେ ରହିଥିବା ବେଦନା ବାହାରକୁ ପ୍ରକାଶ କରନ୍ତି ନାହିଁ । ହେଲେ ପ୍ରତ୍ୟେକ ମନୁଷ୍ୟର ସମସ୍ୟା ଥିବା ଭଳି ସେମାନଙ୍କର ମଧ୍ୟ ସମସ୍ୟା ଥାଏ ଏବଂ ସେହି ସମସ୍ୟାକୁ କେବଳ ଏକମାତ୍ର ନିଜର ବୋଲି ଭାବି ଅନ୍ୟମାନେ ଭଲରେ ଅଛନ୍ତି ବୋଲି ଚିନ୍ତା କରନ୍ତି । ତେଣୁ ଖରାପ ପ୍ରକୃତିର ଲୋକଟି କେବେ ହେଲେ କାହାରି ଭଲ ଚିନ୍ତା କରିପାରେ ନାହିଁ ବରଂ ଅନ୍ୟ ସହ ନିଜକୁ ତୁଳନା କରି ଅନ୍ୟମାନେ ତାହା ଠାରୁ ଭଲରେ ଅଛନ୍ତି ବୋଲି ଭାବି ନିଏ । ଏ ପ୍ରକାରର ଏକ ଭୁଲ୍ ଧାରଣା ଅନେକ ଲୋକଙ୍କ ମନରେ ଥାଏ । ସେମାନଙ୍କର ପ୍ରକୃତି ଘୁଷୁରୀ ପ୍ରକୃତି ଭଳି ସବୁବେଳେ ନକାରାତ୍ମକ ଚିନ୍ତାରେ ହିଁ ଘାଣ୍ଟି ହୁଅନ୍ତି । ସେମାନଙ୍କ ମନ ଭିତରେ କେବେ ହେଲେ ଏକ ସକାରାତ୍ମକ ଭାବନା ସୃଷ୍ଟି ହୁଏ ନାହିଁ । ଏହି ନକାରାତ୍ମକ ଭାବନାକୁ ନେଇ ସବୁବେଳେ ଅନ୍ୟମାନଙ୍କୁ ମଧ୍ୟ ଅସୁବିଧାରେ ପକାଇବା ପାଇଁ ମନେ, ମନେ ଚିନ୍ତା କରନ୍ତି । ଏହି ପ୍ରକାରର ଲୋକମାନେ ସବୁବେଳେ ଅନ୍ୟକୁ ଦୁଃଖ ଦିଅନ୍ତି । ତେଣୁ ଏଭଳି ଲୋକମାନେ ଯେତେବେଳେ ଦୁଃଖରେ ପଡ଼ିଯାଆନ୍ତି କିମ୍ବା ସମସ୍ୟାରେ ପଡିଯାଆନ୍ତି ଏମାନଙ୍କ ପାଇଁ କେବେ ଚିନ୍ତା କରିବା ଉଚିତ୍ ନୁହେଁ । ଏମାନେ ସମାଜରେ କେବେ କାହାରି ଭଲ ଚାହିଁ ନାହାନ୍ତି କିମ୍ବା ଭଲ ଦେଖି ପାରିନାହାନ୍ତି । ଆଉ ଏମାନଙ୍କର ଦୁଃଖ ସମୟରେ ସାହାଯ୍ୟ କଲେ ମଧ୍ୟ ପ୍ରକୃତିଗତ ଭାବରେ ଏ ପ୍ରକାରର ଲୋକମାନେ ସାହାଯ୍ୟ କରିଥିବା ଲୋକଙ୍କ ପ୍ରତି କୃତଜ୍ଞ ରହନ୍ତି ନାହିଁ । ଏମାନେ ଅତ୍ୟନ୍ତ ସ୍ୱାର୍ଥପର ଏବଂ କୃତଘ୍ନ ମଧ୍ୟ । ଏମାନେ ଅସୁବିଧାରେ କିମ୍ବା ଦୁଃଖରେ ପଡ଼ିଲେ ଏମାନଙ୍କ ପାଇଁ କେବେ ହେଲେ ସହାନୁଭୂତି ଦେଖାଇ ସମୟ ନଷ୍ଟ କରିବା ଅନୁଚିତ୍ । କାରଣ ଏମାନେ ଜୀବନରେ କେବେ କାହାରିକୁ ଟିକେ ସହାନୁଭୂତି ଦେଖାଇ ନଥାନ୍ତି କି କେବେ କାହାରି ଅସୁବିଧାରେ ଲୋକଙ୍କୁ ସାହାଯ୍ୟ କରିନାହାନ୍ତି । ବରଂ ଅସୁବିଧାକୁ ଆହୁରି ଜଟିଳ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ଏମାନଙ୍କର ଯେତେ ଉପକାର କରିଲେ ମଧ୍ୟ କେବେହେଲେ ଏମାନେ ଅନ୍ୟର କରିଥିବା ଉପକାର ପ୍ରତି କୃତଜ୍ଞ ଭାବ ପୋଷଣ କରୁନଥିବାରୁ ଏମାନଙ୍କ ଦୁର୍ଦ୍ଦିନରେ ସହାୟ ହେବା ଉଚିତ୍ ନୁହେଁ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
