ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡରେ ତ୍ରୁଟି ଅଭିଯୋଗ
ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ନୂତନ ବର୍ଷର କ୍ୟାଲେଣ୍ଟରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଏନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିଦେଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ନୂତନ ବର୍ଷର କ୍ୟାଲେଣ୍ଡରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଦେଖିବାକୁ ମିଳିଛି ।
ଟେବୁଲ୍ କ୍ୟାଲେଣ୍ଡର, ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି କ୍ୟାଲେଣ୍ଡର ଛପା ଯାଇଥିଲା । ପଟ୍ଟଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ରହିଛିି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ଚିତ୍ର କ୍ୟାଲେଣ୍ଡରରେ ଦେଖିବାକୁ ମିଳିଛି । ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିବା ସହ କେଉଁ ଅଧିକାରୀଙ୍କ ଦାୟିତ୍ୱହୀନତାରେ ଏଭଳି ତ୍ରୁଟି ହୋଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଗନ୍ନାଥ ପ୍ରେମୀ ଓ ସେବାୟତ ଦାବି କରିଛନ୍ତି । ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Samir Kumar Rout