ସଂଗ୍ରାମୀ ଗୌରାଙ୍ଗ ଦାସ
ହିମାଂଶୁ ଶେଖର ଆଚାର୍ଯ୍ୟ : ଆଜି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ,ଗଡଜାତ ପ୍ରଜା ଆନ୍ଦୋଳନ ଓ କୃଷକ ଆନ୍ଦୋଳନର ନେତା ଗୌରାଙ୍ଗ ଚରଣ ଦାସଙ୍କ ୫୩ ତମ ଶ୍ରାଦ୍ଧବାର୍ଷିକୀ । ଏହି ସାଲିସ ବିହୀନ ସଂଗ୍ରାମୀ ୧୮୯୯ ମସିହା ଜାନୁୟାରୀ ୨୬ ତାରିଖରେ ଜଗତସିଂହପୁର ଜିଲ୍ଲା ବାଗଲପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପଙ୍କଜ ଦାସ ଓ ମାତାଙ୍କ ନାମ ସାବିତ୍ରୀ ଦେବୀ । ଜନ୍ମରୁ ଗୋରାଙ୍ଗ ଦାସଙ୍କର ଡାହାଣ ହାତ ଅତି ଛୋଟ, ପତଳା ଓ ଅକାମୀ । ହେଲେ ପ୍ରବଳ ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଯୋଗୁଁ ସେ ଗୋଟିଏ ହାତରେ ସହଜରେ ସବୁ କାମ କରିପାରୁଥିଲେ । ବାଁ ହାତରେ ସୁନ୍ଦର ଅକ୍ଷର ଲେଖୁଥିଲେ, ସହଜରେ ଗଛ ଉପରକୁ ଗୋଟିଏ ହାତରେ ଚଢିପାରୁଥିଲେ, ନଦୀ ପହଁରି ପାରୁଥିଲେ, ବାଗୁଡି ଖେଳୁଥିଲେ, ସାଇକେଲରେ ବୁଲୁଥିଲେ । କୌଣସି କାମରେ ପଛେଇ ଯାଉନଥିଲେ । ଏପରିକି କେତେକ କ୍ଷେତ୍ରରେ ଦୁଇହାତ ଥିବା ପିଲାଙ୍କ ଠାରୁ ବଳି ପଡୁଥିଲେ । ଏହାହିଁ ଥିଲା ତାଙ୍କର ବିଶେଷତ୍ୱ । ହେଲେ କ୍ରମଶଃ କେଜାଣି କାହିଁକି ବିସ୍ମୃତିକୁ ଚାଲିଯାଉଛନ୍ତି ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ସମାଜବାଦୀ ନେତା ଗୈାରାଙ୍ଗ ଚରଣ ଦାସ । ତାଙ୍କ ବିଷୟରେ କୈାଣସି ପତ୍ର ପତ୍ରିକାରେ ସେଭଳି କିଛି ଆଖିଦୃଶିଆ ଲେଖା ଦୃଷ୍ଟି ଗୋଚରହୁଏ ନାହିଁ ବା ଜୟନ୍ତୀ ଓ ଶ୍ରାଦ୍ଧଦିବସରେ ତାଙ୍କୁ ସେପରି ମନେ ପକାଯାଏନାହିଁ । ତାଙ୍କ କଥା ଓ ଗାଥାକୁ ଉତ୍ତରପିଢି ପାଖରେ ପହଞ୍ଚାଇବା ଏହି ଆଲେଖ୍ୟର ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ତରିକୁନ୍ଦ ଠାରେ ଥିବା କୃଷି ଫାର୍ମରେ ବିପ୍ଳବୀ ନବକୃଷ୍ଠ ଚୌଧୁରୀ ଓ ବହ୍ନିକନ୍ୟା ମାଳତୀ ଚୌଧୁରୀଙ୍କ ସଂସ୍ପର୍ଶରେ ଆସିଲେ । ୧୯୨୧ ମସିହାର କଥା । ପ୍ରଥମଥର ପାଇଁ ଗାନ୍ଧିଜୀ ଓଡିଶା ଗସ୍ତରେ ଆସିଥିଲେ । ସଂଗ୍ରାମୀ ଗୌରାଙ୍ଗ ମହାତ୍ମା ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ଯାଇଥିଲେ । ସେଇଠୁ ହିଁ ତାଙ୍କ ଜୀବନର ଗତିପଥ ବଦଳିଗଲା । ଏହାପରେ ପରିବାରର ବନ୍ଧନକୁ ତୁଟାଇ ଓ ଦାମ୍ପତ୍ୟ ସୁଖକୁ ପଛ କରି ସେ ସ୍ୱାଧୀନତା ସଂଗ୍ରାମର ଯଜ୍ଞବେଦୀକୁ ଲମ୍ଫ ପ୍ରଦାନ କରିଥିଲେ । ଆଉ ତା’ପରର ଘଟଣା ଥିଲା ସ୍ୱର୍ଣ୍ଣାଭ ଇତିହାସ । ପରବର୍ତ୍ତୀ ସମୟରେ ଜଣେ ବିପ୍ଳବୀ ଓ ଜନସେବକ ଭାବେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମସ୍ତଙ୍କ ପାଖରେ ‘ଗୌରୀଭାଇ’ ରୂପେ ସୁପରିଚିତ ହୋଇଥିଲେ । ଶାରୀରିକ ଅକ୍ଷମତା ସତ୍ତେ୍ୱ ଗୌରାଙ୍ଗ ଦାସଙ୍କ ସଂଗ୍ରାମୀ ଜୀବନ ବେଶ ଘଟଣା ବହୁଳ ଓ ଦୀର୍ଘ ଥିଲ । ଛାତ୍ର, ଯୁବକ, ଜନସାଧାରଣଙ୍କୁ ଜାତୀୟ ସଂଗ୍ରାମରେ ସାମିଲ କରିବା ପାଇଁ ତାଙ୍କ ପାଖରେ ଥିଲା ଚୁମ୍ବକୀୟ ଶକ୍ତି । ସେହି ଶକ୍ତି ବଳରେ ସେ ସମସ୍ତଙ୍କୁ ଆକର୍ଷିତ କରିପାରୁଥିଲେ ।ତାଙ୍କର ଓଜସ୍ୱିନୀ ଭାଷଣ ଯେ ଶୁଣିଛି ସେ ଭୁଲିପାରିବ ନାହିଁ ।
ବିଶ୍ୱବିଦ୍ୟାଳୟର ଉପାଧିପ୍ରାପ୍ତ ବ୍ୟକ୍ତି ସେ ନଥିଲେ । ମାତ୍ର ଦେଶପ୍ରାଣତା ଓ ନିର୍ଭୀକତା ତାଙ୍କ ଭିତରେ ଭରି ରହିଥିଲା । ଏ ପ୍ରକାର ଅବଦମିତ ବ୍ୟକ୍ତିତ୍ୱ କ୍ୱଚିତ୍ ଦେଖିବାକୁ ମିଳେ । ତାଙ୍କ ପ୍ରେରଣାରେ ବାଗଲପୁରରୁ ୧୮ ଜଣ କାରାବରଣ କରିଥିଲେ ଓ ଶହଶହ ପୁଅ, ଝିଅ ଓ ବୋହୂ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୩୦ ଲବଣ ସତ୍ୟାଗ୍ରହରେ ପ୍ରଥମ ସତ୍ୟାଗ୍ରହୀ ଦଳରେ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହରଙ୍କ ସହ ଇଞ୍ଚୁଡି ଠାରେ ଲବଣ ଆଇନ ଭଙ୍ଗ କରି ଏକବର୍ଷ, ୧୯୩୨ରେ ସ୍ୱରାଜ୍ୟ ଦିବସ ପାଳନ କରି ଗିରଫ ଓ ଆହତ, ୧୯୪୦ରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଯୋଗଦେଇ ଏକବର୍ଷ, ୧୯୪୨ରେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ତିନିମାସ ଓ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ ଅଢେଇବର୍ଷରୁ ଅଧିକ ସମୟ କାରାଦଣ୍ଡ ଭୋଗିଥିଲେ । ଏହିପରି ଭାବେ ସେ ମୋଟରେ ପାଞ୍ଚବର୍ଷ ତିନି ମାସ ଜେଲ୍ରେ ରହିଥିଲେ । ୧୯୩୮ରେ ସାରା ଭାରତରେ ଚହଳ ପକାଇଥିବା ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ନେତୃତ୍ୱ ନେଇ ବ୍ରିଟିଶ ଓ ରାଜ୍ୟ ପୋଲିସର ଆକ୍ରମଣରେ ସଂଜ୍ଞାହୀନ ହୋଇପଡିଲେ ଗୌରାଙ୍ଗ ଦାସ । ହାତକେମ୍ପା ବିଦ୍ରୋହୀ ମରିଗଲା ଭାବି ଅତ୍ୟାଚାରୀମାନେ ତାଙ୍କୁ ଛାଡିଦେଇ ଚାଲିଗଲେ । ମାସମାସ କାଳ ହାସପାତାଳରେ ରହିଲା ପରେ ସୁସ୍ଥ ହେଲେ ସେ । ସାମାଜିକ ପରିବର୍ତ୍ତନ ନିମନ୍ତେ ସଂଘର୍ଷ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ସେଥିପାଇଁ ନିଜର ରାଜନୈତିକ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ନିଜ ଉଦ୍ୟମରେ ହରିଜନଙ୍କ ଉପରେ ଦେଉଥିବା ନିର୍ଯାତନା ବିରୁଦ୍ଧରେ ନିଜ ଗାଁରେ ଓ ବାହାରେ ଦୃଢ ପ୍ରତିବାଦ କରିଥିଲେ । ଫଳସ୍ୱରୂପ ତାଙ୍କୁ ବହୁ ଅପମାନ ସହିବାକୁ ପଡିଛି । ସାମାଜିକ ବାଚ୍ଛନ୍ଦ କରିବା ପର୍ଯ୍ୟନ୍ତ କଥାଯାଇଛି । ଏସବୁକୁ ଭ୍ରୁକ୍ଷେପ କରିନଥିଲେ ଗୌରାଙ୍ଗ ଦାସ । ଏଭଳି କାର୍ଯ୍ୟ ବର୍ତ୍ତମାନ ସମୟରେ ହୁଏତ ବିପ୍ଳବାତ୍ମକ ହୋଇନପାରେ । ମାତ୍ର ସେ କାଳରେ ଯେତେବେଳେ ହରିଜନ ପାଖ ମାଡିଲେ ଅପରାଧ ବୋଲି ବିବେଚନା କରାଯାଉଥିଲା, ହରିଜନଙ୍କୁ ଛୁଇଁଦେଲେ ତିନିତିନି ଥର ଗାଧୋଇବାକୁ ପଡୁଥିଲା, ସେ ସମୟରେ ସେମାନଙ୍କ ସାଙ୍ଗରେ ମିଶିବା, ରହିବା, ଖାଇବା ଓ ସର୍ବୋପରି ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅବିଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କାଠିକର ପାଠ ଥିଲା, ସେତିକିବେଳେ ଗୌରାଙ୍ଗ ଦାସଙ୍କ କାର୍ଯ୍ୟ ଯେ ଏକ ସ୍ୱୟଂସମ୍ପୂର୍ଣ୍ଣ ବିପ୍ଳବ ଥିଲା ଏଥିରେ ସନ୍ଦେହ ନାହିଁ । ମହାତ୍ମାଗାନ୍ଧୀଙ୍କ ହରିଜନ ପଦଯାତ୍ରା ପରେ କେତେକ ସ୍ଥାନରେ ହରିଜନଙ୍କ ମନ୍ଦିର ପ୍ରବେଶ ହୋଇଥିଲେ ମଧ୍ୟ ନିଜ ଗାଁ ବାଗଲପୁରରେ ଥିବା ଦଧିବାମନଜୀଉ ମନ୍ଦିରରେ ହରିଜନମାନେ ପ୍ରବେଶ କରିପାରୁନଥିଲେ । ନିଜ ପ୍ରଚେଷ୍ଟାରେ ଉଚ୍ଚବର୍ଗର ଲୋକମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ଗୌରାଙ୍ଗ ଦାସ । ଫଳ ସ୍ୱରୂପ ୧୯୪୬ ମସିହା ଡିସେମ୍ବର ୨୦ ତାରିଖରେ ଦଧିବାମନ ମନ୍ଦିର ହରିଜନଙ୍କ ପାଇଁ ଖୋଲାହେଲା । ଏଣିକି ସବୁରି ମୁହଁରେ ଗୌରୀଭାଇଙ୍କର ପ୍ରଶଂସା ।
ବିଂଶ ଶତାବ୍ଦୀର ତୃତୀୟ ଦଶକ ପରେ ବିପ୍ଳବୀ ଜନନାୟକ ନବକୃଷ୍ଣ ଚୌଧୁରୀ ଓ ସ୍ୱୟଂସମ୍ପୂର୍ଣ୍ଣା ବିପ୍ଳବିଣୀ ମାଳତୀ ଚୌଧୁରୀଙ୍କ ପ୍ରେରଣାରେ ଓଡିଶାରେ ଯେଉଁ ନୂତନ ସମାଜବାଦୀ ଆନ୍ଦୋଳନର ମୂଳଭିତ୍ତି ଦିଆଗଲା, ସେଥିରେ ପ୍ରମୁଖ ଭୂମିକା ନେଇଥିଲେ ଗୌରାଙ୍ଗ ଦାସ । ଉକ୍ରଳ କଂଗ୍ରେସ ସମାଜବାଦୀ କର୍ମୀସଂଘ ନାମରେ ସଂଗଠନ ଆରମ୍ଭ ହେଲା । ସ୍ୱରାଜ ବାର୍ତ୍ତା ଓ ସ୍ୱାଧୀନତା ସଂଗ୍ରାମ ପାଇଁ ଯୁବକମାନଙ୍କୁ ତାଲିମ ଦେବା ସହ ଗ୍ରାମ୍ୟ ଉନ୍ନୟନ ଓ କୃଷି କାର୍ଯ୍ୟ ଉନ୍ନତି ପାଇଁ ମୂଳଦୂଆ ପଡିଲା । ଏହାର ଉଦ୍ଦେଶ୍ୟ ଥିଲା ବ୍ୟକ୍ତିଗତ ସମ୍ପତ୍ତି କିଛି ରହିବ ନାହିଁ । ନବକୃଷ୍ଣ ଚୌଧୁରୀ ତାଙ୍କ ଅଣଖିଆ ଫାର୍ମ ଦେଇଦେଲେ ସଂଘ ହାତରେ ଏବଂ ମାଳତୀ ଚୌଧୁରୀ ତାଙ୍କ ଗହଣାତକ, ଯାହାକୁ ମୂଳଧନ କରି ଏକ ସମାଜବାଦୀ ସାପ୍ତାହିକୀ ‘ସାରଥୀ’ ପ୍ରକାଶ ପାଇଲା । ଗୌରାଙ୍ଗ ଦାସ ସମ୍ବଳହୀନ ଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଦୂତିକା ଦେବୀଙ୍କର ଯାହା କାନଫୁଲ ଦିଓଟି ଥିଲା ତାକୁ ଦାନ କରିବାକୁ ପ୍ରସ୍ତୁତ ଥିଲେ । ମାତ୍ର ବନ୍ଧୁମାନଙ୍କ ଅନୁରୋଧରେ ଶେଷରେ ତାହା କଲେ ନାହିଁ । ଖାଲି ସେତିକି ନୁହେଁ କୃଷକମାନଙ୍କୁ ଜମିଦାରୀ ଅତ୍ୟାଚାର ଓ ଶୋଷଣରୁ ରକ୍ଷା କରିବା ପାଇଁ ସେ ତାଙ୍କ ଗାଁ ବାଗଲପୁରେ ଆୟୋଜନ କଲେ ପ୍ରଥମ କୃଷକ ସମ୍ମିଳନୀ । ଏଠାରେ ସେ ପ୍ରସ୍ତାବ ଆଣିଲେ - “ଏଣିକି କୌଣସି ଚାଷୀ ଜମିଦାର, ମଠମହନ୍ତ ବା ଅନ୍ୟ ଉଚ୍ଚଶ୍ରେଣୀର ଲୋକଙ୍କୁ ଦେଖିଲେ କେହି ଲମ୍ବ ହୋଇ ବା ମୁଣ୍ଡମାଡି ଦଣ୍ଡବତ କରିବେ ନାହିଁ, ଛିଡା ହୋଇ ନମସ୍କାର କରିବେ ।” ସେହିଦିନୁ ଗୌରାଙ୍ଗ ବାବୁଙ୍କର କାର୍ଯ୍ୟ କେବଳ ବାଗଲପୁର ଅଞ୍ଚଳ ନୁହେଁ, ସାରା ଓଡିଶାରେ ବ୍ୟାପିଲା, ଜଣେ କୃଷକ ନେତା ହିସାବରେ । ଯେଉଁଠି ଜମିଦାରୀ ଶୋଷଣ - ଅତ୍ୟାଚାର, ସେଠି ଲୋକଙ୍କ ସାହସ ଦେବାକୁ ଗୌରୀଭାଇ ଲୋଡା ।
ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଚଳଚଞ୍ଚଳ ଥିଲେ ଗୌରାଙ୍ଗ ଦାସ । ୧୯୪୦ ମସିହାରେ କଟକ ସଦର ଲୋକାଲ ବୋର୍ଡ ସଦସ୍ୟ ଭାବେ ପ୍ରଶାସନିକ କ୍ଷେତ୍ରରେ ପାଦ ଥାପିଥିଲେ । ୧୯୪୬ ମସିହା ନିର୍ବାଚନରେ ପଶ୍ଚିମ କଟକ ନିର୍ବାଚନ ମଣ୍ଡଳୀରୁ ସେ ବିନା ପ୍ରତିଦ୍ୱନ୍ଦିତାରେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିରୁଦ୍ଧରେ ଠିଆ ହେବାକୁ କେହି ସାହସ କରିନଥିଲେ । ବିଧାନସଭାରେ ସେ ସବୁବେଳେ ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ସମାଧାନ ପାଇଁ ମତ ଦେଇଥିଲେ । ୧୯୬୧ ମସିହାରେ ଓଡିଶା ଜିଲ୍ଲା ପରିଷଦ ଗଢାହେଲା । ଗୌରାଙ୍ଗ ବାବୁ ଜିଲ୍ଲା ପରିଷଦର ଚେୟାରମ୍ୟାନ୍ ବା ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଜିଲ୍ଲା ପରିଷଦ ସଭାପତି ଭାବେ ତାଙ୍କ କାର୍ଯ୍ୟକାଳ ଅନେକ ଦୃଷ୍ଟିରୁ ମହତ୍ତ୍ୱ ରଖେ । ଜିଲ୍ଲା ଭିତରେ କୃଷି, ଶିକ୍ଷାର ପ୍ରସାର ତଥା ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେ ନୂଆ ଯୋଜନା କରିଥିଲେ ଓ ସେଥିରେ ସଫଳ ହୋଇଥିଲେ ।
୧୯୭୨ ମସିହା ଫେବୃଆରୀ ୧୯ ତାରିଖରେ ଗୈାରାଙ୍ଗ ଦାସଙ୍କର ଜୀବନଦୀପ ନିର୍ବାପିତ ହୋଇଯାଇଛି । ସେ ଆଉ ଫେରିବେନି । ମାତ୍ର ସେ ଯେଉଁଥିପାଇଁ ସଂଘର୍ଷ ଆରମ୍ଭ କରିଥିଲେ ତାହା ଏବେବି ଅଧୁରା ହୋଇରହିଛି । କୃଷକ, ଖଟିଖିଆ ଓ ମେହନତି ମଣିଷ ଏବେବି ଅବହେଳିତ ଓ ସମସ୍ୟା ଜର୍ଜରିତ । ରାଜ୍ୟ ସରକାର ଏବଂ ଓଡିଶା ସାହିତ୍ୟ ଏକାଡେମୀ ଏହି ମହାନ ସଂଗ୍ରାମୀ ଓ ସମାଜବାଦୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାର ସମୟ ଏବେ ଆସିଛି । ସତରେ ତାଙ୍କ ପରି ମୁକ୍ତି ସଂଗ୍ରାମୀ ଆଜିର ଦୁନିଆରେ ବିରଳ । ଏମିତି ଥିôଲେ ମୁକ୍ତି ସଂଗ୍ରାମୀ ଗୌରାଙ୍ଗ ଦାସ ।
ଜଗତସିଂହପୁର
ମୋ - ୯୩୩୭୨୨୧୯୨୪