ସଂଘକୁ ଘାରିଲାଣି ସଂଗଠନ ଭାଙ୍ଗିଯିବାର ଭୟ!
ଯାଜପୁର: ଚଳିତ ସାଧାରଣ ନିର୍ବାଚନ ସବୁ ଅଙ୍କକୁ ଓଲଟ ପାଲଟ କରିଦେଇଛି । ଅନେକ ନେତାଙ୍କ ସମୀକରଣକୁ ବି ବଦଳାଇ ଦେଇଛି ନିର୍ବାଚନ । ଅଙ୍କ ବଦଳିବା ଭିତରେ ରହିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ବିଜେଡ଼ିର ଦବଦବା ବିଜେପି ପାଖରେ ଧୂଳିସାତ ହୋଇଛି । ବିଜେପି ବାଜିମାତ କରିବା ପରେ ଖଣି ଠାରୁ ଆରମ୍ଭ କରି ଶିଳ୍ପାଞ୍ଚଳରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା ଆରମ୍ଭ କରିଛି । ଗୋଟେ ପଟେ ରାଜ୍ୟରେ କ୍ଷମତାକୁ ଅନ୍ୟପଟେ ନିର୍ବାଚନ ମଣ୍ଡଳୀରେ ବିଜୟ ବିଜେପିକୁ ଶକ୍ତିଶାଳି କରିଛି । ଏଣୁ ଶିଳ୍ପରୁ ଖଣି ସବୁଠି ଦବଦବା ପାଇଁ ପ୍ରୟାସ କରିବାଟାକୁ କେବେ ହେଲେ ଅମୂଳକ ବୋଲି କୁହାଯାଇପାରିବନି ।
ବିଜେପି ପାର୍ଟିର ପ୍ରଦୀପ ବଳ ସାମନ୍ତ ବିଜୟଲାଭ କରିବା ଏବଂ ମନ୍ତ୍ରୀପଦ ମିଳିବା ପରେ ତାଙ୍କ ସମର୍ଥକଙ୍କ ଟାର୍ଗେଟରେ ଏବେ ଖଣି ଅଞ୍ଚଳ ରହିଛି । ଖଣି ଅଞ୍ଚଳରେ ସଂଗଠନକୁ ମଜବୁଦ କରିବା ଏବଂ ପ୍ରତ୍ୟେକ ଖଣିରେ ନିଜର ଶ୍ରମିକ ସଂଗଠନ କରିବା ବିଜେପିର ଲକ୍ଷ୍ୟ ହୋଇପଡ଼ିଛି । ଯାହାର ଝଲକ କିଛିଦିନ ତଳେ ଦେଖିବାକୁ ମିଳିଥିଲା । ବିଜେପି ନେତା ଅମଳେନ୍ଦୁ ବେହୁରାଙ୍କ ଉପସ୍ଥିତିରେ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଛାଡ଼ି ୩ଶହରୁ ଅଧିକ ଶ୍ରମିକ ସାମିଲ ହେବା ଘଟଣା । ପ୍ରାକ୍ତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଏବଂ ତାଙ୍କ ପୁତ୍ର ପ୍ରାକ୍ତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ଦ୍ୱାରା ପରିଚାଳନାରେ ଚାଲୁଥିବା ମଜଦୂର ୟୁନିୟନ ଖଣି ଅଞ୍ଚଳରେ ଏକ ପୁରୁଣା ସଂଗଠନ । ଖଣି ଅଞ୍ଚଳକୁ ଅକ୍ତିଆର କରିବା ଲକ୍ଷ୍ୟରେ ବିଜେପି ରହିଥିବା ବେଳେ ମଜଦୂର ୟୁନିୟନର ଅସନ୍ତୁଷ୍ଟ ଶ୍ରମିକଙ୍କୁ ନିଜ ପାଲାକୁ ଆଣିବା ଲକ୍ଷ୍ୟରେ ରହିଛି ବିଜେପି । ଏକଦା ଖଣି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିଥିବା ଘଡ଼ାଇ ଦୁର୍ଗକୁ ଦୁର୍ବଳ କରିବା ପାଇଁ ବିଜେପି କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ମଜଦୂର ୟୁନିୟନକୁ ଭାଙ୍ଗିବାର ଭୟ ମଧ୍ୟ ଘାରିଛି ।
ଯାହା ଗତକାଲିର ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନାରେ ଆଶଙ୍କା ଛାୟା ଦେଖିବାକୁ ମିଳିଥିଲା । ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା କି ମଜଦୂର ୟୁନିୟନକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । କାହା ନାଁ ନଆଯାଇନଥିଲେ ହେଁ ବିଜେପି କରୁଛି ବୋଲି ସଙ୍କେତରେ କୁହାଯାଇଥିଲା । ଦୀର୍ଘ ଚାରି ଦଶନ୍ଧି ଧରି ଖଣି ଅଞ୍ଚଳରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଦବଦବା ରହି ଆସିଥିବା ଦେଖାଯାଇଛି । ମାତ୍ର ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପରେ ସ୍ଥିତି ପଲଟି ଯାଇଛି । ଯେଉଁ ଖଣି ଅଞ୍ଚଳରେ ପଶିବା ପାଇଁ ପୂର୍ବରୁ କଂଗ୍ରେସ ଦଳର ନେତା ଶରତ ରାଉତ ବିଫଳ ହୋଇଥିଲେ ତାହା ଆଜି ଘଡ଼ାଇ ପରିବାର ହାତରୁ ଖସିବାକୁ ବସିଛି । ଶ୍ରମିକ ସଂଗଠନର ଅନେକ ଶ୍ରମିକ ଏବେ ନୂତନ ସଂଗଠନର ଯୋଗଦେଇଛନ୍ତି । ନୂତନ ସଂଗଠନର ମଙ୍ଗ ଧରିଛନ୍ତି ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସମର୍ଥକ । ଯେହେତୁ ସୁକିନ୍ଦା ବିଧାୟକ ନିକଟରେ ମନ୍ତ୍ରୀ ହୋଇଛନ୍ତି ତାଙ୍କର ଖଣି ଅଞ୍ଚଳରେ ଦବଦବା ରହିବା ସ୍ୱାଭାବିକ କଥା । ଖାଲି ବିଧାୟକ ହୋଇଥିଲେ ଅଲଗା କଥା ହୋଇଥାନ୍ତା ମାତ୍ର ସେ ଏବେ ମୋହନ ସରକାରଙ୍କ ମନ୍ତ୍ରୀ । ତେଣୁ ତାଙ୍କର କଥାକୁ ଖଣି ଅଞ୍ଚଳର ପ୍ରଶାସନ ଗୁରୁତ୍ୱ ଦେବାକୁ ଅନୁମେୟ କରାଯାଏ । ଫଳରେ ନୂତନ ସଂଗଠନକୁ ଭରସା କରି ପୁରୁଣା ଶ୍ରମିକ ସଂଗଠାରୁ ଅନେକ ଶ୍ରମିକ ଆସି ଯୋଗ ଦେବାକୁ ଏଡ଼ାଇ ଦେଇ ହେବନି । ବିଗତ ଅନେକ ଦିନ ଧରି ଖଣି ଅଞ୍ଚଳରେ ପତିଆରା ରଖି ଆସିଥିବା ସୁକିନ୍ଦା କ୍ରୋମାଇଟ ମଜଦୂର ସଂଘରୁ ଯଦି ଶ୍ରମିକ ଅପସରି ଆସନ୍ତି ଯେଉଁ ସଂଗଠନ ବର୍ଷ ବର୍ଷ ଧରି ଖଣି ଅଞ୍ଚଳରେ ନିଜର ପତିଆରା ଜାହିର କରିଆସିଛି ତାହା ଧରାଶାୟୀ ହୋଇଗଲେ କେହିବି ଅବିଶ୍ୱାସ କରିବେନି ।
ଶ୍ରମିକ ମାନଙ୍କର ଅଧିକାରକୁ ଗୁରୁତ୍ୱ ନଦେଇ କେବଳ ଶ୍ରମିକ ନେତାଙ୍କ ପତିଆରାକୁ ଗୁରୁତ୍ୱ ଦେଉଥିବା ମଜଦୂର ୟୁନିଅନ ଅବସ୍ଥା ଆଜି ଏଇଥିପାଇଁ ଜଟିଳ ବୋଲି କେତେକ କହୁଛନ୍ତି । ତେବେ ଯାହାବି ହେଉ ଶତାଧିକ ଶ୍ରମିକ ମଜଦୂର ୟୁନିୟନ ଛାଡ଼ିବା ପରେ ସଂଘ ଭାଙ୍ଗିବାର ଭୟ ଅନେକଙ୍କୁ ଘାରିଛି । ହେଲେ କହୁକଷ୍ଟ ସ୍ୱିକାର କରି ଖଣି ଅଞ୍ଚଳରେ ଶ୍ରମିକ ସଂଗଠନକୁ ଠିଆ କରିବାରେ ସମର୍ଥ ହୋଇଥିବା ଶ୍ରୀ ଘଡ଼ାଇ ବିଜେପିର ଉଦ୍ୟମକୁ କିଭଳି ଭାବେ ପରାହତ କରୁଛନ୍ତି, ତାହା ଦେଖିବାର ଅଛି ।