ସନ୍ଥ ଅରକ୍ଷିତଙ୍କ ସାଧନା ପୀଠ

ଭାରତବର୍ଷ ହେଉଛି ସାଧୁସନ୍ଥ, ସନ୍ନ୍ୟାସୀମାନଙ୍କର ଦେଶ, ଯେଉଁ ପବିତ୍ର ମାଟିରେ ଅନେକ ଗୁଡିଏ ମଠ, ମନ୍ଦିର, ଆଧ୍ୟାତ୍ମିକପୀଠ ରହିଛି  । ଏହିଠାରେ ମହାଭାରତ, ରାମାୟଣ, ଶ୍ରୀମଦଭାଗବତ, ଗୀତା, ବେଦ, ମାଳିକାର ସୃଷ୍ଟି  । ଅନେକ ମହାପୁରୁଷମାନଙ୍କର ଜନ୍ମ ଏହିଠାରେ  । ବହୁକବି, ଲେଖକ, ନାଟ୍ୟକାର, ବୈଜ୍ଞାନିକ, ଦାର୍ଶନିକମାନଙ୍କର ଜନ୍ମ ଏହି ପୁଣ୍ୟ ଭୂଇଁରେ  । ବହୁ ପାହାଡ଼, ଜଙ୍ଗଲ, ପ୍ରାକୃତିକ ସଂପଦରେ ଭରପୁର ଆମ ଭାରତବର୍ଷ  । ତନ୍ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଖୁବ୍ ମହାନ  ।  ଏହି ପବିତ୍ର ଭୂମିରେ ଜନ୍ମ ନେଇଥିଲେ ସନ୍ଥ ଅରକ୍ଷିତ ଯିଏକି ଥିଲେ ଜଣେ ସନ୍ନ୍ୟାସୀ, ତପସ୍ୱୀ, ଋଷିପ୍ରତିମ ମୁନି  । ତାଙ୍କର ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାର ବଡ଼ଖେମଣ୍ଡୀର ବିଜୟନଗର ଗଡ଼ରେ । ତାଙ୍କ ଜନ୍ମ ମସିହା ସଠିକ୍ ନହେଲେ ମଧ୍ୟ ୧୭୮୦ ମସିହାରୁ ୧୭୮୮ ମସିହା ମଧ୍ୟରେ ହୋଇଥିବାରୁ ଅନୁମାନ କରାଯାଏ  । ଅରକ୍ଷିତ ତାଙ୍କର ପ୍ରକୃତ ନାମ ନୁହେଁ  । ପିତୃତ୍ୱରୁ ଓ ଜନ୍ମ ଜାତକର ନାମ ହେଉଛି ବଳଭଦ୍ର ଦେବ  । ସେ ଜଣେ ରାଜପୁତ୍ର ଥିଲେ  ।  ତାଙ୍କ ପିତା ଥିଲେ ବଡଖେମଣ୍ଡୀ ରାଜ୍ୟର ରାଜା ପଦ୍ମନାଭ ଦେବ ଓରଫ ମଣିଦେବ  । ପିତାଙ୍କର ଏକମାତ୍ର ସନ୍ତାନ ଥିଳେ ଯୁବରାଜ  ବଳଭଦ୍ର ଦେବ  । ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲା ପରିପ୍ରେକ୍ଷୀରେ ସେମାନଙ୍କର ଦୃଷ୍ଟି ପଡିଲା, ରାଜା ପଦ୍ମନାଭ ଦେବଙ୍କ ଉପରେ  ।  ତାଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ସେମାନେ ଇଂରେଜ ସୈନ୍ୟମାନଙ୍କ ଦ୍ୱାରା ରାଜା ପଦ୍ମନାଭ ଦେବଙ୍କୁ ବନ୍ଦୀ କଲେ  । ବନ୍ଦୀ ଅବସ୍ଥାରେ ତାଙ୍କର ମୃତୁ୍ୟ ହେଲା  । ରାଜପୁତ୍ର ବଳଭଦ୍ର ଦେବ, ସେଦିନ ସର୍ବପ୍ରଥମେ ଦିଗପହଣ୍ଡି କଚେରି ଘରୁ ନିଜର ରାଜପୋଷାକରୁ କପଡାଟିଏ ଚିରି ସେଇଠୁ ସନ୍ନ୍ୟାସ ବ୍ରତ ଆରମ୍ଭ କରିଥିଲେ  ।
୧୮୩୦ ମସିହାରେ ରାଜା ବଳଭଦ୍ର ଦେବ ସନ୍ନ୍ୟାସୀ ହୋଇ ଯାଜପୁର ଜିଲ୍ଲାର ଓଳାଶୁଣୀ ପାହାଡକୁ ଆସିଥିଲେ  । ସେ ତାଙ୍କର ଜୀବନକାଳ ମଧ୍ୟରେ କାହାକୁ ଶିଷ୍ୟ ହିସାବରେ ଗ୍ରହଣ କରିନଥିଲେ  । ରାଜା ବଳଭଦ୍ର ଦେବ ନିଜ ରାଜପୋଷାକକୁ ପରିତ୍ୟାଗ କରି ସନ୍ନ୍ୟାସୀ ହେବାପରେ ରାଜପ୍ରସାଦ ସନ୍ନିକଟ ଦିଗପହଣ୍ଡି କଚେରୀ ଘରେ କିଛିଦିନ ପାଇଁ ରହିଥିଲେ  । ସେହି ସମୟରେ କିଛି ନବାଗତ ଅତିଥିଙ୍କୁ ସକ୍ରାର କରିବା ପାଇଁ ନିକଟବର୍ତ୍ତୀ ଜଣେ ବିଧବା ବ୍ରାହ୍ମଣୀ ବାଡିକୁ ରାଜପୁତ୍ର ଗଲେ କଦଳୀପତ୍ର ଆଣିବା ପାଇଁ  । ରାତିରେ ପଶି କଦଳୀ ପତ୍ର କାଟୁଥିବା ସମୟରେ ବ୍ରାହ୍ମଣୀବୁଢୀ ଦେଖି କହି ଉଠିଲା କିଏ ଗୋଟେ ‘ଅରକ୍ଷିତ’ ଟା ମୋ ବାଡିରେ ପଶି କଦଳୀପତ୍ର କାଟୁଛି  । ସେଇଦିନ ଠାରୁ ରାଜା ବଳଭଦ୍ର ଦେବ ନାମଟି ଧୀରେ ଧୀରେ ଲୋପ ପାଇ ‘ଅରକ୍ଷିତ’ ନାମରେ ସବୁଠାରେ ପରିଚିତ ହେଲା  ।  ମହାପୁରୁଷ ସନ୍ଥ ଅରକ୍ଷିତ ଫେରିଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କଲେ  । ପ୍ରହରୀମାନଙ୍କୁ ନିଦେ୍ର୍ଦଶ ମିଳିଲା, ତାଙ୍କୁ ଭିତରକୁ ଛାଡିଦିଅ  । ଓଡାଶୁଣୀ ପୀଠର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଓଳାଶୁଣୀ ଦେବୀ  । ସନ୍ଥ ଅରକ୍ଷିତ ହେଉଛନ୍ତି ନିରାକାର ଧର୍ମୀ  । ପାହାଡ ଉପରକୁ ଯିବା ପାଇଁ ରାସ୍ତା ରହିଛି  । ଏହା ଓଳାଶୁଣୀ ଗୁମ୍ଫା ନାମରେ ପରିଚିତ  । ୧୮୩୭ ମସିହାରେ ସନ୍ଥ ଅରକ୍ଷିତ ମାଘମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଇଚ୍ଛାମୃତ ଜୀବନ୍ତ ସମାଧି ନେଇଥିଲେ  । ଏଠାକାର ମୁଖ୍ୟଭୋଗ ପୋଡପୀଠା ଓ ଶୁଖୁଆ ଭଜା  । ସନ୍ଥ ଅରକ୍ଷିତ ଦାସଙ୍କ ଯଶକୀର୍ତ୍ତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ସେହି ତିଥିରେ ଓଳାଶୁଣୀ ପୀଠରେ ସପ୍ତାହବ୍ୟାପୀ ଓଳାଶୁଣି ଗୁମ୍ପା ମହୋତ୍ସବ ପାଳନ କରାଯାଏ  ।
ବିଜୟ କୁମାର ସାହୁ,ସାହାସପୁର, ମାହାଙ୍ଗା, କଟକ