ସମାଜସେବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ; ମାରଣାସ୍ତ୍ର ସହ ବାଇକ ଜବତ
ଭୁବନେଶ୍ୱର, ୬ା୧୧ : ସମାଜସେବୀ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଏୟାରଫିଲ୍ଡ ଥାନା ପୁଲିସ ବୁଧବାର ମୁଖ୍ୟ କାର୍ପଟଦାରଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ସହ ଦୁଇଟି ସ୍ପିଡ଼ ବାଇକ ଜବତ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ପଲାସପଲ୍ଲୀ ଅଞ୍ଚଳର ଦେବାଶିଷ ନାୟକ ଓରଫ ସାଲୁ, ସଞ୍ଜୟ ବାରିକ ଓରଫ ସଞ୍ଜୁ,ପ୍ରମୋଦ ମହାପାତ୍ର ଓରଫ ଗଣେଷ ଓ ବିକି ନାୟକ । ଗିରଫ ଗଣେଷ ହେଉଛି ଏହି ମାମଲାର ମୁଖ୍ୟ କାର୍ପଟଦାର ବୋଲି ଡିସିପି ସ୍ପଷ୍ଟ କରିଛନ୍ତି ।
ସୂଚନା ଅନୁଯାୟୀ, ୨ ମାସ ତଳେ ବାଲିଅନ୍ତା ଥାନା ଅଞ୍ଚଳରେ ଅଭିଯୁକ୍ତ ଗଣେଷଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ବାଲିଅନ୍ତା ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଗଣେଷଙ୍କୁ ସମାଜସେବୀ ଶିବ ହିଁ ଗୁଣ୍ଡାଙ୍କୁ ଲଗାଇ ଆକ୍ରମଣ କରିଥିବା ନେଇ ଏକ ଧାରଣା ମୁଖ୍ୟ କାର୍ପଟଦାରଙ୍କ ମନରେ ରହିଥିଲା । ତେଣୁ ସେ ଏହାକୁ ଢ଼ାଲ କରି ସମାଜସେବୀ ଶିବଙ୍କୁ ଜୀବନରୁ ହତ୍ୟା କରିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିବା ସହ ଘଟଣାଦିନ ରାତିରେ ୫ ଜଣ ଯୁବକ ଦୁଇଟି ସ୍ପିଡ଼ ବାଇକରେ ଆସି ଶିବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମାମଲାରେ ବର୍ତ୍ତମାନ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆହୁରି ୪ ଜଣଙ୍କ ସମ୍ପୃକ୍ତ ଥିବା ପୁଲିସ ତାହାର ତଦନ୍ତରେ ଜାଣିବାକୁ ପାଇଥିବା ବେଳେ, ଖୁବଶ୍ରୀଘ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି ମାମଲାରେ ସ୍ପେଶାଲ ସ୍କାର୍ଡର ମଧ୍ୟ ସହାୟତା ନିଆଯାଇଥିବା ଡିସିପି କହିଥିଲେ ।