ସମୁଦ୍ର ବେଳାଭୂମିରେ ମହୋତ୍ସବ

ପାରାଦୀପ: ମହାବିଷୁବ ସଂକ୍ରାନ୍ତି ତଥା ଓ ଓଡିଆ ନବ ବର୍ଷ  ପରିପ୍ରେକ୍ଷୀରେ ପାରାଦୀପ ପୌର ପରିଷଦ ପକ୍ଷରୁ ସମୁଦ୍ର ବେଳା ଭୂମିରେ ଦୁଇ ଦିନ ଧରି ଆୟୋଜିତ ଉତ୍ସବ ଆଜି ଉଦ୍ୟାପିତ ହୋଇଛି  । ରବିବାର ଉଦ୍ଘାଟନୀ ଦିବସରେ ସମୁଦ୍ର ବେଳାଭୂମି ସଫେଇ, ଅପରାହ୍ନରେ ପାରମ୍ପରିକ ବାଦ୍ୟ ଢ଼ୋଲ୍, ମହୁରୀ, ତେଲିଙ୍ଗି ବାଜା, ଖୋଳ, ଝାଞ୍ଜ, ସଂକୀର୍ତ୍ତନ ସହିତ ବୈଦିକ ପୂଜାର୍ଚ୍ଚନା, ସନ୍ଧ୍ୟା ୫ଟା ଠାରୁ ପାରମ୍ପରିକ ଖାଦ୍ୟ ପ୍ରତି ଯୋଗିତାରେ ପୋଡ ପିଠା, ଆରିସା ପିଠା, ବାମ୍ଫ ମଣ୍ଡା ପିଠା, ମାଣ୍ଡିଆ ପିଠା, ଆରିସା ପିଠା, କାକରା, ଦହି ବରା - ଆଳୁ ଦମ, ଚକୁଳି, ବାଡ଼ିଆ ଡାଲମା, ବରା ଆଳୁ ଦମ, ମୁଢି ଖାସି ମାସ, ଚକୁଳି ଖାସି ମାଂସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ସେହିଭଳି ସନ୍ଧ୍ୟା ୭ତା ଠାରୁ ଓଡ଼ିଶୀ, ସମ୍ବଲପୁରୀ ଓ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ଦ୍ୱିତୀୟ ତଥା ଉଦଯାପନୀ ଦିବସର ସନ୍ଧ୍ୟା ୪ଟାରେ ହୁଳହୁଳି, ଝୋଟି, ମୁରୁଜ, ଶଙ୍ଖ ଧ୍ୱନି ପ୍ରତିଯୋଗିତା, ସଂନ୍ଧ୍ୟା ୫ଟାରେ କବିତା ପାଠ ଉତ୍ସବ ଓ ସାହିତ୍ୟ ଆଲୋଚନା, ସଂନ୍ଧ୍ୟା ୬ଟାରେ  ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଡ. ସନ୍ତୋସ ସାମଲ, ଏସିଇ କମର୍ସିଆଲ ପାରାଦୀପ ଶାଖା ପରିଚାଳକ ଅକ୍ଷୟ ସୂତାର, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମୃତି ସ୍ୱାଇଁ, ପୌର ପରିଷଦ ସୁବ୍ରତ ପ୍ରଧାନ, କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ପ୍ରମୁଖ  ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ  । ସାଂସ୍କୃତିକ ଓ ପୁରସ୍କାର ବିତରଣ ଉତ୍ସବ ପରେ ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, ଓଡ଼ିଆ ଭକ୍ତି ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା  । କ୍ରମାଗତ ଦୁଇ ଦିନ ସରକାରୀ ଛୁଟି ଦିବସ ଥିବାରୁ ପ୍ରତ୍ୟେକ ସଂନ୍ଧ୍ୟାରେ ସମୁଦ୍ର ବେଳା ଭୂମୀ ଜନ ସମୁଦ୍ର ପାଲଟି ଥିବା ଦେଖିବାକୁ ମିଳିଥିଲା  । ତେବେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଦିଗରେ ପାରାଦୀପପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ  ପ୍ରଶସା  କରାଯାଇଛି  ।