ସରକାରୀ ଅନୁଦାନର ହେଉନାହିଁ ତଦନ୍ତ ଭୁଶୁଡିଲାଣି ଶିକ୍ଷା ବ୍ୟବସ୍ଥା, ଚିନ୍ତାରେ ଅଭିଭାବକ
ାା ପ୍ରଭାନୁ୍ୟଜ ।ା ଯାଜପୁର,: ଦୀର୍ଘ ୨୪ବର୍ଷର ବିଜେଡି ଶାସନରେ ଦୁର୍ନୀତି ସୀମା ଟପିଥିଲା ବେଳେ ଉଚ୍ଚଶିକ୍ଷା ବିଭାଗରେ ମଧ୍ୟ ବ୍ୟାପିଯାଇଛି ଦୁର୍ନୀତି । ଯୋଜନା ବଦ୍ଧ ଭାବେ ବିପୁଳ ସରକାରୀ ଅନୁଦାନ ଲୁଟ ହେଉଥିଲା ବେଳେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଲାଣି । ଜିଲାରେ ଥିବା ବିଭିନ୍ନ କଲେଜ ମାନଙ୍କରେ ଦୁର୍ନୀତି ସୀମା ଟପିଛି । ଦୀର୍ଘ ବର୍ଷର ନିରଙ୍କୁଶ ଶାସନର ଫାଇଦା ଦେଇ ବିଭିନ୍ନ ସରକାରୀ ଓ ଅନୁଦାନ ପ୍ରାପ୍ତ ସରକାରୀ ମହା ବିଦ୍ୟାଳୟକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ବେଶ ଚଞ୍ଚକତା ସହିତ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । କଲେଜର ଅଧ୍ୟକ୍ଷଙ୍କ ସହିତ ଅଧ୍ୟାପକ ଓ କର୍ମଚାରୀ ମିଳିତ ହୋଇ ଏହି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି । ବିଗତ ବର୍ଷ ମାନଙ୍କରେ ସ୍ଥାନୀୟ ବିଧାୟକ ଓ ବିଜେଡି ନେତୃତ୍ୱକୁ ହାତ ବାରିସୀ କରି ଏହି ଲୁଟ କରାଯାଇଛି । ବିଭିନ୍ନ କଲେଜକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ୟୁଜିସି ଅନୁଦାନ ଲୁଟ ହୋଇଛି ବୋଲି ଅଭିଯୋଗ ହୋଇଛି । ୟୁଜିସି ପକ୍ଷରୁ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରାଂଶ ଓ ବହି କିଣିବା ପାଇଁ ଅନୁଦାନ ଆସିଥାଏ । ହେଲେ ବିଭିନ୍ନ କଲେଜରେ ଏହି ଅର୍ଥକୁ ସଠିକ ଢଙ୍ଗରେ ବିନିଯୋଗ କରା ନଯାଇ ଯୋଜନା ବଦ୍ଧ ଭାବେ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଗୋଟିଏ ଗୋଟିଏ ଗୃହକୁ ବାରମ୍ବାର ଦର୍ଶାଇ ବିଲ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ରହିଛି । ଦୀର୍ଘ ବର୍ଷ ହେଲା ଏହିଭଳି ହଡ଼ପ ଅଭିଯୋଗ ହେଉଥିଲା ବେଳେ ବିଭିନ୍ନ କଲେଜର ବହୁ ଅଧ୍ୟକ୍ଷ ବଦଳି ହେବା ସହିତ ଅବସର ମଧ୍ୟ ନେଇ ସାରିଲେଣି । ହେଲେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଠିକ ତଦନ୍ତ ହେଉ ନଥିବାରୁ ଏନେଇ କାହାର ସାମାନ୍ୟ ତମ ଭୟ ମଧ୍ୟ ନାହିଁ । ୟୁଜିସିକୁ ବାଦ ଦେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତି ଶିକ୍ଷା ବର୍ଷରେ କଲେଜ ମାନଙ୍କୁ ବିଭିନ୍ନ ଅନୁଦାନ ପ୍ରଦାନ କରାଯାଉଛି । ଯାହାର ସଠିକ ବିନିଯୋଗ ମଧ୍ୟ ହେଉନଥିବା ଅଭିଯୋଗ ହୋଇଛି । କାଗଜପତ୍ରରେ ବିନିଯୋଗ ପ୍ରମାଣ ପତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଛି । କଲେଜ ମାନଙ୍କରେ ଥିବା ବିଭିନ୍ନ କମିଟିରେ ଅଧ୍ୟକ୍ଷ ମାନେ ନିଜନିଜ ବୋଲକରା ଅଧ୍ୟାପକ ଓ କର୍ମଚାରୀଙ୍କୁ ରଖି ସରକାରୀ ଅର୍ଥର ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଏମିତିକି କିଛି କଲେଜରେ ପରିଚାଳନା କମିଟି ଅଧିନରେ ଚାକିରୀ କରିଥିବା କର୍ମଚାରୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ପାଇଛନ୍ତି । ପୂର୍ବରୁ ଉପ ଜିଲାପାଳ ପରିଚାଳନା କମିଟିର ସଭାପତି ଥିଲା ବେଳେ ଏବେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ପ୍ରାୟ ଏକ ବର୍ଷ ତଳୁ ଗଠନ ହୋଇଥିବା କମିଟିରେ ସ୍ଥାନୀୟ ବିଧାୟକ ଓ ବିଧାୟିକାଙ୍କ ମନୋନୀତ ପ୍ରତିନିଧି ସ୍ଥାନ ପାଇଥିଲେ । ଫଳରେ ସେମାନେ ଏନେଇ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିଲେ । ନିର୍ବାଚନ ପୂର୍ବରୁ ବିଜଦ ସରକାର ନୂଆ ଓଡ଼ିଶା, ଯୁବ ଓଡ଼ିଶା ନାମରେ ବିଭିନ୍ନ କଲେଜକୁ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ବେଳେ ଏଥିରେ ମଧ୍ୟ ଚଞ୍ଚକତା କରି ବିପୁଳ ଅର୍ଥ ବାଟ ମାରଣା କରାଯାଇଥିବା ଅଭିଯୋଗ ବହୁ ପୁରୁଣା । ଏହାର ସଠିକ ଯାଞ୍ଚ କଲେ ସତ ପଦାକୁ ଆସିବ ବୋଲି ଅବିଭାବକ ମହଲ ଦାବି କରିଛନ୍ତି । ଅପରପକ୍ଷେ କଲେଜର ଶୈକ୍ଷିକ ବାତା୍ୱରଣ ଉପରେ ଅଧ୍ୟକ୍ଷ କିମ୍ବା ଅଧ୍ୟାପକ ଅଧ୍ୟାପିକା ଗୁରୁତ୍ୱ ଦେଉ ନଥିବା ଅଭିଯୋଗ କରିଛନ୍ତି ଅବିଭାବକ । ଫଳରେ କଲେଜ ମାନଙ୍କରେ ଶିକ୍ଷାର ମାନ ଦ୍ରୁତ ହ୍ରାସ ପାଉଛି । ବିଶେଷ କରି ଗ୍ରାମାଞ୍ଚଳରେ ଥିବା କଲେଜରେ ଶିକ୍ଷାର ମାନ ଦୃତ ହ୍ରାସ ପାଉଛି । ଯାହା ପରୀକ୍ଷାରେ ପ୍ରକାଶିତ ଫଳକୁ ନଜର ଦେଲେ ବୁଝିହେବ । ନୂତନ ସରକାର ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ମାନଙ୍କୁ ବିଗତ ବର୍ଷ ମାନଙ୍କରେ କେତେ ସରକାରୀ ଅନୁଦାନ ଆସିଛି ଓ ଏହାର କିଭଳି ବିନିଯୋଗ ହୋଇଛି ତାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।