ସାବିତ୍ରୀ ପୂଜା : ମା’ ବିରଜା ଓ ଦଶରଥପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁ

 ଯାଜପୁର ଟାଉନ  : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବସ୍ୟା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଭିଡ ଦେଖିବାକୁ ମିଳିଛି ।  ସୋମବାର ପ୍ରତୁ୍ୟଷରୁ ମା’ ବିରଜାଙ୍କ ମନ୍ଦିରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିବା ଦେଖିବାକୁ ମିଳିଛି । ଶଙ୍ଖା, ସିନ୍ଦୂର, ବସ୍ତ୍ର ଓ ଭୋଗ ଇତ୍ୟାଦି ଲାଗି କରି ବ୍ରତଧାରୀ ମହିଳା ଅତି ଉକ୍ରଣ୍ଠାର ସହ ମା’ଙ୍କ ଦର୍ଶନ କରିଛନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିବା ସହ ଅହିସୁଲକ୍ଷଣୀ ହେବାର ସୌଭାଗ୍ୟ କାମନା କରିଛନ୍ତି । ପ୍ରତୁ୍ୟଷରୁ ମା’ଙ୍କର ନୀତିକାନ୍ତି ଆରମ୍ଭ କରାଯାଇ ମା’ଙ୍କ ସାବିତ୍ରୀ ବେଶ କରାଯାଇଥିଲା । ସାବିତ୍ରୀ ବେଶରେ ମା’ ବିରଜା ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଥାନା ଅଧିକାରୀ ଦାୟିତ୍ୱରେ ଥିବା  ଡିଏସ୍ପି ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତାୟନ କରାଯିବା ସହ ମନ୍ଦିର ଭିତରେ ସାଧା ପୋଷାକରେ ପୁଲିସ ମୁତୟନ କରାଯାଇଥିଲା । ସେହିପରି ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଦଶାଶ୍ୱମେଧ ଘାଟ ନିକଟସ୍ଥ ସାବିତ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସଧବା ନାରୀ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ସ୍ୱାମୀଙ୍କ ଦୀର୍ଘାୟୁ ତଥା ପରିବାରର ଶୁଭ ମଙ୍ଗଳ କାମନା କରିଥିଲେ । ଅନ୍ୟ ପକ୍ଷରେ ପ୍ରଭୁ ବରାହନାଥଙ୍କ ପୀଠରେ ଶ୍ରଦ୍ଧାଳୁ ଭକ୍ତ ସାବିତ୍ରୀ ବ୍ରତ ପାଳନ କରିଥିଲେ । ବିିଭିନ୍ନ ଦେବୀ ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କର ଭିଡ଼ ଲାଗି ରହିିବା ସହ ସଧବା ନାରୀ ସାବିତ୍ରୀ ବତ୍ର ପାଳନ କରିଥିଲେ । ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି ମା’ ବିରଜା ମନ୍ଦିର ପରିସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳସେବା କରାଯାଇଥିଲା ।   
ଦଶରଥପୁର : ବ୍ରତ ପାଇଁ ବିଭିନ୍ନ ମନ୍ଦିରରେ ସାବିତ୍ରୀଙ୍କ ଭିଡ଼ ଜମିଥିଲା । ବିରିପଟା, ବରେଇ, ଜାଫରପୁର, ପାଲଟପୁର, ନିଜାମପୁର, କଁୟା, ମଲ୍ଲିପୁର ଆଦି ଅଞ୍ଚଳର ବିବାହିତ  ଲଷ୍ମୀନାରାୟଣଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଗ୍ରାମ ନିକଟସ୍ଥ ବିଭିନ୍ନ ମନ୍ଦିର ପହଁଚି ବ୍ରତ ମାଧ୍ୟମରେ ସ୍ୱାମୀଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରିଥିଲେ । ମଲ୍ଲିପୁର ଠାରେ ଜୟଚଣ୍ଡୀ ପୀଠଠାରେ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଚନ୍ଦନ ଶ୍ରୀକ୍ଷେତ୍ର ନାରୀଗାଁରେ ଲଷ୍ମୀଙ୍କ ମନ୍ଦିରରେ ବ୍ରତ ଧାରିଣୀ ମାନେ ନୂଆଶାଢୀ, ଶଙ୍ଖା, ସିନ୍ଦୁର, ବିଭିନ୍ନ ଫଳମୂଳ ଧରି ମା ଲଷ୍ମୀଙ୍କ ପାଖରେ ସମାଗମ ହୋଇ ପୂଜାର୍ଚ୍ଚନା କରିଥିଲେ ।