ସାବିତ୍ରୀ ମହାତ୍ମ୍ୟ


ଭାରତୀୟ ସଂସ୍କୃତିରେ ସାବିିତ୍ରୀ ବ୍ରତର ଯଥେଷ୍ଟ ମହାତ୍ମ୍ୟ ରହିଛି  । ଓଡ଼ିଆଣୀ ବୋହୂମାନେ ପତିଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାଆନ୍ତି  । ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ବ୍ରତରେ ଦେବୀ ସାବିତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ  । ପୂଜାରେ ଦେବୀ ସାବିତ୍ରୀଙ୍କୁ ୯ ପ୍ରକାରର ଫଳ ଏବଂ ୯ ପ୍ରକାରର ଫୁଲ ଅର୍ପଣ କରାଯାଇଥାଏ  । ମଦ୍ର ଦେଶର ରାଜା ଅଶ୍ୱପତି ଦୀର୍ଘ ଦିନ ଧରି ନିଃସନ୍ତାନ ଥିଲେ  । ସନ୍ତାନପ୍ରାପ୍ତି ପାଇଁ ସେ ସୂର୍ଯ୍ୟ ଦେବ ସବିତ୍ରଙ୍କ ତପସ୍ୟା କଲେ  । ସବିତ୍ରଙ୍କ କୃପାରୁ ଆଶ୍ୱପତି ଖୁବ୍ଶୀଘ୍ର ଏକ କନ୍ୟାର ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ  । ଦେବୀ ସାବିତ୍ରୀ ରୂପବତୀ ଏବଂ ଗୁଣବତୀ ଥିଲେ  । ସେ ଥିଲେ ଜଣେ ପବିତ୍ର ନାରୀ  । ବିବାହ ବୟସ ଉପନୀତ ହେବା କ୍ଷତି ସାବିତ୍ରୀଙ୍କ ବିବାହ ପାଇଁ କୌଣସି ପ୍ରସ୍ତାବ ଆସିନଥିଲା  । ଏଣୁ ରାଜା ଅଶ୍ୱପତି ନିଜ ଇଛାରେ ପତି ବରଣ କରିବାକୁ ସାବିତ୍ରୀଙ୍କୁ ଛାଡ଼ିଦେଲେ  । ପତି ସନ୍ଧାନରେ ସାବିତ୍ରୀ ତୀର୍ଥ ଭ୍ରମଣରେ ବାହାରିଥିବା ସାବିତ୍ରୀଙ୍କର ଅନ୍ଧରାଜା ଦୁ୍ୟମତସେନଙ୍କ ପୁତ୍ର ସତ୍ୟବାନଙ୍କ ସହ ଦେଖାହେଲା  । ସତ୍ୟବାନଙ୍କ ଗୁଣରେ ସାବିତ୍ରୀ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ  । ସତ୍ୟବାନଙ୍କ କ୍ଷୀଣ ଆୟୁ ସମ୍ପର୍କରେ ନାରଦ ମୁନିଙ୍କ ଭବିଷ୍ୟବାଣୀ ସତ୍ତ୍ୱେ ସାବିତ୍ରୀ ତାଙ୍କୁ ବିବାହ କଲେ  । ଜଙ୍ଗଲରେ ପିତାମାତାଙ୍କ ସହ ନିର୍ବାସିତ ଭାବେ ରହୁଥିବା ସତ୍ୟବାନ ସହ ସାବିତ୍ରୀ କିଛି ଦିନ ବିତାଇବା ପରେ ଏକ ଅଘଟଣ ଘଟିଲା  । ଦିନେ ଜଙ୍ଗଲରୁ କାଠ କାଟିବା ବେଳେ ଗଛରୁ ଖସିପଡ଼ି ସତ୍ୟବାନଙ୍କ ପ୍ରାଣହାନି ଘଟିଲା  । ବିଳମ୍ବିତ ସମୟ ପର୍ଯ୍ୟନ୍ତ ସତ୍ୟବାନ ନଫେରିବା ଦେଖି ସାବିତ୍ରୀ ଜଙ୍ଗଲକୁ ଧାଇଁଗଲେ  । ସେଠାରେ ସେ ଦେଖିଲେ ଯେ ସତ୍ୟବାନଙ୍କ ଆତ୍ମାକୁ ନେଇ ଯିବା ଲାଗି ଯମରାଜ ଉପନୀତ  । ଯମ ସତ୍ୟବାନଙ୍କ ଆତ୍ମା ନେଇଯିବା ସମୟରେ ସାବିତ୍ରୀ ତାଙ୍କ ପଛେ ପଛେ ଧାଇଁଗଲେ  । ସମସ୍ତ ପ୍ରଶ୍ନ ଉତ୍ତର ଦେବା ପରେ ଯମରାଜ ସାବିତ୍ରୀଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ବ୍ୟତୀତ କିିଛି ବର ମାଗିବାକୁ ପ୍ରସ୍ତାବ ଦେଲେ  । ଶ୍ୱଶୁରଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବା ସହ ତାଙ୍କୁ ତାଙ୍କ ରାଜ୍ୟ ଫେରାଇଦେବା ଲାଗି ଯମରାଜଙ୍କୁ ନିବେଦନ କଲେ ଦେବୀ ସାବିତ୍ରୀ  । ଯମରାଜ ତଥାସ୍ତୁ କହିଲେ  । ଦ୍ୱିତୀୟ ବରଭାବେ ସତ୍ୟବାନଙ୍କ ଔରସରୁ ତାଙ୍କର ଏକ ଶତ ପୁତ୍ର ହେଉ ବୋଲି ସାବିତ୍ରୀ ବର ମାଗିବାରୁ ଯମରାଜ ଦ୍ୱନ୍ଦ୍ୱରେ ପଡ଼ିଲେ  । ଶେଷରେ ବାଧ୍ୟ ହୋଇ ସତ୍ୟବାନଙ୍କୁ ଜୀବନ ଦାନ ଦେଇ ଯମରାଜ ଫେରିଗଲେ  । ସେହିଦିନ ଠାରୁ ଦେବୀ ସାବିତ୍ରୀଙ୍କ ପବିତ୍ର ଗାଥା ସମସ୍ତ ସଂସାର ପାଇଁ ପତିବ୍ରତା ନାରୀତ୍ୱର ଏକ ଉଦାହରଣ ପାଲଟିଗଲା  । 
ଅପର୍ଣ୍ଣା ନାୟକ,ନୂଆଦିଲ୍ଲୀ