ସାମାନ୍ୟତମ ଦାୟିତ୍ୱ ତୁଲାଇବାରେ ବିଫଳ ପୌର ପ୍ରଶାସନ ଝିପିଝିପି ବର୍ଷାରେ ବ୍ୟାସନଗର ରାସ୍ତା ଶୋଚନୀୟ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଯାଜପୁର ଜିଲାର ଦୁଇ ଗୋଟି ପୈାରାଞ୍ଚଳ ମଧ୍ୟରୁ ବ୍ୟାସନଗର ଅନ୍ୟତମ । କଳିଙ୍ଗନଗର ଶିଳ୍ପାଞ୍ଚଳ ଦ୍ୱାରଦେଶରେ ଅବସ୍ଥିତ ବ୍ୟାସନଗର ପୌରପରିଷଦ ବିଗତବର୍ଷରେ ଏକାଧିକ ଥର ପୁରସ୍କୃତ ହୋଇଛି ।
ଲକ୍ଷାଧିକ ଲୋକ ବସତିସ୍ଥାପନ କରୁଥିବା ବ୍ୟାସନଗର ପୌରପରିଷଦ ବିଜୁ ଜନତା ଦଳ ଅକ୍ତିଆରଧିନ । ବିଜେଡ଼ି ଅଧ୍ୟକ୍ଷା ସାଙ୍ଗକୁ ୨୬ ପାରିଷଦ ମଧ୍ୟରୁ ବିଜୁ ଜନତା ଦଳ ରହିଛନ୍ତି ୧୫ ପାରିଷଦ । ପୌର ନିର୍ବାଚନ ପରେ ୩ଜଣ ସ୍ୱାଧୀନ ପାରିଷଦ ବିଜେଡ଼ିକୁ ଆଉଜି ଯାଇଥିବା ବେଳେ ବିଧାନସଭା ନିର୍ବାଚନରେ ଦୁଇ ବିଜେପି ପାରିଷଦ ବିଜେଡ଼ି ହାତଧରିଥିଲେ । ସଂଖ୍ୟା ଗରିଷ୍ଠ ୨୦ ପାରିଷଦ ଥିବା ବିଜୁ ଜନତା ଦଳ କ୍ଷମତାଭୋଗ କରୁଥିଲେ ହେଁ ଜନତାଙ୍କ ସମସ୍ୟା ଦୂର କରିବାରେ ଅସମର୍ଥ । ପୌର କର୍ତ୍ତୃପକ୍ଷ ସାମାନ୍ୟତମ ଦାୟିତ୍ୱ ତୁଲାଇବାକୁ ସମର୍ଥ ହେଉନଥିବା ବେଳେ କଂଗ୍ରେସ କି ବିଜେପି ପାରିଷଦ କିନ୍ତୁ ପାଟି ଖୋଲୁ ନାହାନ୍ତି । ସ୍ୱତନ୍ତ୍ର କ୍ଷମତା ରଖିଥିବା ପରିଷଦର ବେଫିକର ନୀତିରୁ ଝିପିଝିପି ବର୍ଷାରେ ବ୍ୟାସନଗର ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଛି । କୌଣସି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପୂର୍ବ ପ୍ରସ୍ତୁତି କରିଥାନ୍ତି । ହେଲେ ବ୍ୟାସନଗର ପୌର କର୍ତ୍ତୃପକ୍ଷ ଏହା କରିବାକୁ ସାମାନ୍ୟତମ ଇଛା କରିନି । ଯାହା ଫଳରେ ଝିପିଝିପି ବର୍ଷାରେ ପୌର ରାସ୍ତା ଉପରେ ପାଣି ଗୋଇଠି ଉଚରେ ଜମି ରହି ଯାତାୟତରେ ସମସ୍ୟା ସୃଷ୍ଟି କରିଛି । ବର୍ଷା ପୂର୍ବରୁ ଖାଲଖମା ରାସ୍ତାଘାଟକୁ ମରାମତି କରାଯିବା କଥା । କିନ୍ତୁ ପୌର ପ୍ରଶାସନ ଏକ୍ଷେତ୍ରରେ କେଉଁଠିବି ମୋରମ ଗାଣ୍ଡୁଏ ପକାଇନି । ଫଳରେ ବର୍ଷା ପରେ ଖାଲଖମାରେ ପାଣି ଜମି ରହି ବିପଦ ସୃଷ୍ଟି କରିଛି । ବିଭିନ୍ନ ରାସ୍ତାରୁ ବର୍ଷା ଜଳ ନିସ୍କାସନ ପାଇଁ ଡ୍ରେନକୁ ବାଟ କାଟିବାର ଆବଶ୍ୟକତାକୁ ମଧ୍ୟ ପୌର କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି । ଯାହା ଫଳରେ ଭଲ ରାସ୍ତାରୁ ବର୍ଷା ଜଳ ନିସ୍କାସନ ହୋଇନପାରି ଜମି ରହୁଛି । ଯାହା ରାସ୍ତା ନଷ୍ଟ ହେବାର କାରଣ ହେବାକୁ ଯାଉଛି । କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଦୂଆରମୁହଁ, ହେଉ କି ଦଳା-ଶଙ୍ଖଚିଲା ରାସ୍ତା, କି ନହକା-ଚାନ୍ଦମା ରାସ୍ତା, ଦଳାବାଇପାସ୍ ଛକରୁ ଅହମଦନଗର, ବସଷ୍ଟାଣ୍ଡ ବାଇପାସ ଠାରୁ ଆରମ୍ଭ କରି ପୌରାଞ୍ଚଳର ଏକାଧିକ ରାସ୍ତାରେ ପାଣି ଜମି ସମସ୍ୟା ସୃଷ୍ଟି କରୁଛି । ଏସବୁକୁ ଦେଖୁଥିବା ପାରିଷଦ ଏବଂ ପୌର କର୍ତ୍ତୃପକ୍ଷ କିନ୍ତୁ ନଦେଖିଲା ପରି ଅଭିନୟ କରିବାରେ ଲାଗିଛନ୍ତି ।
ବର୍ଷା ଜଳ ନିସ୍କାସନ ହେଉ କି ବର୍ଷା ପୂର୍ବରୁ ଖାଲଖମା ମରାମତି କରିବା ଭଳି ସାମାନ୍ୟତମ ଦାୟିତ୍ୱ ତୁଲାଇବାକୁ ପୌର କର୍ତ୍ତୃପକ୍ଷ ଅସମର୍ଥତାକୁ ସାଧାରଣରେ ନାପସନ୍ଦ କରାଯାଇଛି । ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷାଙ୍କ ଠାରୁ ଆରମ୍ଭ କରି ପାରିଷଦ ସାମାନ୍ୟତମ ଦାୟିତ୍ୱ ତୁଲାଇବାକୁ ସମର୍ଥ ନହେବା ଘଟଣା ସବୁଠି ଆଲୋଚନାର ବିଷୟ ହୋଇଛି । ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଏବଂ କର୍ମୀଙ୍କୁ ଲୋକଙ୍କ ପାଇଁ କାମ କର ବାର୍ତ୍ତା ବ୍ୟାସନଗର ବିଜେଡ଼ି ପାଇଁକିଛି ମାଇନା ରଖେନି ଏକଥା ଜଳ ଜଳ ହେଇ ଦେଖାଯାଉଛି ।