ସାରସ୍ୱତ ସାଧକଙ୍କ ବିୟୋଗ

ସାଲେପୁର:  ସାରସ୍ୱତ ସାଧକ ପ୍ରାବନ୍ଧିକ କବି ଓ ସ୍ତମ୍ଭକାର ରବିନ୍ଦ୍ର ନାୟକ(୮୨)ଙ୍କର ପରଲୋକ ହୋଇଯାଇଛି । ଦୀର୍ଘବର୍ଷ ଧରି ସେ ଅସୁସ୍ଥ ଥିଲେ ମଧ୍ୟ ସେ ସାରସ୍ୱତ ସାଧନାରୁ କେବେ ବିରତ ହୋଇନଥିଲେ । ସେ ତାଙ୍କ ଜୀବନ କାଳ ମଧ୍ୟରେ ୮ଗୋଟି ପ୍ରବନ୍ଧ, କବିତା ପୁସ୍ତକ ରଚନା କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । କେତେକ ସାପ୍ତାହିକ ପତ୍ରିକାରେ ନିୟମିତ ସ୍ତମ୍ଭ ପରିଚାଳନା କରୁଥିଲେ । ସାରସ୍ୱତ ସମାରୋହ ସମିତି, ମୌସୁମୀ ସାହିତ୍ୟ ସଂସଦ, ମା’ଶାରଳା ଆଧ୍ୟାତ୍ମିକ ଟ୍ରଷ୍ଟ ପ୍ରଭୃତି ବହୁ ଅନୁଷ୍ଠାନର ସେ ସକ୍ରିୟ ତଥା ବରିଷ୍ଠ ସଦସ୍ୟ ଥିଲେ । ରବିବାବୁଙ୍କ ବିୟୋଗରେ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ସଲିଳ ରଂଜନ ନାୟକ ମୁଖାଗ୍ନୀ ଦେଇଥିଲେ । ମୃତ୍ୟଶଯ୍ୟା ନିକଟରେ ପୁତ୍ର ମାନସ ରଂଜନ ନାୟକ, ପତ୍ନୀ, ଝିଅ, ଜ୍ୱାଇଁ, ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ମୌସୁମୀ ସାହିତ୍ୟ ସଂସଦ ପକ୍ଷରୁ ସଂପାଦକ କବି ପ୍ରସନ୍ନ ମିଶ୍ର, ନିତ୍ୟନୂତନ ସଂପାଦକ ପଣ୍ଡିତ ଡଃ ପ୍ରବୋଧ ଚନ୍ଦ୍ର ମିଶ୍ର, କବି ନିମାଇଁ ଚରଣ ଦାସ, କବି ସଚ୍ଚିଦାନନ୍ଦ ମିଶ୍ର, ଗୋଲଖ ଚନ୍ଦ୍ର ପଣ୍ଡା ପ୍ରମୁଖ ସ୍ୱର୍ଗତ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଆତ୍ମାର ସଦ୍ଗତି କାମନା କରିଛନ୍ତି ।