ସିମ୍ ବକ୍ସ ମାମଲା : ପୁଣି ଦୁଇ ଦିନ ରିମାଣ୍ଡରେ ରାଜୁ ମଣ୍ଡଳ

ସିମ୍ ବକ୍ସ ମାମଲା : ପୁଣି ଦୁଇ ଦିନ ରିମାଣ୍ଡରେ ରାଜୁ ମଣ୍ଡଳ

  • ଭୁବନେଶ୍ୱର, ୨୩ା୮ : ସିମ୍ ବକ୍ସ ମାମଲାରେ ଅଧିକ ଖୋଳତାଡ ପାଇଁ ଅଭିଯୁକ୍ତ ରାଜୁ ମଣ୍ଡଳକୁ ପୁଣି ରିମାଣ୍ଡରେ ନେଇଛି କମିଶନରେଟ ପୁଲିସ । ଦୁଇ ଦିନିଆ ରିମାଣ୍ଡ ଅନୁମତି ମିଳିବା ପରେ ଜେଲରୁ ରାଜୁ ମଣ୍ଡଳକୁ ନିଜ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ପୁଲିସ । ଜେଲରୁ ଆଣିବା ପରେ ରାଜୁକୁ ଥାନାକୁ ଆଣି ପଚରା ଉଚରା କରାଯାଉଥିବା ବେଳେ ପୁଣି ଜେରା କରିପାରେ ଏନଆଇଟି ଟିମ  । ସିମ ବକ୍ସ ମାମଲାରେ ଦ୍ୱିତୀୟ ଥର ପାଇଁ ରାଜୁକୁ ରିମାଣ୍ଡରେ ଆଣିଛି ପୁଲିସ । ୭ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟରେ ଆବେଦନ କରିଥିବାବେଳେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଆସାଦୁର ଜମାନ ବାବଦରେ ଅଧିକ ପଚରା ଉଚରା ହେବା ବାଂଲାଦେଶର ଢାକାରେ ରହି ଆସାଦୁର କିଭଳି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ତାହାର ଖୋଳତାଡ ହେବ । କିଏ ତା ପାଇଁ ପଇସା ଖର୍ଚ୍ଚ କରୁଥିଲା ? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି କି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚୀନ କାହା ପାଖକୁ ଯାଉଥିଲା କଲ ? କଣ ଏହି ସ୍ମାର୍ଟ ସୁଇଚ ? ସିମ ବକ୍ସ ରୁ ଯାଉଥିଲା କି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନଙ୍କୁ କଲ ? ଏ ସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରା ଉଚରା କରାଯିବ । ଗୁରୁବାର ମାଷ୍ଟର ମାଇଣ୍ଡ ଅସାଦୁରର ଫଟୋ ଜାରି କରିଥିଲା କମିଶନରେଟ ପୁଲିସ  । ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଆସାଦୁର । ଫ୍ୟାସନ ଟେକ୍ନୋଲୋଜି ଇନଷ୍ଟିଚୁ୍ୟଟରୁ ପାଠ ପଢ଼ିଥିଲା । ପୁଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲିଙ୍କ ନେଇ ଅଧିକ ଖୋଲତାଡ଼ କରୁଛି ପୁଲିସ । କମିଶନରେଟ ପୁଲିସ ପ୍ରଥମ ଭୁବନେଶ୍ୱରରୁ ଏକ ଭଡା ଘରୁ ସିମ ବକ୍ସ ଜବତ କରିଥିଲା । ଏହି ଘଟଣାରେ ପୁଲିସ ରାଜୁ ମଣ୍ଡଳଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ପଚରା ଉଚରା କରିବାରୁ ସେ କଟକରେ ଓ ରାଞ୍ଚିରେ ବି ସିମ୍ ବକ୍ସ ଲଗାଇଥିବା କହିଥିଲେ । ଏହାପରେ ପୁଲିସ ତାଙ୍କୁ ଧରି ଉଭୟ ସ୍ଥାନରୁ ସିମ୍ ବକ୍ସ ଜବତ କରିଥିଲା ।