ସେଲ୍ଫ ଡ୍ରାଇଭରୁ ଗାଡି ଭଡ଼ା ନେଇ ଅପହରଣ; ଜଣେ ଗିରଫ
ଭୁବନେଶ୍ୱର, ୧୯ା୧୨ : ସେଲ୍ଫ ଡ୍ରାଇଭରୁ ସ୍କର୍ପିଓ ଭଡ଼ା ନେଇ ଜଣେ ବ୍ୟବସାୟୀଙ୍କୁ ଅପହରଣ କରିବା ସହ ବ୍ୟବସାୟୀଙ୍କ ମୁଣ୍ଡ ଜାମିନ ରଖି ୫ ଲକ୍ଷ ଡ଼ିମାଣ୍ଡ । ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ଏହି ସମୟରେ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ବ୍ୟବସାୟୀଙ୍କୁ ଛାଡି ଅଭିଯୁକ୍ତମାନେ ଗାଡି ନେଇ ଫେରାର । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଗଞ୍ଜାମ ଜିଲ୍ଲାର ଆର ଲୋକନାଥ ପାତ୍ର । ତାଠାରୁ ଏକ ଧଳା ରଙ୍ଗର ସ୍କର୍ପିଓ କାର ଜବତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ୪.୩୦ ସମୟରେ ନିମ୍ମୋକ୍ତ ଅଭିଯୁକ୍ତ ଓ ତାର ଦୁଇ ବନ୍ଧୁଙ୍କୁ ନେଇ ରସୁଲଗଡ଼ ଛକ ଅଞ୍ଚଳରେ ଥିବା ଏକ ସେଲ୍ଫ ଡ୍ରାଇଭ କାର ରେଣ୍ଟ ଦୋକାନରୁ ଏକ ସ୍କର୍ପିଓ ଗାଡି ଭଡାରେ ଆଣିଥିଲେ । ପରେ ସେମାନେ ହାଇଟେକ ଛକ ନିକଟରୁ ଅନ୍ୟ ୬ ଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ଜରିପାଟଣାରେ ଥିବା ବାଲିଯାତ୍ରା ପଡ଼ିଆ ନିକଟରୁ ଅଭିଯୋଗକାରିଣୀଙ୍କ ସ୍ୱାମୀ ସନ୍ତୋଷ କୁମାର ପଣ୍ଡାଙ୍କୁ ବଳପୂର୍ବକ ଅପହରଣ କରିନେଇ ଗଣ୍ଡରପୁର ନିକଟସ୍ଥ କୁଆଖାଇ ନଦୀପଠାକୁ ଚାଲିଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ସନ୍ତୋଷଙ୍କୁ ଜୋରଜବରଜସ୍ତ ୫ ଲକ୍ଷ ଟଙ୍କା ଦେବାଲାଗି କହିଥିଲେ । ହେଲେ ଟଙ୍କା ଦେବାକୁ ସନ୍ତୋଷ ମନା କରିଦେଇଥିଲେ । ଯାହାଫଳରେ ଅଭିଯୁକ୍ତମାନେ ଲୁହା ରଡ, ପାଇପରେ ସନ୍ତୋଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ସନ୍ତୋଷ ଚିକ୍ରାର କରିବାରୁ ନିକଟସ୍ଥ ସ୍ଥାନୀୟ ଲୋକେ ପାଟି ଶୁଣି ଦୌଡ଼ି ଆସିବା ଦେଖି ଅଭିଯୁକ୍ତ ମାନେ ସନ୍ତୋଷଙ୍କୁ ସେଠାରେ ଛାଡି ଗାଡି ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଅଭିଯୋଗକାରୀଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ସନ୍ତୋଷଙ୍ପକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ସ୍କର୍ପିଓ କାରକୁ ଜବତ କରିଛି ।