ସ୍କୁଲ ଶୌଚାଳୟ ମରାମତିରେ ଦୁର୍ନୀତିର ଗନ୍ଧ : ଜିଲ୍ଲା ଖଣିଜ ପାଣ୍ଠିକୁ ଖାଇଗଲେ ଯନ୍ତ୍ରୀ ଓ ଠିକାଦାର
କାଳିଆପାଣି : ରାଁଷୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ମରାମତିରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ମାତ୍ର ୨ ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ଶୌଚାଳୟ ମରାମତିର ଧଜ୍ଜିଆ ଉଡିଯାଇଛି । ସ୍କୁଲ ମରାମତିରେ ତ ଯାହା ଦୁର୍ନୀତି ହୋଇଛି ତାହା ସର୍ବ ସାଧାରଣରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ । କାହିଁକି ନା ଏକ ବର୍ଷ ପୂର୍ବେ ମରାମତି ହୋଇଥିବା ଛାତରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖସି ପଡ଼ିବା ଏବଂ ଅଳ୍ପକେ ପିଲାମାନଙ୍କ ଜୀବନ ବଞ୍ଚିଯିବାକୁ ନେଇ ଗତ କିଛିଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ହେଲେ ସ୍କୁଲର ପୁରାତନ ଶୌଚାଳୟର ଅବସ୍ଥା ଦେଖିଲେ ବୁଝିହୁଏ ଯେ ଏହା ବ୍ୟବହାର ଉପଯୋଗୀ ଆଦୌ ନୁହଁ । ସ୍କୁଲ ପିଲାଙ୍କ ବ୍ୟବହାର ନିମନ୍ତେ ଶୌଚାଳୟଟି ଅତି ଅପରିଷ୍କାର, ପରିତ୍ୟକ୍ତ ଆଉ କେହି ଏହାକୁ ଆଦୌ ବ୍ୟବହାର କରୁନଥିବା ଜଣା ପଡୁଛି । ଗତବର୍ଷ ନୂତନ ଶୌଚାଳୟ ଏବଂ ସ୍କୁଲ ଗୃହ ନିର୍ମାଣ ହୋଇ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ତେବେ କଣ ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଶୌଚାଳୟ ବିନା ସ୍କୁଲରେ ଦୀର୍ଘ ସମୟ ଧରି ବସିବା ସମ୍ଭବ? ଉକ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ କହିବା ଅନୁଯାଇ ସେହି ସ୍କୁଲ ପଛପଟେ ଥିବା ପରିତ୍ୟକ୍ତ ଏବଂ ଅସ୍ୱାସ୍ଥ୍ୟକର ପରିବେଷରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଗାଁ ଲୋକଙ୍କ କହିବା କଥା ଯେ ପୁରାତନ ସ୍କୁଲ ଗୃହ ଏବଂ ଶୌଚାଳୟ ମରାମତିରେ ମିଳିମିଶି ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମହା ଘୋଟାଲା କରିଛନ୍ତି । ଯାହାକୁ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି । ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରା ଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।