ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

 ବଲାଙ୍ଗିର : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଗାମୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଏଡିଇଓ ରିନା କୁମାରୀ ବେହେରା, ଏସ୍ଡିଓ ଜନସ୍ୱାସ୍ଥ୍ୟ ବିଭାଗ ଇଂ ରାଜେଶ କୁମାର ବେହେରା, ଅତିରିକ୍ତ ପରିବହନ ଅଧିକାରୀ କିଶୋର କୁମାର ଦେ, ଏସ୍ଡିପିଓ ସରୋଜ କୁମାର ଉପଧ୍ୟାୟ, ପୁଲିସ ପ୍ରଦୀପ୍ତ କୁମାର ଦେବତା, ଅଗ୍ନିଶମ ଅଧିକାରୀ ତେଜ କୁମାର ଏକ୍କା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ସ୍ୱାଧୀନତା ଦିବସ ଦିନ ପ୍ରାତଃ ୪ ଘଟିକା ସମୟରେ ରାମଧୁନ, ସକାଳ ୬ ରୁ ୭ ଘଟିକା ମଧ୍ୟରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ, ସକାଳ ଘ.୭.୦୦ମିରୁ ଘ.୮.୦୦ମି ମଧ୍ୟରେ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ମୁଖ୍ୟଅତିଥି ସକାଳ ଘ.୦୯.୧୫ମି ସମୟରେ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ବୈଠକ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପୁରୁଷୋତ୍ତମ ମୁନା, କେଶବ ବାଗ ଓ ସୁରେଶ ଚନ୍ଦ୍ର ପଟେଲ ପ୍ରମୁଖ ସହଯୋଗ କରିଥିଲେ ।