ସ୍ୱାସ୍ଥ୍ୟ ପାଇଁ ଶାକାହାର ଖାଦ୍ୟ

ଡ.ମଞ୍ଜୁଶ୍ରୀ ନାୟକ : ପ୍ରତିବର୍ଷ ନଭେମ୍ବର ପହିଲାକୁ ବିଶ୍ୱ ଶାକାହାରୀ ଦିବସ ଭାବେ ପାଳନ କରାଯାଉଛି । ୧୯୯୪ରୁ ୟୁନାଇଟେଡ କିଂଡ଼ମ୍‌ର ‘ଦ ଭେଗାନ ସୋସାଇଟି’ ଆନୁକୂଲ୍ୟରେ ଏହା ପାଳିତ ହେଉଛି । ୧୯୪୪ ନଭେମ୍ବରରେ ଏହି ସଂସ୍ଥା ଗଢ଼ା ଯାଇଥିଲା । ଶାକାହାରର ଉପକାରିତା ବାବଦରେ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ଲକ୍ଷ୍ୟ । ଏହାର ଉପକାରିତା ଅନେକ । ଶାକାହାରୀ ମଣିଷ ରୋଗ ଭୋଗିବାର ଆଶଙ୍କା ଅପେକ୍ଷାକୃତ କମ୍‌ । ଏହା ପରିବେଶ ଅନୁକୂଳ । ଅନେକ ଜାଣି ନଥାଇପାରନ୍ତି, ଅଧିକ ମାଂସାହାର ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ବିଶ୍ୱରେ ଶାକାହାରୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ସର୍ବାଧିକ ଅଛନ୍ତି ଭାରତରେ । ଭାରତ କେଉଁ ପ୍ରାଚୀନ କାଳରୁ ଶାକାହାରୀଙ୍କ ଦେଶ । ଇଂଲଣ୍ଡର ଦ ଭେଗାନ୍‌ ସୋସାଇଟିର ଅଧ୍ୟକ୍ଷ ଓ ଚେୟାରମ୍ୟାନ ଲୁଇସ୍‌ ୱାଲିସ୍‌ଙ୍କ ଦ୍ୱାରା ୧୯୯୪ରେ ଏହି ଦିବସ ପ୍ରଥମେ ଆରମ୍ଭ ହୋଇଥିଲା । ୨୦୧୪ରେ ଭଗାନ୍‌ (ଶାକାହାରୀ), ଭେଗାନିଜମ୍‌ ର ୭୦ତମ ବାର୍ଷିକୀ ଏବଂ ଭେଗାନ୍‌ ସୋସାଇଟିର ପ୍ରତିଷ୍ଠାକୁ ମନେପକାଇବା ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଏ ।

     ଜୀବ ଜଗତ କହିଲେ ଆମେ ମୁଖ୍ୟତଃ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ବୁଝିଥାଉ । ମଣିଷ ଯେପରି ପ୍ରାଣୀ ଜଗତରେ ଅନ୍ତର୍ଭୁକ୍ତ ସେହିପରି ଅନ୍ୟ ସମସ୍ତ ହିଂସ୍ର ବା ନିରୀହ ପଶୁପକ୍ଷୀ ମଧ୍ୟ ଏହି ପ୍ରାଣୀଜଗତରେ ଅନ୍ତର୍ଭୁକ୍ତ । ତେଣୁ ସେମାନଙ୍କର ଜୀବକୋଷ ଓ ମଣିଷର ଜୀବକୋଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ପ୍ରାଣୀମାନଙ୍କ ମଧ୍ୟରେ ମଣିଷ ସବୁଠାରୁ ଶ୍ରେଷ୍ଠ ଓ ବଳବାନ ଜୀବ ଓ ତା'ର ଇଛା ଏବଂ ରୁଚି ଅନୁସାରେ ସେ ନିଜର ଖାଦ୍ୟ ଗ୍ରହଣ କରେ । ଏହି ଖାଦ୍ୟ ଆମିଷ କିମ୍ବା ନିରାମିଷ ହୋଇପାରେ । ଆବହମାନ କାଳରୁ ସବୁ ସମୟରେ ଆମିଷ ଖାଇବା ପାଇଁ ଆପତ୍ତି ରହିଛି, ତେବେ ମାଛ, ମାଂସ ଖାଇବାରେ ଏତେ ଦୋଷ କାହିଁକି ? ଏହି ପ୍ରଶ୍ନର ଉତ୍ତରରେ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି - ଶରୀର, ମନ ଓ ଜୀବନ ପକ୍ଷରେ ଯଦି ଆମିଷ ଖାଦ୍ୟ ଭଲ ହୋଇଥାଆନ୍ତା ତେବେ ଏତେ ଆପତ୍ତି କାହିଁକି? ମଣିଷର ଯେଉଁ ସ୍ୱାଭାବିକ ଆମିଷ ଆହାର ପ୍ରତି ରୁଚି ଅଛି ତାହାକୁ ବିକୃତ ରୁଚି ମଧ୍ୟ କୁହାଯାଏ । ଆନିମଲ ସେଲ ବା ଜୀବନ୍ତ କୋଷ ଆଉ ଏକ ଜୀବନ୍ତ କୋଷକୁ ହଜମ କରିବାକୁ ଚାହେଁନାହିଁ, ବରଂ ତାକୁ ପ୍ରତ୍ୟାଖ୍ୟାନ କରେ । ବାହାର ଜୀବନ୍ତ କୋଷ ମଣିଷ ଶରୀରରେ ପ୍ରବେଶ କଲେ ତାହା ଆମର ଜୀବନ୍ତ କୋଷକୁ ନଷ୍ଟ କରିଦିଏ । କାରଣ ଏହି  ବାହାରର କୋଷ ଗୁଡ଼ିକ ଆମ ଶରୀରର କୋଷ ପରି ସମଭାବେ ସଂଞ୍ଜିବୀତ । ମଣିଷ ଦେହର କୋଷପରି ସେମାନେ ମଧ୍ୟ ବଞ୍ଚିବା ପାଇଁ ସଂଗ୍ରାମରତ । ଉଭୟଙ୍କର ଏହି ସଂଗ୍ରାମ ଫଳରେ ଆମିଷ ଆହାରରେ ଶରୀରରେ ଟକ୍ସିନ୍‌ ବା ବିଷକ୍ରିୟା ସୃଷ୍ଟି ହୁଏ । ମାଛ, ମାଂସର ଜୈବକୋଷ ଉପାଦାନ ଆମ ଶରୀରରେ ପ୍ରବେଶ କରି ଶରୀରସ୍ଥ ଜୀବକୋଷରେ ଏକ ଅସ୍ୱାଭାବିକ ଉତ୍ତେଜନା ଓ ସଂଘାତ ସୃଷ୍ଟିକରି କୋଷ ବିଭାଜନକୁ ଅତ୍ୟନ୍ତ ଦ୍ରୁତ କରିତୋଳେ । ଏହାଦ୍ୱାରା ସାମୟିକ ଶାରୀରିକ ପୁଷ୍ଟିବର୍ଦ୍ଧନ ହେଲେ ମଧ୍ୟ ଆୟୁଷକୁ ସେହି ପରିମାଣରେ ଖର୍ବ କରିଦିଏ ଏବଂ ଏହି ବିଷକ୍ରିୟା ଫଳରେ ସ୍ନାୟୁ ଓ ମସ୍ତିଷ୍କର କୋଷଗୁଡ଼ିକ ଚଞ୍ଚଳ, ଦୁର୍ବଳ, ସ୍ଥୈର୍ଯ୍ୟ-ସାମ୍ୟ-କ୍ରମାଗତିହରା ହୋଇଉଠନ୍ତି ଓ ଦୃଷ୍ଟିଶକ୍ତି କମିଯାଏ । ରୋଗ ପ୍ରତିରୋଧକ ଶକ୍ତି କମିଯାଏ କାରଣ କୋଷଗୁଡ଼ିକୁ ସର୍ବଦା ବଞ୍ôଚବା ପାଇଁ ସଂଗ୍ରାମ କରିବାକୁ ହୁଏ । ବେଳେ ବେଳେ ଏହି ଅସ୍ୱାଭାବିକ ବିଭାଜନ ମଧ୍ୟ ଟ୍ୟୁମର ସୃଷ୍ଟିକରେ ।    

    ଏହା ଉତ୍ତରରେ ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ - ମନେକର ତୁମ ଜମିରେ ପକ୍ଷୀମାନେ ଆସି ବସୁଛନ୍ତି, ତୁମେ ସେଗୁଡ଼ିକୁ ମାରିଦେଲ । ପକ୍ଷୀମାନେ ତୁମ ଜମିର ପୋକଜୋକ ଖାଉଥିଲେ, ଏବେ ତାଙ୍କ ଅନୁପସ୍ଥିତିରେ ଜମିରେ ପୋକ ଭର୍ତ୍ତି ହୋଇଗଲା । ସେତେବେଳେ ସେହି ପୋକଭରା ଜମିର ଫସଲ ଖାଇ ପେଟ ଖରାପ ହେଲା । ନାନା ପ୍ରକାର ପୋକଜୋକ ଓ ଛେଳି, ମେଣ୍ଢା ଇତ୍ୟାଦିକୁ ଭଗବାନ ମଣିଷର ଉପକାର ପାଇଁ ହିଁ ସୃଷ୍ଟି କରିଛନ୍ତି । ମଣିଷ ପାଇଁ ଧାନ, ଚାଉଳ ଓ ପନିପରିବା ଇତ୍ୟାଦି ସୃଷ୍ଟି କରିଛନ୍ତି । ଆମିଷାହାରୀ ମାନଙ୍କର କୌଣସି ରୋଗ-ବିରାଗ ହେଲେ ଶରୀର ଯେତେ ଗଭୀର ଭାବେ କ୍ଷତିଗ୍ରସ୍ତ ହୁଏ ନିରାମିଷାଶୀଙ୍କ ତଦ୍‌ଜାତୀୟ ଅସୁସ୍ଥତା ହେଲେ ମଧ୍ୟ ଶରୀର ଏତେଟା କ୍ଷତିଗ୍ରସ୍ତ ହୁଏନାହିଁ । ଆମିଷରୁ ବାହାରୁଥିବା ଟକ୍ସିନ୍‌ ସ୍ନାୟୁକୁ ଉତ୍ତେଜିତ କରେ, ସହନ-ବହନ କ୍ଷମତା କମିଯାଏ, ସ୍ନାୟୁ ଅପଟୁ ଓ ସାମ୍ୟ ସଙ୍ଗତିହରା ହେଲେ ଅହମିକା, କ୍ରୋଧ, ହିଂସା ଓ ଅସହିଷ୍ଣୁତା ବଢ଼ିଉଠେ । ଦୁଗ୍ଧ ଆମିଷ ଖାଦ୍ୟ ହେଲେ ମଧ୍ୟ କ୍ଷତିକାରକ ନୁହେଁ । କାରଣ ଦୁଗ୍ଧ ପେଟରେ ଯାଇ ଲାକ୍‌ଟିକ୍‌ ଏସିଡ଼ ବ୍ୟାସିଲସ୍‌ ହୁଏ ଓ ବ୍ୟାସିଲସ୍‌ମାନେ ନିରାମିଷ କୋଷ । ନରହତ୍ୟା ଶବ୍ଦରେ ଆମ୍ଭେମାନେ ଆତଙ୍କିତ ହୋଇଉଠୁ କିନ୍ତୁ ଜୀବ ହତ୍ୟା ସମୟରେ ଆମକୁ କଷ୍ଟ ହୁଏନାହିଁ । ଏହିପରି ସହାନୁଭୂତିହୀନ ହୋଇ ପ୍ରବୃତ୍ତି ସ୍ୱାର୍ଥରେ ମଣିଷକୁ ହତ୍ୟା କରିବା ପାଇଁ ମଧ୍ୟ ମଣିଷକୁ କଷ୍ଟ ହୁଏନାହିଁ । ମଣିଷର ଦନ୍ତକୁ ଭଗବାନ ତୃଣ ଜାତୀୟ ଖାଦ୍ୟ ଖାଇବା ପାଇଁ ଗଢ଼ିଛନ୍ତି । ବାଘ, କୁକୁର ଇତ୍ୟାଦି ମାଂସାଶୀ ପ୍ରାଣୀମାନଙ୍କ ଭଳି ମନୁଷ୍ୟର ଶ୍ୱାନଦନ୍ତ ନାହିଁ । ବରଂ ମଣିଷର ଶ୍ୱାନଦନ୍ତ ଗାଈ, ଘୋଡ଼ା ସହିତ ସମାନ । ବଡ଼ ବଡ଼ ଚିକିତ୍ସକ ଓ ବୈଜ୍ଞାନିକମାନେ ମଧ୍ୟ ନିରାମିଷ ଆହାର ସପକ୍ଷରେ ଅନେକ କଥା କହିଛନ୍ତି । ଏହି ପ୍ରସଙ୍ଗରେ ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ - ମୋର ମନେହୁଏ ଯେଉଁମାନେ ଉନ୍ନତର ଜୀବନ ଯାପନ କରିବାକୁ ଚାହାଁନ୍ତି ଓ ସୁସ୍ଥ ଦେହରେ ସ୍ୱଚ୍ଛନ୍ଦ ମନରେ କ୍ରମାଗତି ନେଇ କଠୋର ପରିଶ୍ରମ କରିବାକୁ ଚାହାଁନ୍ତି ସେମାନେ ନିରାମିଷ ଖାଇବା ହିଁ ଉଚିତ ଓ ଗୋଟିଏ ଜୀବନର ଚେତନା ପ୍ରଗତିକୁ ରୁଦ୍ଧକରି ଆମିଷ ଭକ୍ଷଣ କରିବା ଅନୁଚିତ ।


ମୋ : ୯୪୩୭୦୫୧୯୫୭