ସଡ଼କ ଦୁର୍ଘଟଣାରେ ଜଣେ ମୃତ,୨ ଗୁରୁତର

 ବଡ଼ସାହି: ବଡ଼ସାହି ଥାନା ଅର୍ନ୍ତଗତ ସୁହାଗପୁର ଓ ଚାନ୍ଦଡିହା ମଧ୍ୟସ୍ଥଳ ମା’ ହିଙ୍ଗୁଳା ପୀଠ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିସହିତ ଆଉ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସୁହାଗପୁର ପଞ୍ଚାୟତ କଉଡ଼ିଖଣି ଗ୍ରାମର ବୁଦ୍ଧିଆ ଦେହୁରୀଙ୍କ ପୁଅ ଅଜୟ ଦେହୁରୀ (୩୧) ନିଜ ବାଇକ୍ ଯୋଗେ ବଡ଼ସାହି ଆଡ଼କୁ ଦିନ ପ୍ରାୟ ୧୧ଟା ପରେ ଦ୍ରୁତ ଗତିରେ ଆସୁଥିଲେ । ବିପରୀତ ଦିଗରୁ ଯାଉଥିବା ଏକ ସ୍କୁଟି ଗାଡ଼ିକୁ ସେ ଧକ୍କା ଦେଇ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କ ପ୍ରାଣ ହାନୀ ଘଟିଥିଲା । ସ୍କୁଟି ଉପରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ବାଇକ ପୁନର୍ବାର ଧକ୍କା ଦେବାରୁ ସେଥିରେ ଥିବା ୩ ଜଣ ଖସି ପଡ଼ିଥିଲେ । ସ୍କୁଟି ଚାଳକ ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗ୍ରାମର ଶୁକ ଦେହୁରୀ ଏବଂ ତୃତୀୟ ବାଇକ୍ ଚାଳକ ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ମୁନା ବେଶ୍ରା ଗୁରୁତର ଆହତ ହୋଇଛନ୍ତି । ସେହି ବାଇକରେ ଥିବା ଅନ୍ୟ ୨ ଜଣ ଚାନ୍ଦିପୁର ଅଞ୍ଚଳର ଦାସ ମାଝୀ ଓ ଗଡଦେଉଳିଆ ଗ୍ରାମର ଅଗ୍ନି ବେଶ୍ରା ସାମାନ୍ୟ ଆହତ ହୋଇ ବଡ଼ସାହି ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ୨ ଜଣଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ଚିକିସôା ପାଇଁ ପଠାଯାଇଛି ।ଏ ସମ୍ପର୍କରେ ବଡ଼ସାହି ଥାନାରେ ୨୦/୨୫ ନମ୍ବରରେ ଏକ କେସ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।