ଡିବି ଆଲୁଅରେ କଟୁଛି ଜୀବନ
କନ୍ଧମାଳରୁ ପାର୍ଥ ସାରଥି ବିଶ୍ୱାଳ: ଆଧୁନିକତାର ସ୍ପର୍ଶରେ ଆଗକୁ ଆଗକୁ ବଢୁଛି ଦେଶ ତତ୍ସହିତ ସମ୍ୟକ୍ ରୂପେ ଆଗକୁ ବଢୁଛି ଆମର ପ୍ରଦେଶ ଓଡ଼ିଶା । ଡିଜିଟାଲାଇଜେସନ୍ କରିବା ପାଇଁ ସରକାରଙ୍କର ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ଆଜି ବି ଏମିତି ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ପାଲଟିଛି ସାତ ସପନ । ଏବେବି କନ୍ଧମାଳ ଜିଲ୍ଲାରେ ଅନେକ ଗାଁ ଅଛି; ଯେଉଁଠି ଜନ୍ମରୁ ବିଜୁଳି ଆଲୁଅ ଦେଖିନାହାନ୍ତି ଗାଁ ଲୋକେ । ଡିବି ଆଲୁଅରେ କଟୁଛି ତାଙ୍କର ଜୀବନ । ଏଠି ସରକାରଙ୍କ ବିଭିନ୍ନ ଯୋଜନା ଫେଲ୍ ମାରିଛି ।
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଗାଁ ଗୋଦାବରୀ, ସ୍ରାମ୍ବିପଡା, ଲଣ୍ଡୁଗୁଡ଼ା । ଏହି ଗ୍ରାମ ଗୁଡିକରେ ଶତାଧିକ ପରିବାର ବସବାସ କରୁଛନ୍ତି । କିନ୍ତୁ ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚôତ ହୋଇଛନ୍ତି । ଏହି ଗାଁ ଗୁଡ଼ିକର ଲୋକେ କେତେ ଆଶା ଓ ଭରସାରେ ନିଜ ମତଦାନ ବ୍ୟକ୍ତ କରନ୍ତି କି, କିଏବି ଜଣେ କରୁଣ ହୃଦୟବାନ ଲୋକ ପ୍ରତିନିଧି ଆମ ଦୁଃଖ ନିଶ୍ଚୟ ବୁଝିବ ଏବଂ ଆମର ଦୁଃଖ ଦୁର୍ଦ୍ଦିନରେ କଳାତିପାତ କରୁଥିବା ଗ୍ରାମବାସୀଙ୍କ ସାହାରା ପାଲଟିବ । କିନ୍ତୁ ସ୍ୱାଧୀନ ଭାରତ ପରଠାରୁ ଏଯାବତ୍ ସେମାନଙ୍କ ଆଶା ଟା ଆଶାରେ ହିଁ ରହିଯାଇଛି । ଗାଁକୁ ଆଜି ପର୍ଯ୍ୟନ୍ତ ବିଦୁ୍ୟତ୍ ଆଲୋକ ପହଞ୍ଚô ନାହିଁ ତେଣୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନବେଳେ ଏକ ପ୍ରକାରେ ଚଳିଯାଉଥିବା ବେଳେ ରାତିହେଲେ ଅନ୍ଧାରରେ ସମୟ ବିତାଇବାକୁ ପଡୁଛି । ବର୍ଷେ କି ଦୁଇ ବର୍ଷ ନୁହେଁ, ସ୍ୱାଧୀନତାର ପରଠୁ ଡିବିରି ଆଲୁଅରେ ଗ୍ରାମବାସୀଙ୍କ ରାତି କଟୁଛି । ଏ ନେଇ ସରପଞ୍ଚ, ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଧା ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ ବୃନ୍ଦ । କିଛି ବର୍ଷ ପୂର୍ବେ ବିଡ଼ିଓ, ସମିତି ଅଧ୍ୟକ୍ଷା ଲୋକଙ୍କ ସମସ୍ୟା ବୁଲି ଦେଖିଥିଲେ । କେବଳ ଆଲୁଅ ନୁହେଁ, ମୌଳିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆଜି ପର୍ଯ୍ୟନ୍ତ କିନ୍ତୁ ଉପାନ୍ତ ଗାଁ ଗୁଡିକର ସ୍ଥିତି ଯେମିତିକୁ ସେମିତି ହୋଇ ରହିଛି । ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିବା ପରେ ବିଜୁଳି ଆଲୁଅ ଦେଖିବାକୁ ଏଠାକାର ଲୋକମାନେ ଆଶା ବାନ୍ଧିଥିଲେ । ହେଲେ ରାଜନେତାଙ୍କ ପରି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି । ଫଳରେ ପ୍ରତିଶ୍ରୁତି ଭିତରେ ଦୀର୍ଘ ୭୬ ବର୍ଷ ଧରି ସେମାନେ ଦୟନୀୟ ଜୀବନ ବିତାଉଛନ୍ତି । ସଞ୍ଜ ନଇଁଲେ ଡିବିରି ଆଲୁଅ ଏମାନଙ୍କ ପାଇଁ ଏକମାତ୍ର ସାହା ଭରସା ପାଲଟିଛି । ପିଲାଙ୍କ ପାଠତ୍ପା ଠାରୁ ଆରମ୍ଭ କରି ରାତିରେ ସମସ୍ତ କାମ ପର୍ଯ୍ୟନ୍ତ ଏହି ଡିବିରି ଆଲୁଅ ତାଙ୍କପାଇଁ ଏକମାତ୍ର ଭରସା ପାଲଟିଛି । କିଛି ଲୋକଙ୍କୁ ୫ ବର୍ଷ ତଳେ ସୌର ଚାଳିତ ଲାଇଟ୍ ସଂଯୋଗ କରାଯାଇଥିଲା ତାହା ଏବେ ଖରାପ ହେଲାଣି । ସେଗୁଡ଼ିକର ମରାମତି କରାଯାଉ ନ ଥିବାରୁ ସେ ସବୁ ଅକାମୀ ହୋଇ ଗଲାଣି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗତ ୨୦୧୮ ମସିହାରେ ଅଭିଯୋଗ କରିବାରୁ ପ୍ରଶାସନ ମିଣିଆ ଖଟି ବସ୍ତିରେ ପହଞ୍ଚିଥିଲେ । ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥା ଓ ଯୁବକମାନଙ୍କୁ ଗାଁର ମୌଳିକ ସମସ୍ୟାଗୁଡିକ ସମ୍ପର୍କରେ ପଚାରି ବୁଝିଥିଲେ । ସେସବୁ କରିବାର ପ୍ରତିଶ୍ରୁତି ଦେଇଥିଲେ । ପର୍ଯ୍ୟାୟକ୍ରମେ ପ୍ରତିଟି ଗାଁକୁ ବିଜୁଳି ସଂଯୋଗୀକରଣ ହେବ ବୋଲି କହିଥିଲେ । କିନ୍ତୁ ଇତିମଧ୍ୟରେ ୭ ବର୍ଷ ବିତିଯାଇଥିଲେ ହେଁ ଚାରି ବସ୍ତି ଓ ଗାଁରେ ଗୋଟିଏ ହେଲେ ବିଜୁଳି ଖୁଣ୍ଟ ପଡିନଥିବା ସେମାନେ ଅଭିଯୋଗ କରିଛନ୍ତି । କେବଳ ବିଜୁଳି ନୁହେଁ, ଗାଁକୁ ଭଲ ରାସ୍ତାଟିଏ ବି ନ ଥିଲା । ଏବେ ପ୍ରଧାନ ମନ୍ତ୍ରୀସଡ଼କ ଯୋଜନା ମାଧ୍ୟମରେ ଭେଟଖୋଲ୍ ଠାରୁ ଲଣ୍ଡୁ ପଡା ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କରାଯାଇଛି । କିନ୍ତୁ ତାହା ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ତାହାର ସ୍ଥାୟିତ୍ୱ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ । ପାଇପ ପାଣି ଏମାନଙ୍କ ପାଇଁ ସାତ ସପନ ହୋଇଛି । ସୋଲାର ପାଣି ସଂଯୋଗ ପାଇଁ ଟାଙ୍କି ବସିଛି କିନ୍ତୁ ସଂଯୋଗ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଲୋକେ ନଦୀ ନାଳ, ଚୁଆଁ ପାଣି ଭରସାରେ ରହୁଛନ୍ତି । ପିଇବା ପାଣି ପାଇଁ ନଦୀ ନାଳ ଭରସା ହୋଇଛି । ' ଜିଲ୍ଲା ପ୍ରଶାସନକୁ ଥରେ ନୁହେଁ ଅନେକବାର ଦୁଃଖ ଜଣାଇଛୁ, ସବୁକିଛି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏଯାଏଁ କିଛି ହୋଇନାହିଁ ବୋଲି କହିଛନ୍ତି ଜଗନ୍ନାଥ କହଁର, ବିଶ୍ୱନାଥ କହଁର,ସନ୍ୟାସୀ କହଁର, ପରଦେଶୀ ମଲ୍ଲିକ, ସଞ୍ଜୟ ମାଝୀ, ବିଛନ୍ଦ ମାଝୀ ଏବଂ ରାଜୁ ବିନ୍ଧାଣି ପ୍ରମୁଖ । ଅନ୍ୟପକ୍ଷରେ ଗାଁରେ ସ୍କୁଲ, ଅଙ୍ଗନବାଡ଼ି ନାହିଁ । ପିଲାଛୁଆ ପାଠ ପଢିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏମିତି ଅନେକ ସମସ୍ୟାରେ ଆମ୍ଭେ ଘାରି ହୋଇ ଦୁର୍ଦ୍ଦିନରେ ବନବାସୀ ଜୀବନ କାଟୁଛୁ ବୋଲି କହିଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ପ୍ରଦାନ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।