ହଂସପାଳ କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହଂସପାଳ କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର


 ଭୁବନେଶ୍ୱର, ୦୭ା୬ : ଶୁକ୍ରବାର ସକାଳୁ ହଂସପାଳ କେନାଲ କୂଳରୁ  ଜଗତସିଂହପୁର ଜିଲ୍ଲାର ଜଣେ ସୌମ୍ୟରଞ୍ଜନ ଦାସ ନାମକ ଯୁବକ (୨୪)ଙ୍କ ମୃତଦେହକୁ ଉଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ । ପରେ ବ୍ୟବଚ୍ଛେଦ ପାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।
ସୂଚନା ଅନୁସାରେ, ସୌମ୍ୟରଞ୍ଜନ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସବୁଦିନ ସେ ସନ୍ଧ୍ୟା ବେଳେ ଘରକୁ ଚାଲିଆସନ୍ତି । ହେଲେ ଗୁରୁବାର ସନ୍ଧ୍ୟାରେ ସେ ଘରକୁ ନ ଫେରିଥିବାରୁ ଘରଲୋକ ସୌମ୍ୟଙ୍କୁ ଫୋନ୍ କରିଥିଲେ । ହେଲେ ସେ ଫୋନ୍ ରିସିଭ୍ କରି ନଥିଲେ । ଏନେଇ ତାଙ୍କ ଭଉଣୀ ଭୁବନେଶ୍ୱରରେ ରହୁଥିବା ଅନ୍ୟ ଜଣେ ଭାଇଙ୍କୁ ଫୋନ୍ କରି କହିଥିଲେ । ସୌମ୍ୟଙ୍କ ଭାଇ ତାଙ୍କ ଅଫିସକୁ ମଧ୍ୟ ଯାଇ ଖୋଜିଥିଲେ । ହେଲେ ସେଠାରେ ସୌମ୍ୟରଞ୍ଜନ ନଥିଲେ । ଫଳରେ ସନ୍ଧ୍ୟା ବେଳେ ସୌମ୍ୟଙ୍କ ଭାଇ ହଂସପାଳ ନିକଟ କେନାଲ ଦେଇ ଯାଉଥିବା ବେଳେ କେହି ଜଣେ ସେଥିରେ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିଥିଲେ । ବୁଡ଼ି ଯାଇଥିବା ଲୋକଟି ସୌମ୍ୟ ନୁହେଁ ତ ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଥିଲା । ତେଣୁ ସେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ପରେ ଖବର ପାଇ ଅଗ୍ନିଶ୍ରମ ଟିମ ପହଞ୍ଚି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ·ଲିଥିଲା । କିନ୍ତୁ ବୁଡ଼ି ଯାଇଥିବା ଲୋକଟିର ପତ୍ତା ମିଳିନଥିଲା । ତେଣୁ ଅନ୍ୟମାନଙ୍କ ଭଳି ସୌମ୍ୟଙ୍କ ଭାଇ ମଧ୍ୟ ଘରକୁ ଫେରି ଯାଇଥିଲେ । କିନ୍ତୁ ତାଙ୍କ ସନେ୍ଦହ ଠିକ୍ ହୋଇଥିଲା । ଶୁକ୍ରବାର ସକାଳେ ସେ କେନାଲକୁ ପୁଣି ଆସିଥିବା ବେଳେ କୂଳରେ ସୌମ୍ୟଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏନେଇ ସେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇ ପଠାଇଛି । ହେଲେ ସୌମ୍ୟଙ୍କ ମୃତୁ୍ୟ ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ । ପୁଲିସ ତଦନ୍ତ ଆରମ୍ଭ କରିଛି ।
ସୌମ୍ୟଙ୍କ ଭାଇ କହିଛନ୍ତି, ସୌମ୍ୟ ଆତ୍ମହତ୍ୟା କରିବା ପିଲା ନୁହେଁ । ହେଲେ ସେ ବହୁତ ରାଗି । ଘରର ଟିକେ ଟିକେ କଥାରେ ରାଗିଯାଏ । କୌଣସି କଥାରେ ରାଗି ଯାଇ ଯଦି ଏଭଳି କିଛି ପଦକ୍ଷେପ ନେଇଥାଇପାରେ । ହେଲେ ଘରର ଦାୟିତ୍ୱ ନେଇ ତା'ର କିଛି ଚିନ୍ତା ନଥିଲା । ସେ କାହିଁକି ଏଭଳି କଲା ତାହା ଜଣାପଡ଼ି ନାହିଁ । ପୁଲିସର ତଦନ୍ତ ପରେ ଯାହା ଜଣାପଡ଼ିବ ।