ହତ୍ୟା ଉଦ୍ୟମକାରୀ ମାଆ ଓ ଦୁଇ ପୁଅକୁ ୭ ବର୍ଷ ସଜ୍ଜା
ଭୁବନେଶ୍ୱର, ୧୧ା୯ : ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ତଥା ଅତିରିକ୍ତ ସିଜେଏମ୍ ବିନୋଦ ବିହାରୀ ସାହୁ, ଖଣ୍ଡଗିରି ଥାନା ଅଞ୍ଚଳରେ ୨୦୧୨ ମସିହା ଡ଼ିସେମ୍ବର ମାସରେ ଘଟିଯାଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ବିଚାର କରି ଅଭିଯୁକ୍ତ ଟୁନି ସାହୁ ଓ ଦୁଇ ପୁଅ ମିଥୁନ୍ ସାହୁ ଓ ଶିତୁନ୍ ସାହୁକୁ ୭ ବର୍ଷର ସଜ୍ଜା ଶୁଣାଇଛନ୍ତି ।
ସୂଚନା ଯୋଗ୍ୟଯେ, ୨୦୧୨ ମସିହା ଡ଼ିସେମ୍ବର ୧୬ ତାରିଖରେ ଦୁଇ ଭାଇ ଜ୍ଞାନେନ୍ଦ୍ର ଦାସ ଓ ସଞ୍ଜୀବ୍ ଦାସଙ୍କର ଭଡ଼ାଟିଆଙ୍କ ସହିତ ଝଗଡା ହୋଇଥିଲା । ଝଗଡା ପରେ ଦୁଇ ଭାଇ ଘର ବାହାରେ ଭଡାଟିଆଙ୍କ ସହିତ ହୋଇଥିବା ଝଗଡା ତଥା ବାରମ୍ବାର କହିବା ସତ୍ୱେ ମଧ୍ୟ ସେମାନେ ଘର ଛାଡୁନଥିବାକୁ ନେଇ ପରସ୍ପର ମଧ୍ୟରେ ଆଲୋଚନା ହୋଇଥିଲା । ସେହି ସମୟରେ ସଞ୍ଜୀବ ବଜାରରୁ କିଛି ପନିପରିବା ନେଇ ଘରକୁ ଫେରୁଥିଲେ । ଏହି ସମୟରେ ସଞ୍ଜୀବ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଘଟଣା ବିଷୟରେ ପଚାରିବାରୁ ନିକଟରେ ଉପସ୍ଥିତ ଥିବା ଅଭିଯୁକ୍ତ ଟୁନି ସାହୁ ଓ ତାଙ୍କର ଦୁଇ ପୁଅ ହଠାତ ସଞ୍ଜୀବଙ୍କୁ ହତ୍ୟା କରିବା ନିମନ୍ତେ ପ୍ରଥମେ ତାଙ୍କ ଉପରକୁ ଇଟାରେ ପରେ ଏକ କଇଁଚି ସାହାର୍ଯ୍ୟରେ ପେଟକୁ ଆକ୍ରମଣ କରିଥିଲେ । ଏହି ଘଟଣା ବିଷୟରେ ଜାଣିବାକୁ ପାଇ ସଞ୍ଜୀବଙ୍କ ଭାଇ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସହିତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଏହି ଘଟଣାର ତଦନ୍ତ ଭାର ଏସଆଇ ସୁରେନ୍ଦ୍ର କୁମାର ବଳଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ, ସେ ଘଟଣାର ବିଭିନ୍ନ ଦିଗକୁ ନେଇ ସଠିକ ତଦନ୍ତ କରି ମାଆ ଓ ଦୁଇ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଭିଯୁକ୍ତ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ୧୨ ଜଣ ସାକ୍ଷୀ ଓ ୧୨ଟି ପ୍ରଯୁଜ୍ୟ ଦସ୍ତାବିଜ୍ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ଟୁକୁନି ସାହି ଓ ତାର ଦୁଇ ପୁଅ ମିଥୁନ୍ ଓ ଶିତୁନକୁ ଦଫା-୩୦୭ ଆଧାରରେ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ୩ ମାସ ଅଧିକ କାରାଦଣ୍ଡ ଲାଗି ଆଦେଶ ଦେଇଛନ୍ତି । ସେହିପରି ଦଫା- ୩୨୩ ଆଧାରରେ ୬ ମାସର ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଳିକ ପ୍ରୋସିକୁ୍ୟଟର ବନମାଳୀ ମହାପାତ୍ର ଓ ଅତିରିକ୍ତ ପବ୍ଲିକ ପ୍ରସିକୁ୍ୟଟର ବ୍ରଜ କିଶୋର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।