ହନୁମାନଙ୍କର ପ୍ରତିଷ୍ଠା ଉତ୍ସବ 

 କପ୍ତିପଦା: କପ୍ତିପଦା ରଥଦାଣ୍ଡରେ ପ୍ରତିଷ୍ଠିତ ସଂକଟମୋଚନ ହନୁମାନଙ୍କର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧିବାସ, ଅଙ୍କୁରାରୋପଣ କର୍ମ ଅନୁଷ୍ଠିତ ହୋଇ ସୋନ ନଦୀରୁ ବରୁଣାର୍ଚ୍ଚନା କରାଯାଇ ଘଟୋତ୍ତୋଳନ କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହି ଅବସରରେ ଗୁରୁ ପୂଜା, ସୂର୍ଯ୍ୟପୂଜା ସହିତ ଶ୍ରୀହନୁମାନଙ୍କର ସ୍ନାନ, ଉପୋଚାର ଓ ହୋମ କର୍ମ ସଂପାଦନ ହୋଇଥିଲା ।  ହନୁମାନଙ୍କର ୧୦୦୮ ମନ୍ତ୍ରରେ ଆହୁତି ଦେବା ସହିତ ବିଭିନ୍ନ ଦେବାଦେବୀଙ୍କୁ ଆହୁତି ପ୍ରଦାନ କରାଯାଇଥିଲା । ପରେଶ ଚନ୍ଦ୍ର ବେହେରା ଓ ତାଙ୍କର ସହଧର୍ମିଣୀ ପାର୍ବତୀ ବେହେରା ଯଜ୍ଞର କର୍ତ୍ତା କାର୍ଯ୍ୟ ସଂପାଦନ କରିଥିବାବେଳେ କର୍ମକାଣ୍ଡବିତ୍ ରଜତ ମିଶ୍ର, ତାଙ୍କର ସହଯୋଗୀ ବ୍ରାହ୍ମଣମାନେ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଏହି ଅବସରରେ ଦିବସ ବ୍ୟାପୀ ଯଜ୍ଞ ମଣ୍ଡପ ନିକଟରେ ପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ସଂକଟମୋଚନ ହନୁମାନ ମନ୍ଦିର କମିଟିର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।