ହାଇୱା ସାଜିଛି ଯମଦୂତ


ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡ଼ସିଂ  :  ସହର ଭିତରେ ଗଡୁଛି ଭାରିଯାନ, ଆଉ ନେଉଛି ଲୋକଙ୍କ ଜୀବନ । ଶିଳ୍ପ ବିହୀନ ଜିଲ୍ଲା ହୋଇ ବି କେନ୍ଦ୍ରାପଡ଼ା ସହର ଭିତରେ ଦୈନଦିନ ଚାଲୁଥିବା ଶହ ଶହ ହାଇୱା ଟ୍ରକ୍ ଚକା ତଳେ ଯାଉଛି ଜିଲ୍ଲାବାସୀଙ୍କ ଜୀବନ । ଲିଭି ଯାଉଛି କାହା ସ୍ତ୍ରୀ ମଥାରୁ ସିନ୍ଦୂର ତ ଅନେକ ମାଆଙ୍କ କୋଳ ହୋଇଯାଉଛି ସନ୍ତାନ ଶୂନ୍ୟ । କିଛିଦିନ ପୂର୍ବରୁ ଜିଲ୍ଲାପାଳ ଏକ ନିଦେ୍ର୍ଦଶ ନାମା ଜାରିକରି କହିଥିଲେ ସହର ଭିତରେ ସକାଳ ୭ ରୁ ରାତି ୯ ପର୍ଯ୍ୟନ୍ତ କୌଣସି ଭାରୀଯାନ ଚାଲିପାରିବ ନାହିଁ । କିନ୍ତୁ ଜିଲ୍ଲାପାଳଙ୍କ ନିୟମକୁ ବାଏଁ ବାଏଁ ଉଡେଇ ଦେଉଛନ୍ତି ହାଇୱା ଟ୍ରକ ଚାଳକ ମାନେ । ସମସ୍ତ ନିୟମ କାନୁନ୍ କୁ ଫୁ କରି ଦିନ ରାତି ଅହନିଶି ଭାରିଜାନ ଚାଲୁଥିବା ଦେଖିବାକୁ ମିଳୁଛି । ତେବେ ଅଭିଯୋଗ ମୁତାବକ ଗତ ବର୍ଷକ ଭିତରେ କେନ୍ଦ୍ରାପଡ଼ା ସହର ଭିତରେ ୨୦ ରୁ ୩୦ ଦୁର୍ଲଭ ଜୀବନ ହାଇୱା ଟ୍ରକ୍ ଚକାତଳେ ଚାଲିଯାଇଥିବା ବେଳେ, ଅନେକ ବ୍ୟକ୍ତି ହାତ ଗୋଡ ହରାଇ ଆଜୀବନ ପଙ୍ଗୁ ହୋଇଥିବା ନଜିର ରହିଛି । କେବଳ ସହର ଭିତର ନୁହେଁ ସହରକୁ ଲାଗିଥିବା ଜାତୀୟ ରାଜପଥରେ ମଧ୍ୟ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ଦୁହୁରିଆ ନିକଟରେ ହାଇୱା ଚକା ତଳେ ଜଣଙ୍କ ଜୀବନ ଯାଇଥିବା ବେଳେ, ସାଥିରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସେହି ସମାନ ଦିନରେ ସହର ନିକଟ ବାଲିଆ ଠାରେ ମଧ୍ୟ ସାମ୍ନାପଟୁ ଆସୁଥିବା ହାଇୱା ଧକ୍କା ଦେବାରୁ ପିକପ୍ ଭ୍ୟାନ ଚାଳକ ଗାଡ଼ି ଭିତରେ ଚାପି ହୋଇ ଫସି ରହିଥିଲେ । ଖବରପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ ।
ସେବା ସଂସ୍ଥାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି କୁହନ୍ତି, ରାସ୍ତାରେ ଗଡୁ ଥିବା କୌଣସି ଗୋଟିଏ ବି ହାଇୱା ଟ୍ରକ୍ରେ ହେଲ୍ପର ରହୁନାହାନ୍ତି । ଫଳରେ କେଉଁ ପାର୍ଶ୍ୱରୁ ଗାଡ଼ି ଆସୁଛି ବୋଲି ଚାଳକଙ୍କୁ କେହି ଇଶାରା କରି ପାରୁନାହାନ୍ତି । ହେଲ୍ପର କାର୍ଯ୍ୟ ହେଉଛି ପାର୍ଶ୍ୱରୁ କିମ୍ବା ପଛରୁ ଗାଡ଼ି ଆସୁଥିବା କଥା ସେ ଗାଡ଼ି ଚାଳକକୁ ଇଶାରା କରିବା ଦ୍ୱାରା ସେହି ଅନୁସାରେ ଚାଳକ ରାସ୍ତାରେ ଗାଡ଼ି ଗଡ଼ାଇ ଥାଏ । କିନ୍ତୁ ହାଇୱା ଟ୍ରକ୍ରେ ହେଲ୍ପର ରହୁ ନ ଥିବାରୁ କେଉଁ ପାର୍ଶ୍ୱରୁ ଗାଡ଼ି ଆସୁଛି କିମ୍ବା ପଛ ପାଖରୁ ଗାଡ଼ି ଆସୁଛି ଏହା ଡ୍ରାଇଭର ମାନେ ଅନେକ ସମୟରେ ଜାଣି ପାରୁନାହାନ୍ତି ଫଳରେ ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢୁଛି । ସମସ୍ତ ଭାରିଯାନରେ ହେଲପର୍ ରହିବା ବାଧ୍ୟତାମୂଳକ ନିୟମ ଥିଲେ ମଧ୍ୟ କିଛି ଟଙ୍କା ମୁନାଫା ପାଇବା ଆଶାରେ ଗାଡ଼ି ମାଲିକ ହେଲ୍ପର ରଖୁନାହାନ୍ତି । ଜିଲ୍ଲା ପରିବହନ ବିଭାଗ ନିୟମକୁ କଡାକଡି କରି ଏହାକୁ ଗୁରୁତର ସହିତ ନେଇ ହେଲ୍ପର ନ ଥିବା ହାଇୱାରୁ ଜରିମାନା ଆଦାୟ କରାଗଲେ ଏହି ସମସ୍ୟାର ସମାଧାନ ହୋଇ ପାରନ୍ତା ।