ହିମାଚଳ ପ୍ରଦେଶରେ ବନ୍ୟା ବିଭୀଷିକା
ଚଣ୍ଡୀଗଡ଼: ହିମାଚଳପ୍ରଦେଶରେ ଭୀଷଣରୁ ଭୀଷଣ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଘଟିଛି । ଏହାସହ ରାଜ୍ୟର ବହୁ ଜାତୀୟ ଏବଂ ରାଜ୍ୟ ରାଜପଥ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଫଳରେ ସ୍ଥାନୀୟ ଜନସାଧାରଣ ବନ୍ୟା ଆଶଙ୍କାରେ ଭୟଭୀତ ହୋଇଛନ୍ତି । ଆଜି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କାଙ୍ଗ୍ରା, ମଣ୍ଡି, ସିରମୌର ଓ ସୋଲାନ ଜିଲ୍ଲାରେ ବହୁ ଶିକ୍ଷାନୁଷ୍ଠାନ ସମେତ ବହୁ ସ୍କୁଲ୍, କଲେଜ ଆଦିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳମାନଙ୍କରେ ୩ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଚଳିତ ବର୍ଷାଋତୁରେ ଏଯାବତ ୪୪ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଜିଲ୍ଲାରେ ବନ୍ୟାରେ ୮ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ପାଣିରେ ବୁଡ଼ି ୬ଜଣ, ସାପକାମୁଡ଼ାରେ ୨ଜଣ, ବିଦୁ୍ୟତଆଘାତରେ ୨ଜଣ, ଚଟାଣରୁ ଖସି ୪ଜଣ ଏବଂ ରାସ୍ତା ବିଚ୍ଛିନ୍ନ ଯୋଗୁ ସଡ଼କ ଦୁର୍ଘଟଣାରେ ୨୪ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ୮୨ରୁ ଊଦ୍ଧ୍ୱର୍ ଗୁରୁତର ହୋଇଛନ୍ତି । ଅପରପକ୍ଷେ ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ ସେଣ୍ଟରର ସୂଚନାନୁସାରେ ଉନା ଏବଂ ବିଳାସପୁର ଜିଲ୍ଲାରେ ପାଣିରେ ବୁଡ଼ି ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ବେଳେ ସିମଲାରେ ଉଚ୍ଚତାରୁ ଖସି ଅନ୍ୟଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଆଜି ସନ୍ଧ୍ୟାରେ ପ୍ରାୟ ୨୫୯ଟି ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥରେ ଗଛ ଓ ରାସ୍ତାକଡ଼ ଘର ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ସେହିପରି ୬୧୪ ଅଞ୍ଚଳରେ ବିଦୁ୍ୟତ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ୧୩୦ ଗାଁକୁ ପାଣି ଯୋଗାଣ ବନ୍ଦ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ତଥା ମରାମତି କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ପୁନଃ ରେଡ୍ ୱାର୍ଣ୍ଣିଂକୁ ନେଇ ଭୟଭୀତ ହୋଇଛନ୍ତି ରାଜ୍ୟବାସୀ ।