୧୦ରେ ମନମୋହନଙ୍କ ଯାଜପୁର ଗସ୍ତ : ଫୋକସରେ ରହିବ ଧର୍ମଶାଳାର ମିଶ୍ରଣ ପର୍ବ

 ଯାଜପୁର : ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନମୋହନ ସାମଲ ଆସନ୍ତା ୧୦ରିଖରେ ଯାଜପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି  । ୧୦ ଏବଂ ୧୧ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ସଭାପତି ମନମୋହନ ଆସୁଥିବାରୁ ଜିଲା ବିଜେପି ଚଳଚଞ୍ଚଳ ହୋଇପଡ଼ିଛି  । ନିର୍ବାଚନ ମଣ୍ଡଳୀ ନେତା ଏବଂ କାର୍ଯ୍ୟକର୍ତ୍ତା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ପ୍ରସ୍ତୁତି ଚଲାଇଥିବା ବେଳେ ସଭାପତିଙ୍କ ଗସ୍ତର ପ୍ରମୂଖ ଫୋକସ ଧର୍ମଶାଳା ମହୋତ୍ସବ ପଡ଼ିଆରେ ହେବାକୁ ଥିବା ମିଶ୍ରଣ ପର୍ବ ଉପରେ ରହିଛି  । ଧର୍ମଶାଳାର ନିର୍ଦ୍ଦଳୀୟ ବିଧାୟକ ହିମାଂଶୁ ଶେଖର ସାହୁ ବିଜେଡ଼ି ଗଡ଼କୁ ଦୋହଲାଇବା ସହ ନିକଟରେ ବ୍ଲକ ଅକ୍ତିଆର କରି ପରିବାରବାଦ ରାଜନୀତିରେ ବଡ଼ ପ୍ରହାର ଦେଇଥିଲେ  । ବିଜେପିକୁ ଧର୍ମଶାଳାରେ ୧ନଂ କରିବାକୁ ଲାଗିପଡ଼ିଥିବା ବିଧାୟକ ସାହୁ ରାଜ୍ୟ ସଭାପତିଙ୍କ ଜିଲ୍ଲା ଗସ୍ତ ବେଳେ ବଡ଼ଧରଣର ମିଶ୍ରଣ ପର୍ବର ପ୍ରସ୍ତୁତି କରିଛନ୍ତି । ଆମକୁ ମିଳିଥିବା ଖବର ଅନୁଯାୟୀ ଧର୍ମଶାଳାର ଅଧିକାଂଶ ପଞ୍ଚାୟତ ପ୍ରତିନିଧି ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଯାଇଥିବା ବେଳେ ପଞ୍ଚାୟତ ସ୍ତରର କର୍ମୀଙ୍କୁ ବିଜେପିରେ ସାମିଲ କରିବାର ବ୍ୟବସ୍ଥା କରିଛନ୍ତି  । ଏପରିକି ନିର୍ବାଚନ ପୂର୍ବ ଏବଂ ପରେ ବିଜେପି ପ୍ରାର୍ଥିଙ୍କ ସହ ରହି ଏକ ପ୍ରକାର ଦଳୀୟ କାର୍ଯ୍ୟରୁ ନିବୃତ ରହିଥିବା କିଛି ପ୍ରାକ୍ତନ କାର୍ଯ୍ୟକର୍ତ୍ତା ଏବଂ କର୍ମୀ ମିଶ୍ରଣ ପର୍ବମାଧ୍ୟମରେ ଦଳୀୟ ପ୍ଲାଟଫର୍ମକୁ ଫେରିବାର ରହିଛି । ଧର୍ମଶାଳା ବ୍ଲକର ସମସ୍ତ ପଞ୍ଚାୟତ ସହ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକରେ ଥିବା ୯ପଞ୍ଚାୟତରୁ ଅନ୍ୟଦଳର କର୍ମୀ ଏବଂ କାର୍ଯ୍ୟକର୍ତ୍ତା ୧୦ତାରିଖରେ ହେବାକୁ ଥିବା ମହାମିଶ୍ରଣ ପର୍ବରେ ସାମିଲ ହେବାକୁ ଯାଉଥିବାର ଜଣାପଡ଼ିଛି । ବହୁ ପଞ୍ଚାୟତର ବିଜେଡି ସଭାପତି, ଯୁବ ଓ ଛାତ୍ର ସଭାପତିଙ୍କ ସମେତ ଦଳର ଆଗଧାଡ଼ିର ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବିଧାୟକଙ୍କ ରାଜନୈତିକ ସଂଗଠନ ଦାୟିତ୍ୱ ନେଇ ଆସୁଥିବା ପ୍ରଭାବଶାଳୀ ଯୁବ ନେତା ମଧ୍ୟ ହିମାଂଶୁଙ୍କ ଶରଣରେ ରହି ବିଜେଡିକୁ ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଯଦି ବିଜେପି ଏହି ଧାରାରେ ସାଂଗଠନିକ କୌଶଳ ବଳବତର ରଖେ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଧରାଶାୟୀ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି  । ଏହି ମହା ମିଶ୍ରଣରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଦିଆଯିବ । ମିଶ୍ରଣ ପର୍ବ ଏବଂ ରାଜ୍ୟ ସଭାପତିଙ୍କ ଗସ୍ତକୁ ସଫଳକରିବା ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ନିଜେ ସବୁକିଛି ତଦାରଖ କରୁଛନ୍ତି । ଧର୍ମଶାଳାରେ ବିଜେଡି ଗଡ଼କୁ ସମ୍ପୂର୍ଣ ଭାଙ୍ଗି ଦିଆଯିବ ଆଗାମୀ ଦିନରେ କୌଣସି କର୍ମୀ ସେହି ଦଳରେ ନଥିବେ ବୋଲି ସାହୁ ଏକ ପ୍ରକାର ସଂକଳ୍ପ ନେଇଥିବା ଜଣା ପଡ଼ିଯାଉଛି  । ରାଜ୍ୟ ସଭାପତି ମନମୋହନ ବଡ଼ଚଣାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦଳୀୟକର୍ମୀ ସମ୍ବର୍ଦ୍ଧିିତ କରିବା ପରେ ଏକ ଶୋଭାଯାତ୍ରାରେ ଧର୍ମଶାଳାକୁ ପାଛୋଟି ଆଣିବେ । ଧର୍ମଶାଳା ସିନେମା ହଲପାଖରୁ ବିଧାୟକ ସାହୁଙ୍କ ସମେତ ଦଳୀୟକର୍ମୀ  ସ୍ୱାଗତ ଜଣାଇ ମହୋତ୍ସବ ପଡ଼ିଆକୁ ନେଇଯିବେ  । ମିଶ୍ରଣ ପର୍ବ ସହ ଆୟୋଜିତ ସଭାରେ ସଭାପତି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ପୂର୍ବକ ସଂଗଠନକୁ ଶକ୍ତିଶାଳୀ କରିବା ନିମିତ ଗୁୁରୁମନ୍ତ୍ରଣା ଦେବେ । ମିଶ୍ରଣ ପର୍ବ ପରେ ରାଜ୍ୟ ସଭାପତି ବ୍ୟାସନଗର ପୈାରାଞ୍ଚଳରେ ପହଁଚିବେ । ପାଣିକୋଇଲି ଠାରୁ ଶୋଭାଯାତ୍ରାରେ କୋରେଇ ନିର୍ବାଚନ ମଣ୍ଡଳୀ ନେତା ଏବଂ କର୍ମୀ ତାଙ୍କୁ ପାଛୋଟି ଆଣିବେ । ପୈାରାଂଚଳର ହୋଟେଲ ବ୍ରାହ୍ମଣୀ ଠାରେ ଅବସ୍ଥାନ କରିବା ପୂର୍ବକ ଉକ୍ତ ସଂନ୍ଧ୍ୟାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଉପନିତ ହେବେ । ତହିଁପରଦିନ ସକାଳେ ସୁୁକିନ୍ଦା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ପରେ ଯାଜପୁର ଏବଂ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯିବେ । ସଠିପୁର ଠାରୁ ସଭାପତିଙ୍କୁ ଯାଜପୁର ବିଜେପି ନେତା ଶୋଭାଯାତ୍ରାରେ ନେଇ ଯିବାପରେ ସଭାପତି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ନନ୍ଦିପୁର ଠାରେ ପହଁଚି କର୍ମୀ ସମାବେଶରେ ସାମିଲ ହେବେ । ଦୁଇଦିନିଆ ଗସ୍ତକୁ ସଫଳ କରିବା ପାଇଁ ଯାଜପୁର ଜିଲା ବିଜେପି ନେତା ରୋଡ଼ମ୍ୟାପ ପ୍ରସ୍ତୁତକରିଥିବା ବେଳେ ଧର୍ମଶାଳା ମିଶ୍ରଣ ପର୍ବ ଉପରେ କିନ୍ତୁ ରାଜନୈତିକ ମହଲର ନଜର ରହିବ ବୋଲି କୁହାଯାଉଛି  ।