୧୦ କୋଟିିର ତେଲିବାହାଳି ପାର୍କ : ନିର୍ମାଣ ସରିନି ନଷ୍ଟ ହେବାକୁ ବସିଲାଣି
ଯଖପୁରା : ସାଧାରଣ ଲୋକଙ୍କ ବ୍ୟସ୍ତ ବହୁଳ ଜୀବନରୁ ଟିକେ ମାନସିକ ଶାନ୍ତି ପାଇଁ ଅନେକ ରାସ୍ତା ଖୋଜିଥାଏ । ଖେଳକୁଦ କି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଅଥବା ପ୍ରମୋଦ ଉଦ୍ୟାନରେ ବୁଲା ବୁଲି କରିବାକୁ ପସନ୍ଦ କରିଥାନ୍ତି । ଯାହାକୁ ଆଖି ଆଗରେ ରଖି ସୁକିନ୍ଦାର ତକôାଳୀନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ସୁକିନ୍ଦା ହେଉ କି ଦାନଗଦୀ ବ୍ଲକ୍ର ଅନେକ ସ୍ଥାନରେ ପାର୍କ ମାନ ନିର୍ମାଣର ଶୁଭାରମ୍ଭ କରିଥିଲେ । କୋଟି କୋଟି ଟଙ୍କାରେ ଗ୍ରାମୀଣ ପାର୍କ ସବୁ ନିର୍ମାଣ ହୋଇଥିଲା । ସେହି କ୍ରମରେ ଦାନଗଦୀ ବ୍ଲକ୍ ମଙ୍ଗଳପୁର ପଞ୍ଚାୟତ ତେଲିବାହାଳି ଠାରେ ୩୦ଏକର ଜମି ଉପରେ ୯କୋଟି ୭୨ଲକ୍ଷ ଟଙ୍କା ବ୍ୟୟରେ ଏକ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଥିଲା । ଯେଉଁ ପାର୍କକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ବୃଦ୍ଧ ମାନଙ୍କ ପାଇଁ ପାର୍କରେ କିଛି ନା କିଛି ବ୍ୟବସ୍ଥା କରାଯାଇଥିଲା । ଛୋଟଛୋଟ ପିଲା ମାନଙ୍କ ଖେଳିବା ପାଇଁ ବିଭିନ୍ନ କିସମର ଦୋଳି ଖେଳନା ସାମଗ୍ରୀର ବ୍ୟବସ୍ଥା ହୋଇଥିଲା । ଯୁବକଙ୍କ ପାଇଁ ବ୍ୟାୟାମ ସାମଗ୍ରୀର ବ୍ୟବସ୍ଥା ରହିଥିଲା । ତା ସହିତ ବିଭିନ୍ନ କିସମର ଫୁଲ ଗଛ ଠାରୁ ଆରମ୍ଭ କରି ଅନେକ ରଙ୍ଗ ବେରଙ୍ଗର ଗଛ ସବୁ ଲାଗିଥିଲା ।
ଲୋକଙ୍କ ବସା ଉଠା ଓ ବୁଲିବା ପାଇଁ ଅନେକ ବ୍ୟବସ୍ତା ରହିଥିଲା । ପାର୍କର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ କିସମର ଆଲୋକୀକରଣ କରାଯାଇଥିଲା । ପାର୍କର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତି ଦିନ ଅନେକ ଲୋକଙ୍କର ଭିଡ ଦେଖିବାକୁ ମିଳୁଥିଲା । ମାତ୍ର ଆଜି ତେଲିବାହାଳି ପାର୍କ ଶ୍ରୀହୀନ ହୋଇପଡ଼ିଛି । ପୂର୍ବପରି ପାର୍କର ସୌନ୍ଦର୍ଯ୍ୟ ଦେଖିବାକୁ ମିଳୁନାହିଁ । ପାର୍କର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି । ରାଜ୍ୟରେ ସରକାର ବଦଳିଲା ପରେ ସବୁ ଯେମିତି ଓଲଟ ପାଲଟ ହୋଇଯାଇଛି । ସୁକିନ୍ଦାରେ ନୂତନ ବିଧାୟକଙ୍କ କାର୍ଯ୍ୟକାଳ ବର୍ଷେ ହେବାକୁ ବସିଲାଣି । ମାତ୍ର ପୂର୍ବ ସରକାର ସମୟରେ ହୋଇଥିବା ଅନେକ କାର୍ଯ୍ୟ ଅଧା ପାନ୍ତରିଆ ହୋଇ ପଡ଼ିରହିଛି । ଯାହାକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ ଉଠିଛି । ପାର୍କ କଥା ପଚାରେ କିଏ? ସାଧାରଣ ଲୋକେ ଅଭିଯୋଗ କରିଛନ୍ତି କି କୋଟି କୋଟି ଟଙ୍କାରେ ନିର୍ମିତ ପାର୍କର ଭବିଷ୍ୟତ କ’ଣ? ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ, ପାର୍କ ନଷ୍ଟ ହେବାକୁ ବସିଛି । ପାର୍କର ରକ୍ଷଣା ବେକ୍ଷଣ ଅଭାବ ପାଇଁ ଅନାବନା ଗଛ ସବୁ ଉଠିଲାଣି । ପୂର୍ବରୁ ଲଗା ଯାଇଥିବା ଅନେକ ଗଛ ନଷ୍ଟ ହୋଇଗଲାଣି । ପାର୍କରେ ହୋଇଥିବା ଆଲୋକୀକରଣ ସବୁ ଖରାପ ହୋଇଗଲାଣି । ପାର୍କର ଦାଇତ୍ୱ ନେବାକୁ କର୍ମଚାରୀ ନାହାଁନ୍ତି । ଫଳରେ ପାର୍କରେ ହୋଇଥିବା ଅନେକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ସାମଗ୍ରୀ ଭାଙ୍ଗି ରୁଜି ଗଲାଣି । ବ୍ୟାୟାମ ପାଇଁ ବ୍ୟବସ୍ଥା ହୋଇଥିବା ସାମଗ୍ରୀ ସବୁ ଉପୁଡ଼ି ପଡ଼ିଛି । ଯାହାର ଆଉ ମରାମତି ହେଉନାହିଁ । ମୋଟ ଉପରେ ଦେଖିବାକୁ ଗଲେ ପାର୍କ ତାର ଅସ୍ଥିତ୍ୱ ହରାଇଛି । ପାର୍କ ପାଇଁ ବ୍ୟବସ୍ଥା ହୋଇଥିବା ୯ କୋଟି ୭୨ଲକ୍ଷ ଟଙ୍କାରୁ ମାତ୍ର ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଏବେ ସୁଦ୍ଧା ଆହୁରି ୨କୋଟି ୭୨ ଲକ୍ଷ ଟଙ୍କା ପାର୍କରେ ଖର୍ଚ୍ଚ ହୋଇପାରିନାହିଁ ବୋଲି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସୁକିନ୍ଦା ରେଞ୍ଜର ମତାମତ ରଖିଥିଲେ । ଆଶ୍ଚର୍ଯ୍ୟର କଥା ପାର୍କ ନିର୍ମାଣ ପାଇଁ କରାଯାଇଥିବା ବରାଦ ଅର୍ଥ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ନ ଥିବାବେଳେ, ପାର୍କଟି ନଷ୍ଟ ହେବାକୁ ବସିଲାଣି । ପାର୍କର ଏପରି ଅବସ୍ଥା ଦେଖି ସ୍ଥାନୀୟ ଅଂଚଳର ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପାର୍କର ରକ୍ଷଣା ବେକ୍ଷଣ ତଥା ପୂର୍ଣ୍ଣାଙ୍ଗ କାର୍ଯ୍ୟ ସାରିବା ପାଇଁ ଅଂଚଳବାସୀ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ।