୧୨ ଦେଶର ପ୍ରତିନିଧିଙ୍କ ବିଧାନସଭା ପରିଦର୍ଶନ
ଭୁବନେଶ୍ୱର : ଆଜି ନୂଆଦିଲ୍ଲୀ ସ୍ଥିତ ଲୋକସଭା ସଚିବାଳୟର ‘ପ୍ରାଇଡ୍’ ତରଫରୁ ୧୨ଟି ଦେଶର ୪୦ ବିଦେଶୀ ପ୍ରତିନିଧି ବିଧାନସଭା ପରିଦର୍ଶନ କରିଛନ୍ତି । ବାଚସ୍ପତି ସୁରମା ପାଢୀ ଏହି ବୈଠକକୁ ଉଦ୍ଘାଟନ କରିବା ସହ ଉପସ୍ଥିତ ପ୍ରତିନିଧିମାନଙ୍କୁ ଓଡ଼ିଶା ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ସର୍ବଶ୍ରେଷ୍ଠ । ଚଳିତ ୧୭ ତମ ବିଧାନସଭାର ପ୍ରଥମ ବର୍ଷରେ ମୋଟ ୬୨ ଦିନ ଅଧିବେଶନ କାର୍ଯ୍ୟ ଦିବସ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇପାରିଛି । ଏତଦ୍ବ୍ୟତୀତ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଇଜେସନ୍ ଏବଂ କମ୍ପ୍ୟୁଟରୀକରଣ ହେବା ସହ ନେଭା ପ୍ରୋଜେକ୍ଟ ଦ୍ୱାରା ସମସ୍ତ କାର୍ଯ୍ୟକୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଜାରିରହିଛି ବୋଲି ବାଚସ୍ପତି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଓଡିଶା ବିଧାନସଭାର ବିଧି ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମସ୍ତ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ । ସେହିପରି ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସଂସଦୀୟ ଓ ସାଂସ୍କୃତିକ ପରମ୍ପରାର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆହୁରି ନିବିଡ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ସାଂସଦ ସୁଜିତ କୁମାର ଭାରତୀୟ ସଂସଦୀୟ ପରମ୍ପରା ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ବିଧାନସଭାର ଗବେଷଣା ନିର୍ଦ୍ଦେଶକ ତ୍ରିବିକ୍ରମ ପ୍ରଧାନ, ପ୍ରଶାନ୍ତ ମଲ୍ଲିକ, ନିର୍ଦ୍ଦେଶକ ପ୍ରାଇଡ ଏବଂ ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।