୨୬ ତାରିଖରୁ ଭାମଣ୍ଡା କପ୍ 

 ରାଜକନିକା: ରାଜକନିକା ବ୍ଲକ୍ର ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ ଭାମଣ୍ଡା ନୃସିଂହ ନାଥ ୟୁଥ କ୍ଲବ ପକ୍ଷରୁ ଏହି ମାସ ୨୬ ତାରିଖ ହେବାକୁ ଥିବା ‘ଭାମଣ୍ଡା କପ' କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭାମଣ୍ଡା ଷ୍ଟାଡିଅମରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ଓ ପ୍ରାୟୋଜକ ମୁକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜକନିକା, ଆଳି, ଚାନ୍ଦବାଲି ଓ ଯାଜପୁର ଅଞ୍ଚଳର ୮ଟି ଦଳର ପ୍ରତିନିଧି ଭାଗ ନେଇଥିଲେ । ପ୍ରଜ୍ଞାଜିତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉମେଶ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଓ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ରଖିଥିଲେ । ମୁଖ୍ୟ ଆୟୋଜକ ଶ୍ରୀ ପଟ୍ଟନାୟକ ବୈଠକରେ ଜାନୁଆରୀ ୨୬ ତାରିଖ ଭାମଣ୍ଡା କପ୍ର ସମସ୍ତ ନିୟମ ଓ ଶୃଙ୍ଖଳା ସମ୍ପର୍କରେ ଉପସ୍ଥିତ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଶିକ୍ଷକ ସଞ୍ଜୟ କୁମାର ବିଶ୍ୱାଳ ଓ ପ୍ରାକ୍ତନ ଖେଳାଳି ପ୍ରତାପ ଚନ୍ଦ୍ର ନାୟକଙ୍କ ଦ୍ୱାରା ଭାମଣ୍ଡା କପ-୨୦୨୫ ଉଦ୍ଘାଟନ ହୋଇଥିଲା । ରିତେଶ ସାମଲ, ବିକ୍ରମ ମହାପାତ୍ର, ଅନନ୍ତ ମହାପାତ୍ର ଓ ସତ୍ୟମ ଦାସଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।