+୨ କଲେଜ ଆରମ୍ଭ ଯୋଗୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା
ଅନୁଗୁଳ : ଟାଇଁସି ଦୀନବନ୍ଧୁ ଜନ କଲ୍ୟାଣ ହାଇସ୍କୁଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ସୁଶୀଲ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଞ୍ଚଳର ବହୁ ବୁଦ୍ଧିଜିବୀ,ଗ୍ରାମ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଯେ ଦୀର୍ଘବର୍ଷ ଧରି ଅଞ୍ଚଳରେ ଏକ କଲେଜ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଉଥିଲା କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ଯୋଗୁଁ ଟାଇସିଁ ଦୀନବନ୍ଧୁ ଜନ କଲ୍ୟାଣ ହାଇସ୍କୁଲ ଠାରେ +୨ କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅନୁମୋଦନ ଲାଭ କରିବା ସହ ଆଜି ଠାରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆଜି ବୈଠକରେ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ । ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ତଥା ଆଇନଜୀବୀ ପ୍ରଦୀପ କୁମାର ପ୍ରଧାନ ଯୋଗଦେଇ କହିଲେ ଯେ ଏହି କଲେଜ ଅନୁମୋଦନ ପାଇବା ଆମ୍ଭ ଅଞ୍ଚଳର ଦୀର୍ଘ ଦିନର ଆଶା ଓ ସ୍ୱପ୍ନକୁ ପୂରଣ କରିପାରିଛି । ଏହା ଆମ୍ଭ ଅଞ୍ଚଳର ବିକାଶ ଦିଗରେ ସହାୟକ ହେବ । ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତଥା କଲେଜର ଇନଚାର୍ଜ ଅଧକ୍ଷା ମନସ୍ୱନି ପ୍ରଧାନ କଲେଜର ନାମଲେଖା ପାଇଁ ୧୨୮ ସିଟ ଅନୁମୋଦନ ମିଳିଛି ଏବଂ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସେପ୍ଟେମ୍ବର ୪ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୬ ତାରିଖରୁ ୧୦ ତାରିଖ ମଧ୍ୟରେ ନାମଲେଖା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୁଚନା ଦେବା ସହ ଶିକ୍ଷାଦାନ ବ୍ୟବସ୍ଥା ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ସାହୁ, ବ୍ରଜବନ୍ଧୁ ସାହୁ, ସ୍କୁଲ କମିଟି ସଭାପତି ଉମେଶ ଦେହୁରୀ, ସଭ୍ୟ ରାଜେନ୍ଦ୍ର କୁମାର୍ ପ୍ରଧାନ, ସରପଞ୍ଚ ଜୟନ୍ତୀ ବେହେରା ପ୍ରମୁଖ ମଞ୍ଚାସିନ ରହି କଲେଜର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ ।