୨ ସିସିଟିଭି ଲୁଟେରା ଗିରଫ, କ୍ୟାମେରା ଜବତ
ଭଦ୍ରକ : ରାତିରେ ଇଲେକ୍ଟ୍ରିକ ଗାଡ଼ିରେ ବୁଲି ବୁଲି ସିସି ଟିଭି ଲୁଟ କରୁଥିବା ଦୁଇ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଟାଉନ ପୁଲିସ । ଗିରଫ ଦୁଇ ଲୁଟେରା ହେଲେ ଭଦ୍ରକ ସହର ଏରେଇଁ ଅଞ୍ଚଳର ବିଶ୍ୱଜିତ୍ ସେଠୀ ଓ ଯାଜପୁର ଟାଉନ୍ ଅଞ୍ଚଳର ମଙ୍ଗଳ ପୃଷ୍ଟି । ଉଭୟ ସିସିଟିଭି ମେକାନିକ ମଧ୍ୟ । ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ୩୫ ଟି ସିସିଟିଭି କ୍ୟାମେରା ସହ ବ୍ୟବହୃତ ଇଲେକ୍ରିକ ସ୍କୁଟି ଜବତ କରିଛି । ଗତ ଦୁଇ ଦିନ ତଳେ ଏମାନେ ବିଳମ୍ବିତ ରାତ୍ରିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଦୋକାନ ବାହାରେ ଲାଗିଥିବା ପଚାଶରୁ ଉର୍ଦ୍ଧ ସିସିଟିଭି ଲୁଟି ନେଇଥିଲେ । ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରା ଚୋରି ସମୟର ଭିଡିଓ ସିସିଟିଭିର ଭିଡିଓରେ ଦେଖିବାକୁ ମିଳିଥିଲା । କଳା ରଙ୍ଗର ବ୍ୟାଟେରୀ ଗାଡ଼ିରେ ବିଳମ୍ବିତ ଗାଡ଼ିରେ କିପରି ଦୁଇ ଜଣ ଯୁବକ ସହର ସାରା ବୁଲି ବୁଲି ବିଭିନ୍ନ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଲୁଟ କରୁଥିଲେ ବୋଲି ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା କହିଛନ୍ତି ।