୩ଟି ଜନ୍ମ ତାରିଖ ପାଇଁ  ଚାକିରିରୁ ବିଦା ହେଲେ ଅଙ୍ଗନବାଡି କର୍ମୀ 

 କପ୍ତିପଦା : ଜଣେ ମହିଳା ହେଲେ ୩ ଗୋଟି ଜନ୍ମ ତାରିଖ । ଯାହା ଆଜି ତାଙ୍କ ପାଇଁ ମହଙ୍ଗା ପଡିଛି । ଚାକିରିରୁ ବିଦା ହୋଇଛନ୍ତି ଅଙ୍ଗନବାଡି କର୍ମୀ । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ନେଇଛି ଆକ୍ସନ । କପ୍ତିପଦା ବ୍ଲକ ଦେବାନବାହାଳୀ - ୨ ଅଙ୍ଗନବାଡିର ଅଙ୍ଗନବାଡି କର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଅଙ୍ଗନବାଡି କର୍ମୀ ସୁମି ସିଂ ଶମ୍ବୁରାଇ ନିଜ ଜନ୍ମ ତାରିଖରେ ତଞ୍ଚକତା କରି ହାତେଇଥିଲେ ଅଙ୍ଗନବାଡି କର୍ମୀ ପଦବୀ । ଡିସେମ୍ବର ୨୩ ତାରିଖ ୨୦୨୨ ମସିହାରୁ ଦେବାନବାହାଳୀ - ୨ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଥିବା ସୁମି ସିଂ ଶମ୍ବୁରାଇଙ୍କ ଜନ୍ମତାରିଖକୁ ନେଇ ଅଭିଯୋଗ ହୋଇଥିଲା । ନିୟମକୁ ଉଲ୍ଲଙ୍ଘନ କରାଯାଇ ତାଙ୍କୁ ନିଯୁକ୍ତି ଦିଆ ଯାଇଥିବା ଅଭିଯୋଗ ସହିତ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟ ଦସ୍ତାବିଜରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଥିବା ଅଭିଯୋଗ ହୋଇଥିଲା । ଯାହାର ଖୋଳତାଡ଼ ପରେ ସୁମିଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଥିବା ଜଣାପଡିଥିଲା । ସୁମି ପଢିଥିବା ଭୁଟାସାହି ଅଙ୍ଗନବାଡି କେନ୍ଦ୍ରରେ ତାଙ୍କର ଜନ୍ମ ତାରିଖ ସେପ୍ଟେମ୍ବର ୬ ତାରିଖ ୧୯୯୫ ମସିହା ଥିବାବେଳେ ସ୍କୁଲ ସାର୍ଟିଫିକେଟରେ ମଇ ୨ ତାରିଖ ୧୯୯୯ ମସିହା ଏବଂ ତେଲିପାଳ ସରକାରୀ ହାଇସ୍କୁଲ ସାର୍ଟିଫିକେଟରେ ୨୦୦୦ ମସିହା ମାର୍ଚ୍ଚ ୬ ତାରିଖ ରହିଛି । ଯାହାକି ଏ ସବୁ ଦସ୍ତାବିଜ ଯାଞ୍ଚ କରିବା ପରେ ଏ ନେଇ ଏକ ତଦନ୍ତ କରାଯାଇଥିଲା । ଯାହାକୁ ପରେ ତାଙ୍କୁ ଚାକିରିରୁ ବିଦା କରିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ଚାକିରିରୁ ବହିଷ୍କାର କରି ଉକ୍ତ ପଦବୀ ନିମନ୍ତେ ନୂତନ ନିଯୁକ୍ତି ପାଇଁ ସୂଚନା ବାହାର କରିବାକୁ ଜିଲ୍ଲାପାଳ ର୍ନିେଶ ଦେଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କପ୍ତିପଦା ସିଡିପିଓଙ୍କୁ ଚିଠି କରିଛନ୍ତି । ମୟୁରଭଞ୍ଜ ସମାଜ କଲ୍ୟାଣ ବିଭାଗ ବାରିପଦା ଚିଠି ନମ୍ବର - ୪୫୪୪ ତାରିଖ ୦୧.୦୯.୨୫ ଅନୁସାରେ ତୁରନ୍ତ ଅଙ୍ଗନବାଡି କର୍ମୀ ସୁମି ସିଂ ଶମ୍ବୁରାଇଙ୍କୁ ଚାକିରିରୁ ବାହାର କରି ନୂତନ ନୋଟିଫିକେସନ ବାହାର କରିବାକୁ କପ୍ତିପଦା ସିଡିପିଓଙ୍କୁ ହୋଇଛି ଚିଠି । ଉକ୍ତ ଚିଠି ଆଧାରରେ ତାଙ୍କୁ ସୂଚନା ଦିଆଯିବା ସହିତ ହୋଇଥିବା ଆକ୍ସନ ନେଇ ଅଙ୍ଗନବାଡି କର୍ମୀଙ୍କୁ ଚିଠି କରାଯାଇଥିବା କହିଛନ୍ତି କପ୍ତିପଦା ସିଡିପିଓ କିତନି ଲିଆଙ୍ଗି ।