୪ ଦିନରେ ୨ କୋଟିର ଚାଲାଣ : ପରିବହନ ବିଭାଗ ପକ୍ଷରୁ କଡ଼ା ଚେକିଂ

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି । ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଏହି ପକ୍ଷରେ ପ୍ରଥମ ୪ ଦିନରେ କେବଳ ପରିବହନ ବିଭାଗ ଦ୍ୱାରା ୧୨,୧୫୫ ଇ-ଚାଲାଣରେ ୨ କୋଟିରୁ ଅଧିକ ଟଙ୍କାର ଜରିମାନା ଜାରି କରାଯାଇଛି । ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ଦ୍ୱାରା କଡ଼ାକଡ଼ି ଏନଫୋର୍ସମେଣ୍ଟକୁ ପ୍ରାଧାନ୍ୟ ଦିଆଯାଇଛି । ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ଅଧିକ ଘଟୁଥିବାରୁ ଏହା ଉପରେ ବିଶେଷ ନଜର ରଖାଯାଇଛି । କେବଳ ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ବିରୋଧରେ ଶୂନ ମୃତାହତ ପକ୍ଷର ପ୍ରଥମ ୪ ଦିନରେ ୩,୮୫୮ ଇ-ଚାଲାଣ ଜାରି କରାଯାଇଛି । ସେହିଭଳି ବିନା ହେଲମେଟ୍‌ରେ ୨ ଚକିଆରେ ଯାଉଥିବାରୁ ୩୨୧୩ ଇ-ଚାଲାଣ ଜାରି କରାଯାଇଛି । ବିନା ସିଟବେଲ୍ଟରେ ୨୯୨୧, ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାରରେ ୪୯୮, ନିଶା ସେବନ କରି ଗାଡ଼ି ଚଲାଉଥିବା ଯୋଗୁଁ ୧୩୫, ଦୁଇ ଚକିଆରେ ଦୁଇରୁ ଅଧିକ ଯାଉଥିବାରୁ ୬୨୮, ବିପରୀତ ଦିଗରେ ଗାଡ଼ି ଚଲାଉଥିବାରୁ ୨୩୬, ବେଆଇ ପାର୍କିଂ ଯୋଗୁଁ ୬୬୬ ଚାଲାଣ ଜାରି କରାଯାଇଛି ।