୭କୋଟିର ‘ଆମ ବସଷ୍ଟାଣ୍ଡ’, ଅବଧି ପରେ ବି ସରୁନି

 ଅବଧି ସରିଗଲାଣି । ହେଲେ କାର୍ଯ୍ୟ ଅଧାବି ହୋଇନି । ଗୋଟେ ପଟେ କାର୍ଯ୍ୟ କେବେ ସରିବ, ତାକୁ ନେଇ ଲୋକେ ସନ୍ଦିହାନରେ ରହିଥିବା ବେଳେ ଅନ୍ୟପଟେ ୭କୋଟିରେ ନିର୍ମିତ ‘ଆମ ବସଷ୍ଟାଣ୍ଡ’ ନିମ୍ନମାନର ହେଉଥିବା ଅଭିଯୋଗ ଆସିଛି । ଖବର ମତେ ଯାଜପୁର ବ୍ଲକ ଜମଧର ପଞ୍ଚାୟତର ସ୍ୱପ୍ନେଶ୍ୱରପୁର ଠାରେ ପୂର୍ବ ସରକାର ସମୟରେ ୭କୋଟି ଟଙ୍କାର ବ୍ୟୟ ବରାଦରେ ମୋ ବସଷ୍ଟାଣ୍ଡ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଠିକାଦାରୀ ପି.ଡି କଣ୍ଟେକ୍ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହି ନିର୍ମାଣ କାର୍ଯ୍ୟ ଓଡିଶା ରାଜ୍ୟ ପୁଲିସ ହାସିଂ କର୍ପୋରେସନ ଦ୍ୱାରା ଚୁକ୍ତିନାମା ନମ୍ବର ୩୨୯/୨୦୨୩-୨୪ /୧୧/୦୩/୨୦୨୪ରେ ଏକ ବର୍ଷ ଅବଧି ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଅବଧି ସରିଯାଇଥିବା ବେଳେ ଚୁକ୍ତି ଅନୁଯାୟୀ ଅଧାବି କାର୍ଯ୍ୟ ହୋଇନି । ଏହି ନିର୍ମାଣ କାର୍ଯ୍ୟରେ ଅତି ନିମ୍ନମାନର ଇଟା, ସିମେଣ୍ଟ, ମାଟିମିଶା ବାଲି, କଂକ୍ରିଟ, ଲୁହାଛଡ ଆଦି ବ୍ୟବହାର ହେଉଛି । ସିମେଣ୍ଟରେ ଆବଶ୍ୟକତା ଠାରୁ ଅଧିକ ପରିମାଣର ମାଟିମିଶା ପତଳା ବାଲିକୁ ମିଶାଇ କାର୍ଯ୍ୟ ହେଉଥିବା ବେଳେ ଏହାକୁ ତଦାରଖ କରିବାକୁ ପୁଲିସ ହାଉସିଂ ବୋର୍ଡ ପକ୍ଷରୁ କୌଣସି ଅଧିକାରୀଙ୍କ ଉପସ୍ଥିତି ରହୁ ନାହାନ୍ତି । ପ୍ରବଳ ତାତି ମଧ୍ୟରେ କାର୍ଯ୍ୟ ହେଉଥିଲାବେଳେ କୌଣସି ଦିନ ପ୍ରକଳ୍ପରେ ପାଣି ଦିଆଯାଉନଥିବା ଅଭିଯୋଗ ହେଉଛି । ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳୁନଥିବା ବେଳେ ଠିକାଦାର ଅତି ଚତୁରତାର ସହିତ ମନମାନୀରେ କାମ କରୁଥିବାର ସାଧାରଣରେ ଅଭିଯୋଗ ହେଉଛି । ଅପ୍ୟପଟେ କାର୍ଯ୍ୟର ସୂଚନା ଫଳକରେ ଯାଜପୁରପରିବର୍ତେ ବରୁଆଁ ବ୍ଳକ ଉଲ୍ଲେଖ ରହିଛି, ଯାହା ସାଧାରଣରେ ନାପସନ୍ଦ କରାଯାଇଛି । ଏହି ନିର୍ମାଣାଧୀନ ନିମ୍ନମାନର କାର୍ଯ୍ୟକୁ ବିଭାଗୀୟ ଉଚ୍ଚ ପଦାଧିକାରୀ କିମ୍ବା ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଯିବାକୁ ଦୃଢଦାବି ହେଉଛି ।