ସଭାପତିଙ୍କ ଉପରେ ବର୍ଷି ବିଜେପି ଛାଡ଼ିଲେ ଆଲେକ୍ସ
ଦୀର୍ଘ ୧୨ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଛି । ଦଳ ଯେତେ ବେଳେ ଯେଉଁ ଦାୟିତ୍ୱ ଦେଇଛି, ତାହାକୁ ସୂଚାରୁ ରୂପେ ତୁଲାଇଛି । ଜଣେ ଯୁବ ସଂଗଠକ ଭାବେ ମୁଁ ମଧ୍ୟ କୋରେଇ ଆସନ ପାଇଁ ଦାବିଦାର ଥିଲି । ହେଲେ ଦଳ ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କଲା । ପ୍ରାର୍ଥୀ ଘୋଷଣାର ୩୪ଦିନ ପରେବି ଦଳ ଆମକୁ ସମ୍ମାନ ଦେଲାନି । ନିଜର ଆତ୍ମ ସମ୍ମାନ ଏବଂ ସହକର୍ମୀଙ୍କ ଭାବନା ଦୃଷ୍ଟିରୁ ମୁଁ ଭାରତୀୟ ଜନତା ପାର୍ଟିିରୁ ଇସ୍ତଫା ଦେଉଛି । ଏକଥା କହିଛନ୍ତି ଯୁବ ନେତା ତଥା ପ୍ରାକ୍ତନ ଯାଜପୁର ଜିଲା ଯୁବ ମୋର୍ଚ୍ଚା ସଭାପତି ଆଲେକ୍ଜାଣ୍ଡାର ଦାସ । ବିଜେପିରୁ ଇସ୍ତଫା ଦେବା ନେଇ ରଖିଥିବା ମତରେ ଆଲେକ୍ସ କହିଛନ୍ତି ସେ ଦୀର୍ଘ ୧୨ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲି । ତଥାପି ଦଳ ମୋତେ ଅଣ ଦେଖା କରିଚାଲିଥିଲା । ଗୌତମ ରାୟ ସଭାପତିତ୍ୱ ସମୟରେ ପାଞ୍ଚବର୍ଷ ହେଲା ମୁଁ ଉପେକ୍ଷିତ ହୋଇ ରହିଛି । ତଥାପି ମୁଁ ୨୪ ନିର୍ବାଚନ ପୂର୍ବରୁ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୌରାଞ୍ଚଳ, କୋରେଇ ଓ ରସୁଲପୁର ବ୍ଲକର ସମସ୍ତ ପଞ୍ଚାୟତରେ ଘରକୁ ଘର ଅଭିଯାନ କରି ଦଳକୁ ମଜବୁଦ କରିବାକୁ ଉଦ୍ୟମ କରିଥିଲି । ଚଳିତ ନିର୍ବାଚନରେ ଜଣେ ଆଶାୟୀ ରହିଥିଲି । ଦଳ ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କରିବାର ୩୪ଦିନ ଅତିକ୍ରାନ୍ତ ହେଲାଣି । ବିଜେପି ନେତୃତ୍ୱ କୌଣସି ବିଚାରବିମର୍ଶ କରିବାକୁ ଆସିଲେନି । ଏଣୁ ଆତ୍ମସମ୍ମାନ ଏବଂ କର୍ମୀଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି ବୋଲି ଆଲେକ୍ସ କହିଛନ୍ତି । ଆଗାମି କାର୍ଯ୍ୟପନ୍ଥା ସଂପର୍କରେ ପଚାରିରେ ଯେଉଁ ଠୁ ସମ୍ମାନ ମିଳିବ ସେଇଠିକି ଯିବୁ ବୋଲି କହିଥିିଲେ । ତେବେ ସୂତ୍ରରୁ ମିଳିଥିବା ଖବର ମତେ ବୁଧବାର କୋରେଇ ବ୍ଲକ ଧନେଶ୍ୱର ଠାରେ ବିଜେଡ଼ିର ହେବାକୁ ଥିବା ବିଜେଡ଼ି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କ ନିମିତ ସମ୍ବର୍ଦ୍ଧନା ସଭାରେ ଆଲେକ୍ସ ସଦଳବଳେ ଶଙ୍ଖ ଫୁୁଙ୍କିବେ ।