ଶାସକ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ
ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ : ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର ସେତିକି ଜୋରଦାର ହେଉଛି । ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରମାନଙ୍କୁ ପ୍ରଭାବିତ କରିବା ଓ ପରସ୍ପର ପରସ୍ପର ପ୍ରତି କାଦୁଅ ଫିଙ୍ଗା ଯେତିକି ଉତ୍ସାହପ୍ରଦ ହେଉଛି କେଉଁ ପ୍ରାର୍ଥୀ ଜିତାପଟ ନେବ ତାହା ଏବେବି ସନେ୍ଦହ ଘେରରେ ଥିବା ବିିଭିନ୍ନ ମହଲରେ ଆଲୋଚନା ହେଉଛି । ଦୀର୍ଘ ୧୦ ବର୍ଷ ଧରି ମାହାଙ୍ଗା ବିଧାନସଭା ଆସନରେ ପ୍ରତାପ ଜେନା ବିଜୟଲାଭ କରି ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କର ସେବା କରିବା ସହ ମାହାଙ୍ଗା ଅଞ୍ଚଳ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମମାନ କରିଛନ୍ତି ବୋଲି କର୍ମୀମାନେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଉଛନ୍ତି । ତେବେ ଚଳିତ ନିର୍ବାଚନରେ ସରକାର ପ୍ରତାପ ଜେନାଙ୍କ ଉପରେ ଭରସା ନକରି ତାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ଦଳୀୟ ଟିକେଟ ଦେଇଛି । ଅଙ୍କିତ ପ୍ରତାପ ଜେନା ଯୁବକ ହିସାବରେ ଯୁବଗୋଷ୍ଠୀଙ୍କ ମନକିଣୁଥିବା ସହ ସରକାରଙ୍କର ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇ ଓ ପୁରୁଖା କର୍ମୀମାନଙ୍କୁ ପାଖରେ ରଖି ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବାପାଙ୍କ ସହ ଦୁଇଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଶାରଦା ପ୍ରଧାନ ବିଜେପି ଦଳରୁ ଟିକେଟ ନପାଇ ସ୍ୱାଧୀନପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି । ମାହାଙ୍ଗାର ସ୍ୱାଭିମାନକୁ ନେଇ ଶାରଦା ବିଭିନ୍ନ ସ୍ଥାନରେ କର୍ମୀସମାବେଶ କରୁଥିବା ବେଳେ ପ୍ରତି ପଞ୍ଚାୟତରେ ଶତାଧିକ କର୍ମୀମାନଙ୍କ ଗହଣରେ ଚାଲି ଚାଲି ଭୋଟରମାନଙ୍କୁ ପ୍ରଭାବିତ କରିବା ସହ ମାହାଙ୍ଗାରୁ ଅନ୍ୟାୟ, ଦୁର୍ନୀତି ହଟାଇ ସ୍ୱଚ୍ଛ ଶାସନ ଆଣିବା ପାଇଁ ଶାରଦା ପ୍ରଧାନଙ୍କୁ ଭୋଟ ଦେବା ନିତାନ୍ତ ଆବଶ୍ୟକ ବୋଲି ଅନୁରୋଧ କରିଛନ୍ତି । ତେବେ ଶାରଦା ପ୍ରଧାନ ମାହାଙ୍ଗା ଅଞ୍ଚଳରୁ ଦଳରେ ଥାଇ ଦୁଇଥର ହାରିଥିବା ବେଳେ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିବାରୁ ସାଧାରଣ ଜନତା କେତେଦୂର ଶାରଦାଙ୍କୁ ଗ୍ରହଣ କରିବେ ତାହା ସମୟ କହିବ ବୋଲି ବୁଦ୍ଧିଜୀବୀମାନେ କଥା ହେଉଥିଲା ବେଳେ ରାଜ୍ୟରେ ପରିବର୍ତ୍ତନର ସୁଅ ଛୁଟୁଥିବା ପରିଲକ୍ଷିତ କରାଯାଇଛି । ସେହିପରି ବିଜେପି ଦଳରୁ ନୂତନ ଭାବରେ ସୁମନ୍ତ ଘଡେଇଙ୍କ ନାଁ ସିଦ୍ଧାନ୍ତ କରାଯାଇ ଦଳ ଟିକେଟ ଦେଇଥିବାରୁ ବିଜେପି ପ୍ରାର୍ଥୀ ସୁମନ୍ତଙ୍କୁ ଜିତାଇବା ପାଇଁ ସାଂସଦ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଜୀ ପ୍ରଚାର କରି ଯାଇଥିବା ବେଳେ ପୁନର୍ବାର ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ରାପଡା ଆସିବାର ତାରିଖ ସ୍ଥିର ହୋଇଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସୁମନ୍ତ ଘଡେଇଙ୍କୁ ଜିତାଇବା ପାଇଁ କେନ୍ଦ୍ର ନେତୃମଣ୍ଡଳୀଙ୍କର ପ୍ରଭାବ ପଡି ନପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି । ତତ୍ପରେ ଜାତୀୟ କଂଗ୍ରେସ ଦଳରୁ ଦେବେନ୍ଦ୍ର ସାହୁ ଦଳୀୟ ଚିହ୍ନ ପାଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ସହ ଗ୍ରାମାଞ୍ଚଳରେ କଂଗ୍ରେସ ଦଳର ସାଂଗଠନିକ ଦୁର୍ବଳ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦଳର କର୍ମୀ ସମ୍ମିଳନୀରେ ବିଜେଡି ଦଳ ଆଗରେ ଥିବା ବେଳେ ଶାରଦା ପ୍ରଧାନ ସ୍ୱାଧୀନ ହେଲେ ବି ଶାସକ ଦଳଠାରୁ କୌଣସି ଗୁଣରେ କମ୍ ନଥିବା ଦେଖିବାକୁ ମିଳୁଥିଲା ବେଳେ ବିଜେପି ଓ କଂଗ୍ରେସ ତାଳ ଦେବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ ଆସନ୍ତା ୧ ତାରିଖରେ ନିର୍ବାଚନ ଥିବାରୁ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କର ଗ୍ରସ୍ତ ପରେ ମାହାଙ୍ଗାର ସ୍ଥିତି କିଛି ବଦଳିପାରେ ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି । ମାତ୍ର ଚଳିତ ନିର୍ବାଚନ ଶାସକ ଓ ସ୍ୱାଧୀନପ୍ରାର୍ଥୀ ଶାରଦାଙ୍କ ମଧ୍ୟରେ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଆକଳନ କରାଯାଉଛି ।