ରଥଯାତ୍ରା ଦଳାଚକଟାରେ ଭକ୍ତଙ୍କ ମୃତୁ୍ୟ ଘଟଣା : ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡ଼ି
ଗୋପ : ଚଳିତ ବର୍ଷ ଶ୍ରୀକ୍ଷେତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପରିଚାଳନାଗତ ତ୍ରୁଟି ଯୋଗୁଁ ନନ୍ଦିଘୋଷ ରଥ ନଗଡିବା ଏବଂ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତୁ୍ୟ ଘଟଣା ନେଇ ଗୋପ ବ୍ଲକ୍ ବିଜେଡି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥର ରଥଯାତ୍ରା ସ୍ମରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଶ୍ୱାସନା ଦେଇଥିଲେ । କିନ୍ତୁ ଏମିତି କିଛି ଅଘଟଣ ଘଟିବ ତାହା କେହି ଭାବି ନଥିଲେ । ଏ ନେଇ ଗୋପ ବଜାର ଛକ ଉପରେ ବିଜେଡି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ପୁତ୍ତଳିକା ଦାହ କରିଥିଲେ । ବିଜେପି ସରକାର ଭକ୍ତଙ୍କ ଭାବାବେଗ, ବିଶ୍ୱାସରେ ବିଷ ଦେଇଛି । ଏଣୁ ନୈତିକତା ଦୃଷ୍ଟିରୁ ଏ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ଦରକାର କହି ବିଜେଡ଼ି କର୍ମୀମାନେ ବିକ୍ଷୋଭ କରିଛନ୍ତି । ସରକାର ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରିବା ସହ କିଛି କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଏ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହାସ୍ୟାସ୍ପଦ । ଏହାକୁ ତୀବ୍ର ବିରୋଧ କରିବା ସହ ଏହାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଗୋପ ବ୍ଲକ୍ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ସଂଗ୍ରାମ, କୁନା, ଗୋଲାମ, ବାବୁ, ବିପିନ, ରମେଶ, ଅନ୍ୟାନ୍ୟ ଶତାଧିକ କର୍ମୀ ଏହାର ନେତୃତ୍ୱ ନେଇଥିଲେ ।