ଭଗିନୀ ନିବେଦିତାଙ୍କ ଦୃଷ୍ଟିରେ ଭାରତର ରାଷ୍ଟ୍ରୀୟତା
ଡ.ସମନ୍ୱୟ ନନ୍ଦ : ଭଗିନୀ ନିବେଦିତା ଭାରତୀୟ ମାନଙ୍କ ପାଇଁ ଆଦୌ ଅପରିଚିତ ନୁହନ୍ତି । ଅଧିକାଂଶ ଭାରତୀୟ ତାଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ପରମ ଶିଷ୍ୟା ରୂପେ ଜାଣନ୍ତି । ତେବେ ତାଙ୍କ ବିଷୟରେ ଆଲୋଚନା କରାଗଲା ବେଳେ ଗୋଟିଏ କଥାକୁ ନିଃସନ୍ଦେହରେ କୁହା ଯାଇ ପାରେ ଓ ତାହା ହେଲା ଯେ ଇତିହାସ ଓ ଐତିହାସିକ ମାନେ ତାଙ୍କ ସହ ନ୍ୟାୟ କରି ନାହାନ୍ତି । ଜଣେ ବିଦେଶିନୀ ଯିଏ ଭାରତକୁ ଭଲ ପାଇ ତାର ସମସ୍ତ ଜୀବନ ସନାତନ ଧର୍ମ ଓ ଭାରତ ମାତାଙ୍କ ଚରଣରେ ଅର୍ପିତ କରି ଦେଇଥିଲେ ତାଙ୍କର ବ୍ୟକ୍ତିତ୍ୱ ଓ କୃତିତ୍ୱ ସମ୍ପର୍କିତ ବିଭିନ୍ନ ଆୟାମ ସମ୍ପର୍କରେ ସେତେ ଆଲୋଚନା ହୁଏ ନାହିଁ ଯେତିକିର ସେ ହକଦାର ଅଟନ୍ତି । ସେ ଏକ ଏପରି ସମୟର ଦାସତ୍ୱର ବେଡିରେ ବନ୍ଧା ଭାରତର ଅଜଣା ଲୋକ ମାନଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଦି କ୍ଷେତ୍ରରେ ସେବା କରିଥିଲେ । ତତ୍କାଳୀନ ଶାସକ ଇଂରେଜ ମାନଙ୍କର ଭାରତୀୟ ମାନଙ୍କ ପ୍ରତି କ୍ରୁରତାକୁ ଦେଖି ସେ ସହ୍ୟ କରି ପାରି ନ ଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସାମିଲ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହ ଇଂରେଜ ମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ । ଭଗିନୀ ନିବେଦିତା ତାଙ୍କ ଜୀବନରେ କରିଥିବା ସମସ୍ତ ସେବା କାର୍ଯ୍ୟ ନିଃସ୍ୱାର୍ଥ ଭାବ ନେଇ କରିଥିଲେ । ଭାରତରେ ସେବା କାର୍ଯ୍ୟ କରୁଥିବା ବେଳେ ସେ କନଭର୍ଜନ ମାଫିଆ ମାନଙ୍କୁ କଡା ବିରୋଧ କରିଥିଲେ । ସେ ଭାରତରେ ଆସି ସାରିବା ପରେ ଆଉ ଆଇରିଶ ରାଷ୍ଟ୍ରୀୟତାର ହୋଇ ରହି ନ ଥିଲେ । ତାଙ୍କୁ ଭାରତୀୟତାର ରଙ୍ଗରେ ସଂପୂର୍ଣ ଭାବେ ରଙ୍ଗାୟିତ ହୋଇଥିବା ଦେଖିବାକୁ ମିଳିଥିଲା ।
ଜଣେ ବିଶିଷ୍ଟ ବିଚାରକ ତାଙ୍କ ସମ୍ପର୍କରେ କହିଥିଲେ, “ସେ ଭାରତରେ ଯଦିଓ ଜନ୍ମ ଗ୍ରହଣ କରି ନ ଥିଲେ, ହେଲେ ଏହା ନିଶ୍ଚିତ ଯେ ସେ ଭାରତ ପାଇଁ ଜନ୍ମ ହୋଇଥିଲେ ।'' ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ଚନ୍ଦ୍ର ପାଲ ଭଗିନୀ ନିବେଦିତାଙ୍କ ସମ୍ପର୍କରେ କହିଥିଲେ ଯେ '' ଭଗିନୀ ନିବେଦିତା ଯେଉଁ ପ୍ରକାରରେ ଭାରତକୁ ଭଲ ପାଆନ୍ତି, ଭାରତବାସୀ ମାନେ ମଧ୍ୟ ଭାରତକୁ ସେତିକି ଭଲ ପାଆନ୍ତି – ଏଥିରେ ସନ୍ଦେହ ଅଛି । '' ସେ ଭାରତକୁ କେତେ ଭଲ ପାଉଥିଲେ ତାହା ତାଙ୍କର ପୁସ୍ତକ “କାଳି – ଦି ମଦର'', “ଦି ୱେବ ଅଫ ଇଣ୍ଡିଆନ୍ସ ଲାଇଫ'', “ କ୍ରେଡିଲ ଟେଲ୍ସ ଅଫ ହିନ୍ଦୁଇଜମ'', ଏନ ଇଣ୍ଡିଆନ ଷ୍ଟଡି ଅଫ ଲାଇଫ ଏଂଡ ଡେଥ'', “ ଫୁଟଫଲ୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି, '' , “ ରିଲିଜିୟନ ଏଣ୍ଡ ଧର୍ମ'' , “ସିଭିକ ଏଂଡ ନ୍ୟାସନାଲ ଆଇଡିଆଲ୍ସ '' ଆଦି ପଢି ବୁଝାଯାଇପାରେ । ଯେପରିକି ଉପରେ ଉଲ୍ଲେଖ କରାଯାଇଛି ଯେ ଭଗିନୀ ନିବେଦିତାଙ୍କ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ ଭୂମିକା ଥିଲା । ସେ ଜଣେ ପ୍ରଖର – ଓଜସ୍ୱୀ ବକ୍ତା ଥିବା ସହିତ ଜଣେ ଉଚ୍ଚ କୋଟିର ଲେଖିକା ଥିଲେ । ତାଙ୍କର ଲେଖା ଗୁଡିକ ସେତେବେଳେ ହଜାର ହଜାର ଯୁବକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ପ୍ରେରଣା ଦେଉଥିଲା । ଏହି କାରଣରୁ ବ୍ରିଟିଶ ସରକାରଙ୍କ ଅଧିକାରୀ ମାନେ ତାଙ୍କର ଗୁପ୍ତଚରୀ କରୁଥିଲେ ଓ ତାଙ୍କ ଦ୍ୱାରା ଲେଖା ଯାଉଥିବା ପତ୍ର ଗୁଡିକୁ ପଢୁଥିଲେ ।
ଭଗିନୀ ନିବେଦିତା ନିଜର ଲେଖନୀରେ ରାଷ୍ଟ୍ରୀୟତାକୁ କେବଳ ରାଜନୀତି ବା ଷ୍ଟେଟର ଅବଧାରଣା ନୁହେଁ ବରଂ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ରୂପେ ପରିଭାଷିତ କରିଥିଲେ । ତାଙ୍କର ସ୍ପଷ୍ଟ ମତ ଥିଲା ଯେ ଭାରତର ରାଷ୍ଟ୍ରୀୟତାର ଉତ୍ସ ଧର୍ମ, ସଂସ୍କୃତି ଓ ଆତ୍ମାର ଏକତାରେ ରହିଛି, ଏକ ଏପରି ଚେତନା ଯାହା ଲୋକ ମାନଙ୍କ ମଧ୍ୟରେ ଦେଶ ପ୍ରତି ଜୀବନ୍ତ ନିଷ୍ଠା ଓ ଆତ୍ମ ତ୍ୟାଗର ଭାବନା ଉତ୍ପନ୍ନ କରିଥାଏ । ସେ କହୁଥିଲେ ଯେ ଭାରତର ରାଷ୍ଟ୍ରୀୟତା କୌଣସି ଭୌଗୋଳିକ ବା ରାଜନୈତିକ ନିର୍ମାଣ ନୁହେଁ ବରଂ ଏକ ଆତ୍ମିକ ଅନୁଭୂତି ଅଟେ । ତାଙ୍କର ମତ ଥିଲା ଯେ ଭାରତର ରାଷ୍ଟ୍ରୀୟତାର ମୂଳ ଧର୍ମ ଓ ସଂସ୍କୃତିରେ ନିହିତ ରହିଛି ଯାହା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ । ଭାରତର ରାଷ୍ଟ୍ରୀୟତା ସନାତନ ଧର୍ମରୁ ଉତ୍ପନ୍ନ ହୋଇଛି, ସେହି ସନାତନ ଜୀବନ ଦୃଷ୍ଟି ଯାହା ବିଭିନ୍ନତା ମଧ୍ୟରେ ଏକତା ଦେଖିଥାଏ । ଭଗିନୀ ନିବେଦିତାଙ୍କ ଦୃଷ୍ଟିରେ ରାଷ୍ଟ୍ରୀୟତା ହେଉଛି ସେହି ଭାବ, ଯାହା ଦେଶବାସୀ ମାନଙ୍କ ମଧ୍ୟରେ ଆତ୍ମଚେତନା, ସମର୍ପଣ, କରୁଣା, ଓ ସେବା ମାଧ୍ୟମରେ ମାତୃଭୂମି ପ୍ରତି ଦିବ୍ୟତାର ବୋଧ କରାଇଥାଏ । ଏହା କୌଣସି ରାଜନୈତିକ ଏକକ ନୁହଁ ବରଂ ଏକ ଜୀବନ୍ତ ଆତ୍ମା ଯାହା ନିଜର ଅତୀତର ଗୌରବଗାଥା ଓ ଭବିଷ୍ୟତର ଆଦର୍ଶ ସହ ପ୍ରେରିତ ହୋଇ ସମାଜକୁ ଏକତାର ସୂତ୍ରରେ ବାନ୍ଧିଥାଏ ।
‘ସିଭିକ ଏଂଡ ନ୍ୟାସନାଲ ଆଇଡିଆଲ୍ସ’ ରେ ସେ ରାଷ୍ଟ୍ରୀୟତାକୁ କର୍ତ୍ତବ୍ୟ ଓ ଆତ୍ମବଳିଦାନର ଭାବନା ବୋଲି ବର୍ଣନା କରିଛନ୍ତି । ସେ କହିଛନ୍ତି ଯେ କୌଣସି ରାଷ୍ଟ୍ର ସେତେବେଳେ ଜାଗ୍ରତ ହୋଇ ପାରିବ ଯେତେବେଳେ ସେହି ଦେଶର ନାଗରିକ ମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପରିବର୍ତେ ସମାଜ ଓ ମାତୃଭୂମିର ସ୍ୱାର୍ଥକୁ ଅଗ୍ରାଧିକାର ଦେବେ । ତାଙ୍କର ଜୀବନୀ ଲେଖିଥିବା ପ୍ରବ୍ରାଜିକା ଆତ୍ମପ୍ରାଣା ଲେଖିଛନ୍ତି ଯେ ବାସ୍ତବରେ ନିବେଦିତାଙ୍କ ଜୀବନ ତାଙ୍କର ଦୃଢ ସଂକଳ୍ପ ବିଶିଷ୍ଟ ପ୍ରାର୍ଥନାର ପୂର୍ଣ୍ଣତା ଥିଲା । ଭଗିନୀ ନିବେଦିତାଙ୍କ ପ୍ରାର୍ଥନା ଏପରି ଥିଲା - “ହେ ଇଶ୍ୱର, ଗୁରୁଙ୍କ ସ୍ମରଣ କରି ମୋତେ ନିର୍ଭୟପୂର୍ବକ, ଯାହା ସତ୍ୟ, ତାକୁ କହିବାର ସାମର୍ଥ୍ୟ ପ୍ରଦାନ କରନ୍ତୁ । ମୋର ଗୋଟିଏ ଗୋଟିଏ ଶବ୍ଦ ଦ୍ୱାରା ମୋ ଗୁରୁଙ୍କ ପବିତ୍ର, ନିର୍ମଳ ତଥା ନିଷ୍କଳଙ୍କ ଜୀବନ ପ୍ରବାହ ଅଖଣ୍ଡ ରୂପରେ ପ୍ରବାହିତ ହେଉ ଥାଉ । ଯଦ୍ୱାରା ମୃତ୍ୟୁ ସମୟରେ ମୋତେ ଏହି କଥାକୁ ନେଇ କୌଣସି ଦୁଃଖ ରହିବ ନାହିଁ ଯେ ମୁଁ ତାଙ୍କର ଆକାଂକ୍ଷାକୁ ପୂର୍ଣ୍ଣ କରି ନାହିଁ । ମୁଁ ତାଙ୍କ ଚେହେରାରେ ସେହି ବିଶ୍ୱାସ ପୁଣି ଥରେ ଦେଖିବାକୁ ଚାହୁଁଛି ଯେ ଯଦ୍ୱାରା ମୃତ୍ୟୁ ପୂର୍ବରୁ ମୋ ମନରେ ଦୁଃଖ ନ ରହୁ ଯେ ମଁ ତାଙ୍କୁ ନିରାଶ କଲି । ଏହା ହେଉଛି ମୋର ପ୍ରାର୍ଥନା ।” ଭଗିନୀ ନିବେଦିତା ଭାରତର ପୁନର୍ଜାଗରଣରେ ନିଜ ଭୂମିକା ନିର୍ବାହ କରିବା ସହ ତାଙ୍କ ଗୁରୁଙ୍କ ପ୍ରତି ଦୃଢ ସଂକଳ୍ପ ବିଶିଷ୍ଟ ଏହି ପ୍ରାର୍ଥନାକୁ ଜୀବନର ଶେଷ ଯାଏ ଜୀଇଁ ଥିଲେ ।
ନିଜର ସମ୍ପୂର୍ଣ୍ଣ ଜୀବନ ଭାରତ ପ୍ରତି ଉତ୍ସର୍ଗ କରିବା ପରେ ଭଗିନୀ ନିବେଦିତା ଅକ୍ଟୋବର ୧୩, ୧୯୧୧ ରେ ତାଙ୍କର ଜୀବନ ଯାତ୍ରା ପୂରା କରିଥିଲେ । ହିମାଳୟର କୋଳରେ ଦାର୍ଜିଲିଂ ସହରରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା । ତାଙ୍କର ସ୍ମୃତିରେ ଭାରତୀୟ ମାନେ ସେହି ସ୍ଥାନରେ ଏକ ସମାଧି ତିଆରି କରିଛନ୍ତି । ଭାରତୀୟ ମାନେ ସେଠାରେ ଏକ ଶିଳାଲେଖରେ ଲେଖିଛନ୍ତି - “ଯିଏ ନିଜର ସର୍ବସ୍ୱ ଭାରତ ପାଇଁ ସମର୍ପିତ କରି ଦେଇଥିଲେ, ସେହି ଭଗିନୀ ନିବେଦିତା ଏଠାରେ ଚିର ବିଶ୍ରାମ କରୁଛନ୍ତି । ” ବାସ୍ତବରେ ଏହି ଶିଳାଲେଖରେ ଏପରି ଉଲ୍ଲେଖ କରି ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଂଜଳି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଭୁବନେଶ୍ୱର