ଓଲିଉଡ ପାଇଁ ଗର୍ବ : ଆସୁଛି ‘ବାଘୁଣୀ’ (ଡ୍ୟାନ୍ସ ଲାଇକ୍‌ ଏ ଟାଇଗର)

ଓଲିଉଡ ପାଇଁ ଗର୍ବ : ଆସୁଛି ‘ବାଘୁଣୀ’ (ଡ୍ୟାନ୍ସ ଲାଇକ୍‌ ଏ ଟାଇଗର)

ଓଡିଆ ସିନେ ଜଗତ ଏବଂ ସିନେପ୍ରେମୀଙ୍କ ପାଇଁ ଆସିଲା ବଡ ଖୁସି ଖବର  ।  ଅନ୍ତର୍ଜାତୀୟ ସ୍ତରୀୟ ପ୍ରଯୋଜନାରେ ଓଡିଶାର ପ୍ରଥମ ଫିଚର୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ।  ଯେଉଁ ଚଳଚ୍ଚିତ୍ରର ନାଁ ରହିଛି ‘ବାଘୁଣୀ – ଡ୍ୟାନ୍ସ ଲାଇକ୍‌ ଏ ଟାଇଗର’ । ଓଡ଼ିଆ ଚଳଚ୍ଚି଼ିତ୍ର ‘ବାଘୁଣୀ’ (ଡ୍ୟାନ୍ସ ଲାଇକ୍‌ ଏ ଟାଇଗର)ର ପ୍ରଥମ ଝଲକ ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୮ତମ ସଂସ୍କରଣରେ ଉନ୍ମୋଚିତ ହୋଇଛି ।   ପ୍ରାଥମିକ ଭାବରେ ଭାରତ-ୟୁକେ ପ୍ରଡକ୍ସନ୍‌ ଏବଂ ପୋଲାଣ୍ଡ , ଜର୍ମାନୀ , ଇଟାଲୀ , ଚେକ୍‌ ରିପବ୍ଲିକ୍‌ ଓ ଆମେରିକା ସହଭାଗିତାରେ ନିର୍ମାଣ ହେଉଛି ଏହି ଫିଲ୍ମ  ।

 ଏହି ଚଳଚ୍ଚିତ୍ରଟି ଭାରତ ସରକାରଙ୍କ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହ ପ୍ରଯୋଜନାରେ ନିର୍ମିତ ହେବ  । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା, ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ହୋଇଛି ଏହି ସିନେମା ।  ୟୁକେ ସ୍ଥିତ ଓଡିଆ ଉଦ୍ୟୋଗୀ ପାର୍ଥ ପଣ୍ଡା ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି  । ଏହି ଫିଲ୍ମ ବିଭିନ୍ନ ଦେଶରେ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି  । ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଓଡିଶା ଏବଂ ଲଣ୍ଡନର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ଆରମ୍ଭ ହେବ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର  ।  ଏହି ସିନେମା ମାଧ୍ୟମରେ ଆମେ ବିଶ୍ୱକୁ ଓଡିଶାର ସମୃଦ୍ଧ କଳା,ସଂସ୍କୃତି ଏବଂ ଐତିହ୍ୟର ମୂଲ୍ୟବୋଧକୁ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ଅଭିନେତା ।  ଚଳଚ୍ଚିତ୍ର ବିକାଶ ନିଗମ, ଲଣ୍ଡନର ଗ୍ଲୋକାଲ ଫିଲ୍ମସ ଓ ସିନେମା ଫର ଗୁଡ ପ୍ରାଇଭେଟ ଲିମିଟେଡ ମିଳିତ ଭାବେ ଏହି ଚଳଚିତ୍ର ନିର୍ମାଣ ପାଇଁ ସହମତି ଜଣାଇଛନ୍ତି । ଏହି ସିନେମାର ସାଉଣ୍ଡ୍‌ ଡିଜାଇନର୍‌ ଭାବରେ ପ୍ରସିଦ୍ଧ ସାଉଣ୍ଡ୍‌ ଡିଜାଇନର୍‌ ସୁବାଷ ସାହୁ , ସଙ୍ଗୀତ ନିର୍ଦ୍ଦେଶକ ଲୋକପ୍ରିୟ ସଙ୍ଗୀତକାର ପ୍ରେମ୍‌ ଆନନ୍ଦ ଏବଂ ପ୍ରଡକ୍ସନ୍‌ ଡିଜାଇନରେ ସୁକାନ୍ତ ପାଣିଗ୍ରାହୀ ରହିଛନ୍ତି  । ଏହାର ନିର୍ମାତା ଶଙ୍ଖଜିତ୍‌ ଦେ ଓ ଡ.ସୁଲଗ୍ନା ମହାନ୍ତି ସ୍କ୍ରିପ୍ଟ ଲେଖିଥିବାବେଳେ ଜାତୀୟ ପୁରସ୍କାରପ୍ରାପ୍ତ ଉତ୍ପଳ ବାରପୂଜାରୀ ସ୍କ୍ରିପ୍ଟ ପରାମର୍ଶଦାତା ଭାବେ ଦାୟିତ୍ୱ ବହନ କରିଛନ୍ତି । ଏହାସହ ସଂଳାପ ଲେଖିଛନ୍ତି ନିର୍ମାତା ସୁଶାନ୍ତ ମଣି ।  ଅନୁଜ ତ୍ୟାଗୀ କାର୍ଯ୍ୟନିର୍ବାହୀ ପ୍ରଯୋଜକ ,ଡିଏ ଆର୍ଯ୍ୟମନ ପାଢୀ,  ଉଦୟ ଭରଦ୍ୱାଜ ମୋସନ୍‌ ପୋଷ୍ଟର୍‌ ଓ ମୋସନ୍‌ ପୋଷ୍ଟର୍‌ ବିଜିଏମ୍‌ ଦେଇଛନ୍ତି ପଙ୍କଜ ଜାଲ ।  ଏହି ଚଳଚ୍ଚିତ୍ରର କାହାଣୀଟି ପଶ୍ଚିମ ଓଡ଼ିଶାର ଏକ ଆଦିବାସୀ ଗ୍ରାମର ଯୁବତୀ ମାୟା ଚରିତ୍ର ଉପରେ ଆଧାରିତ ହୋଇଥିବାବେଳେ ଏଥିରେ ସେ ଅନେକ ଆହ୍ୱାନର ସାମ୍ନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛି । ସାମାଜିକ ଜୀବନର ବାସ୍ତବତା ଓ ସାଂସ୍କୃତିକ ଐତିହ୍ୟକୁ ବହନ କରୁଛି ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ।