ବେଗୁନିଆ-ବୋଲଗଡ଼ରେ ବାଜିବ ଯୋଡ଼ିଶଙ୍ଖ : ପ୍ରଦୀପ

Pradeep Sahoo Biju Janata Dal

ବେଗୁନିଆ-ବୋଲଗଡ଼ରେ ବାଜିବ ଯୋଡ଼ିଶଙ୍ଖ : ପ୍ରଦୀପ

ବେଗୁନିଆ-ବୋଲଗଡ଼ରେ ବାଜିବ ଯୋଡ଼ିଶଙ୍ଖ : ପ୍ରଦୀପ
ଥରେ କି ଦୁଇଥର ନୁହେଁ ତିନିଥର ପରାଜୟର ସାମ୍ନା କରିଛନ୍ତି  । ହେଲେ ଦବିନାହାନ୍ତି କି ପଛକୁ ହଟିନାହାନ୍ତି  । ଲୋକଙ୍କ ସହ ଅଛନ୍ତି, ସଂଗଠନକୁ ମଜବୁତ କରିଛନ୍ତି  । ଦୀର୍ଘଦିନ ପରେ ବେଗୁନିଆ ବୋଲଗଡ଼ର ମାଟିର ପୁଅକୁ ମିଳିଛି ବିଜୁ ଜନତା ଦଳ ଟିକେଟ  । ଦୁର୍ଗ ମଜବୁତ ଥିବାରୁ ପ୍ରଥମ ବିଜୟର ସ୍ୱାଦ ଚାଖିବାକୁ ଆଶା ବାନ୍ଧିଛନ୍ତି ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ସାହୁ  । ତାଙ୍କୁ ସାକ୍ଷାତ କରିଥିଲେ ଆମ ପ୍ରତିନିଧି ରାମଚଣ୍ଡୀ ପ୍ରସାଦ ରଣସିଂହ  ।

ସୂର୍ଯ୍ୟପ୍ରଭା : ପ୍ରଥମ ଥର ବିଜେଡ଼ି ଏଇ ମାଟିର ନେତାଙ୍କୁ ଟିକେଟ ଦେଇଛି  । କେମିତି ରହିଛି ବେଗୁନିଆ-ବୋଲଗଡ଼ର ମୁଡ୍‌ ?

ପ୍ରଦୀପ : ଦୀର୍ଘଦିନ ପରେ ବିଜେଡ଼ି ଏଇ ମାଟିର ପୁଅକୁ ଟିକେଟ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ, ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି  । ଏହାକୁ ନେଇ ବେଗୁନିଆ-ବୋଲଗଡ଼ର ବିଜେଡ଼ି ଭାଇଭଉଣୀମାନେ ବେଶ୍‌ ଖୁସି  । ଆମ ଅଞ୍ଚଳର ମୁଡ଼ ଏବେ ଯୋଡ଼ିଶଙ୍ଖ ଆଡ଼କୁ ରହିଛି  । ବେଗୁନିଆ ବୋଲଗଡ଼ ହେଉଛି ବିଜେଡ଼ିର ଗଡ  । ଆଗାମୀ ନିର୍ବାଚନରେ ବିଧାନସଭା ଓ ଲୋକସଭାରେ ବିଜେଡ଼ି ହିଁ ବାଜିମାତ୍‌ କରିବ  ।

ସୂର୍ଯ୍ୟପ୍ରଭା : ଆପଣ ବହୁବାର ହାରିଛନ୍ତି, ଏଥର ବିରୋଧୀଙ୍କର କିଭଳି ମୁକାବିଲା କରି ବିଜୟ ଲାଭ କରିବେ  । ରାଜନୀତିକ ଅଳିନ୍ଦରେ ଗୁରୁପୁତ୍ର ଓ ଶିଷ୍ୟଙ୍କ ଭିତରେ ଲଢେ଼ଇ ହେବବୋଲି କୁହାଯାଉଛି  । ପ୍ରକୃତରେ କିଏ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ହେବେ? କଂଗ୍ରେସ ନା ବିଜେପି ? 

ପ୍ରଦୀପ : ଦେଖନ୍ତୁ ମୁଁ ବହୁବାର ହାରିଥିଲେବି ଲୋକଙ୍କୁ କେବେ ଛାଡ଼ିନି  । ସବୁବେଳେ ଲୋକଙ୍କ ସୁଖଦୁଃଖର ସାଥି ହୋଇ ରହିଛି  । ମୋ ପ୍ରତି ସେମାନଙ୍କର ଭଲ ପାଇବା ବି ରହିଛି  । ଆଉ ରହିଲା ବିରୋଧୀଙ୍କ ମୁକାବିଲାର କଥା  । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ବିକଳ୍ପ ନାହିଁ କି ଶଙ୍ଖ ଚିହ୍ନର ବିକଳ୍ପ ନାହିଁ  । ତେଣୁ ଆମେ କେଉଁ ବିରୋଧୀ ଦଳଙ୍କୁ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁନାହୁଁ  । ନବୀନ ପଟ୍ଟନାୟକଙ୍କ ଭିଜନ, କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟାନ୍ୱୟନ ଓ ସଂଗଠନ ବିଜେଡ଼ିକୁ ବିପୁଳ ଭୋଟରେ ବିଜୟ କରାଇବ  । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ  । ତେଣୁ ଲୋକେ ନବୀନଙ୍କ ପାଇଁ ଯୋଡ଼ିଶଙ୍ଖରେ ଭୋଟ ଦେବାକୁ ରେଡ୍ଡି ହୋଇସାରିଲେଣି  । ମୁଁ କେବଳ ଘରେଘରେ ନବୀନଙ୍କ ବିକାଶର ବାର୍ତ୍ତା ହିଁ ପହଞ୍ଚାଇବି  ।

ସୂର୍ଯ୍ୟପ୍ରଭା : କୁହାଯାଉଛି, ଆପଣଙ୍କ ପ୍ରାର୍ଥୀତ୍ୱକୁ ନେଇ କିଛିଟା ଅସନ୍ତୋଷ ରହିଛି  । ପୁରୁଣା ବିଜେଡ଼ି ନେତାମାନେ ସହଯୋଗ କରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି  ।


ପ୍ରଦୀପ : ଦେଖନ୍ତୁ ବିଜୁ ଜନତା ଦଳ ଏକ ବିରାଟ ବଡ଼ ପରିବାର  । ଟିକେଟ ପାଇବା ପୂର୍ବରୁ ଏମିତି ଛକାପଞ୍ଝା ଲାଗିବା ସ୍ୱାଭାବିକ କଥା  । ଆମ ଭିତରେ ମତାନ୍ତର କି ଦ୍ୱନ୍ଦ୍ୱ ନଥିଲା  । ତେଣୁ ମୋତେ ଟିକେଟ ମିଳିବା ପରେ ବିଜେଡ଼ିର ସବୁ ଭାଇଭଉଣୀମାନେ ଏକାଠି ହୋଇଛନ୍ତି  । ତେଣୁ ସେମାନଙ୍କୁ ମୁଁ ହୃଦୟରୁୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି  । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ସହ ବେଗୁନିଆରେ ଯୋଡ଼ିଶଙ୍ଖକୁ ଜିତାଇବା ପାଇଁ ସମସ୍ତେ ସଂକଳ୍ପବଦ୍ଧ  । 

ସୂର୍ଯ୍ୟପ୍ରଭା : ଏପଟେ ଖରା ତାତି, ସେପଟେ ନିର୍ବାଚନୀ ପ୍ରଚାର  । ଦିନକୁ କେତେ ଘଣ୍ଟା ପ୍ରଚାର କରିବାକୁ ପଡୁଛି  ।


ପ୍ରଦୀପ : ସକାଳୁ ରାତି ଯାଏଁ ରଣନୀତି ଚାଲିଛି  । ପ୍ରତିଦିନ ଶହ ଶହ ଲୋକଙ୍କୁ ଭେଟୁଛି  । ପଦଯାତ୍ରା ଓ ବୈଠକ ବି କରାଯାଉଛି  । ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ ଅନୁସାରେ ପ୍ରଚାର ଚାଲିବ  । କିନ୍ତୁ ପ୍ରକୃତ ସେନାପତି ହେଉଛନ୍ତି ପଞ୍ଚାୟତର ଭାଇ ଭଉଣୀମାନେ  । ସେମାନେ ଗାଁଗାଁରେ ଶଙ୍ଖର ଭୋଟ ପାଇଁ ବହୁତ ପରିଶ୍ରମ କରୁଛନ୍ତି  । ସେମାନଙ୍କ ପରିଶ୍ରମ ମୋତେ ବେଶ୍‌ ହାଲକା କରିଦେଇଛି  । 

ସୂର୍ଯ୍ୟପ୍ରଭା : ବେଗୁନିଆ-ବୋଲଗଡ଼ର ବିକାଶ ପାଇଁ କି ସ୍ୱପ୍ନ ଦେଖିଛନ୍ତି ?


ପ୍ରଦୀପ : ସାରା ରାଜ୍ୟରେ ଏବେ ବିକାଶର ଧାରା ବହୁଛି  । ନବୀନ ଓଡ଼ିଶା ଓ ୫ଟି ଜରିଆରେ ଅନେକ ରୂପାନ୍ତରିତ କାର୍ଯ୍ୟ ହୋଇଛି  । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ଅନେକ ପରିବର୍ତ୍ତନ ଆସିସାରିଛି  । ବେଗୁନିଆ ଓ ବୋଲଗଡ଼ ଏନଏସି ଘୋଷଣା ସରିଛି  । ବେଗୁନିଆରେ ହସପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି  । ଏହିସବୁ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଯୁବକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ନିମନ୍ତେ ଏକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି  । ଜଳସେଚନ ପାଇଁ କିଛି ନୂଆ ପ୍ରକଳ୍ପ କରାଯିବା ସହ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ କରାଯିବ  । ଆମ ନିର୍ବାଚନମଣ୍ଡଳୀରେ ଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଧ୍ୟ ଯୋଜନା ରଖିଛି  ।