ବିଜେପିକୁ କଟୁ ସମାଲୋଚନା କଲେ ଲେଖାଶ୍ରୀ,କାହିଁକି ଜାଣନ୍ତୁ

ବିଜେପିକୁ କଟୁ ସମାଲୋଚନା କଲେ ଲେଖାଶ୍ରୀ,କାହିଁକି ଜାଣନ୍ତୁ

ଭୁବନେଶ୍ବର:  ନିର୍ବାଚନ ଆସିଲେ କିମ୍ବା ସୁନିଶ୍ଚିତ ପରାଜୟ ବୋଲି ଜାଣିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ବିଜେପି ନେତାଙ୍କର ପୁରୁଣା ଅଭ୍ୟାସ। କିଛି ରାଜନୈତିକ ଫାଇଦା ମିଳିବା ଆଶାରେ ମିଛ କଥା କହି ପାଇଁ ବିଜେପିରେ ବାଧ୍ୟ କରାଯାଏ। ଦୁର୍ଭାଗ୍ୟର କଥା ଖୋଦ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଅନୁରୂପ ଭାବେ ସମାନ ଉଦାହରଣ ରଖିଛନ୍ତି। ପ୍ରକୃତ କଥା ହେଲା ବିଜେପି ଚାହେଁ ନାହିଁ ରତ୍ନଭଣ୍ଡାର ଖୋଲୁ, ସେମାନେ କେବଳ ଚାହାନ୍ତି ଏହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହେବ ବୋଲି କହି ବିଜେପିକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର।
ଡ଼ ସାମନ୍ତସିଂହାର କହିଛନ୍ତି, ଆଜକୁ ୪୦ ବର୍ଷ ତଳେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହି ସମୟ ଭିତରେ ବିଜେପିର ମନମୋହନ ସାମଲ ଏବଂ ବିଶ୍ୱଭୂଷଣ ହରିଚନ୍ଦନ ୯ ବର୍ଷ ଧରି ମନ୍ତ୍ରୀ ଥିଲେ। କିନ୍ତୁ ସେମାନଙ୍କର ରତ୍ନ ଭଣ୍ଡାର କଥା ମନେ ପଡିଲାନି। ରତ୍ନ ଭଣ୍ଡାର ପ୍ରସଙ୍ଗ କାହିଁକି ଉଠାଇବା ସେ ନେଇ ମୁଁ ବିଜେପିରେ ଥିଲା ବେଳେ ପ୍ରଶ୍ନ କରିଥିଲି। କିନ୍ତୁ ବିଜେପି ନେତୃବନ୍ଦ କହିଥାନ୍ତି ଏହା କେବଳ ରାଜନୈତିକ ପ୍ରସଙ୍ଗ, ନିର୍ବାଚନ ଆସିଲେ ଉଠାଇବା। ସେହି କ୍ରମରେ ନିର୍ବାଚନରେ ହାରିବା କଥା ଜାଣିଲେ ଓଡ଼ିଶା ବିଜେପିର ନେତାମାନେ ରତ୍ନଭଣ୍ଡାର କଥା ଉଠାନ୍ତି। କାଳେ କିଛି ସହାନୁଭୂତି ମିଳିଯିବ। କାରଣ ଏଥିପାଇଁ ବରିଷ୍ଠ ନେତୃବନ୍ଦ ଆମକୁ ବାଧ୍ୟ କରିଥାନ୍ତି। ବିଜେପିରେ ଥିଲା ବେଳେ ଅତି ନିକଟରୁ ଏହା ମୁଁ ଦେଖିଛି। ହେଲେ ଦୁର୍ଭାଗ୍ୟର କଥା ସେହି ନୀତି ଅନୁସରଣ କରି ଆଜି ପ୍ରଧାନମନ୍ତ୍ରୀ ରତ୍ନଭଣ୍ଡାର କଥା କହୁଛନ୍ତି।

ଯେତେବେଳେ ଆସନ୍ତା ଜୁଲାଇ ମାସରେ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି, ସେତେବେଳେ ସେମାନେ ନିର୍ବାଚନୀ ଫାଇଦା ପାଇଁ ଏହି ପ୍ରସଙ୍ଗରେ ବାଉଳି ଚାଉଳି ହେଉଛନ୍ତି। ଓଡ଼ିଶା ବିଜେପି ନେତାଙ୍କ ମନୋବଳ ବଢ଼ାଇବାକୁ ଏହା କେବଳ ଏକ ଅପଚେଷ୍ଟା। କାଳେ ଏଥିରୁ କିଛି ଫାଇଦା ମିଳିଯିବ ବୋଲି ସେମାନଙ୍କର ଆଶା। ଡ଼ ସାମନ୍ତସିଂହାର କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ, ୨୦୨୨ ପଞ୍ଚାୟତ ନିର୍ବାଚନ, ସବୁ ଉପ-ନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଏହି ପ୍ରସଙ୍ଗ ଉଠାଇଥିଲା। କିନ୍ତୁ ସେଥିରୁ କେତେ ଫାଇଦା ପାଇଲେ ଆଉ ନିର୍ବାଚନ ଫଳାଫଳ କ’ଣ ହେଲ ତାହା ସାରା ଓଡ଼ିଶାବାସୀ ଦେଖିଲେ। ଓଡ଼ିଶାବାସୀଙ୍କୁ ବୋକା ବୋଲି ଭାବିବା ବିଜେପିର ସବୁଠାରୁ ବଡ଼ ଭୂଲ୍‌। କିଏ ନିର୍ବାଚନ ବେଳେ ପର୍ୟ୍ୟଟକ ଭଳି ଆସନ୍ତି ଆଉ ପରେ ଦେଖା ଦିଅନ୍ତି ନାହିଁ ଆଉ କିଏ ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ପାଇଁ କାମ କରୁଛି ତାହା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି ବୋଲି ସେ କହିଛନ୍ତି।