୪ ପିଲାରରେ ଅଟକିଛି ବ୍ରାହ୍ମଣୀ ଦ୍ୱିତୀୟ ସେତୁ : ଅଧାରୁ ଅଧିକ ଫ୍ଲାଏ ଓଭରବ୍ରିଜ ଅଧପନ୍ତରିଆ, ୨ଟିର ମୂଳଦୁଆ ପଡ଼ିନ

 ଯାଜପୁର-କବାଟବନ୍ଧ: ବର୍ଷ ପରେ ବର୍ଷ ବିତିଯିବାରେ ଲାଗିଛି । ହେଲେ ମୁଣ୍ଡ ନେଉଥିବା ୫୩ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଶେଷ ହେଇପାରୁନି । ବର୍ଷେ ଦି’ବର୍ଷ ଭିତରେ ଶେଷ ହୋଇଯିବ ଏଭଳି ପ୍ରତିଶ୍ରୁତି ମିଳୁଥିଲେ ହେଁ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ରାଜ୍ୟ ରାଜକୋଷକୁ ସମୃଦ୍ଧ କରିବାରେ ପ୍ରମୁଖତା ଲିଭାଗୁଥିବା ବା ଯାଜପୁର ଜିଲାର ଜୀବନରେଖା ବୋଲି କୁହାଯାଉଥିବା ୫୩ନଂ ଜାତୀୟ ରାଜପଥ ସଂପ୍ରସାରଣ ଯେମିତି ମିଛ ପ୍ରହେଳିକାରେ ପରିଣତ ହୋଇପଡ଼ିଛି । ଚଣ୍ଡିଖୋଲ-ଡ଼ୁବୁରୀ ୪୧କିମି ରାସ୍ତା ସଂପ୍ରସାରଣ ଅଧା ହୋଇନଥିବା ବେଳେ ଆସନ୍ତା ୩ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ସଂସଦରେ ଯାଜପୁର ଲୋକସଭା ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିବା ପରେ ରାଜପଥର ଅସଲରାଜ ମନ୍ତ୍ରୀଙ୍କୁ ଅଗୋଚର ବୋଲି ସାଧାରଣରେ କୁହାଯାଉଛି । ରାଜପଥ କର୍ତ୍ତୃପକ୍ଷ କାହିଁକି ଏବଂ କାହାକୁ ଘଣ୍ଟ ଘୋଡ଼ାଇବାକୁ ସଂପ୍ରସାରଣର ବାସ୍ତବତା ବଦଳରେ ମନ୍ତ୍ରୀଙ୍କୁ ମିଛତଥ୍ୟ ଦେଲେ ତାହା ହିଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । 
ରାସ୍ତା ସଂପ୍ରସାରଣ ଏବଂ ଦ୍ୱିତୀୟ ବ୍ରିଜ ନିର୍ମାଣରେ ବିଳମ୍ବ ପ୍ରତିବାଦ୍ରେ ଆସନ୍ତା ବୁଧବାରରୁ ସଚେତନ ନାଗରିକ ମଞ୍ଚ ଧାରଣା ଘୋଷଣା କରିବା ପରେ ଏହାକୁ ସଫଳ କରିବାକୁ ବ୍ୟାପକ ସଜବାଜ ଚାଲିଛି । ନାଗରିକ ମଞ୍ଚ ମନ୍ତ୍ରୀ, ବିଧାୟକଙ୍କ ଠାରୁ ଆରମ୍ଭ କରି ରାଜପଥ କର୍ତ୍ତୃପକ୍ଷ, ଜିଲା ପ୍ରଶାସନକୁ ସପ୍ତାହକ ତଳୁ ଅବଗତ କରିଛି । ୯ତାରିଖ ଧାରଣାକୁ ସଫଳ କରିବାକୁ ଉକ୍ତ ରାଜପଥ ଉପରେ ନିର୍ଭର କରୁଥିବା ଲୋକେ ପଣ କରିଥିବା ବେଳେ ବରିଷ୍ଟ ନେତା ଏଥିରେ ସାମିଲ ହେବାକୁ ଗୋଡ଼ଟେକି ରହିଛନ୍ତି । ତେବେ ପ୍ରଶ୍ନ ଉଠେ ଯେତେ ବେଳେ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧା ହୋଇନି, ସେତେ ବେଳେ ରାଜପଥ କର୍ତୁପକ୍ଷ ବିଭାଗୀୟ ମନ୍ତ୍ରୀଙ୍କ ତୁଣ୍ଡରେ ମିଛ କୁହାଇଲେ କାହିଁକି? ଏକଥା ସମସ୍ତଙ୍କୁ ଜଣା, ରାଜପଥ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥା ବଦଳରେ ପେଟି ଠିକାଦାର କାର୍ଯ୍ୟ କରୁଛନ୍ତି । ଯିଏକି ସମୟସୀମା କଥା କୁହ କି ଦୁର୍ଘଟଣାକୁ ରୋକିବା ଦିଗରେ ଠୋସ ପଦକ୍ଷେପ ନେବା ବଦଳରେ କଚ୍ଛପ ଗତିରେ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ନାଁରେ ମରଣଯନ୍ତା କରିଦିଆଯାଇଛି ।  ଜିଲା ଏବଂ ରାଜ୍ୟ ଓ ଦେଶ ଅର୍ଥନୀତିକୁ ସୁଦୃଢ କରିବାରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରୁଥିବା ୫୩ନଂ ଜାତୀୟ ରାଜପଥ ଅର୍ଥନୈତିକ କରିଡ଼ର ବୋଲାଉଥିଲେ ହେଁ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପାରାଦ୍ୱୀପ ଠାରୁ ଦୈତାରୀ ୧୬୦କିମି ରାସ୍ତାର ମଧ୍ୟ ଭାଗ ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୧୫ ମସିହାରେ ପ୍ରଥମେ ବାହାର କମ୍ପାନୀ ଆଇସୋଲେକ୍ସ ଟେଣ୍ଡର ନେଇଥିଲା । ହେଲେ ଉକ୍ତ କମ୍ପାନୀ କିଛିଦିନ କାର୍ଯ୍ୟ କରି ଛାଡି ପଳାଇଗଲା । ପରେ ଦେଶି କମ୍ପାନୀ ଗେମନ ଇଣ୍ଡିଆକୁ କାର୍ଯ୍ୟ ଦିଆଗଲା । ଏହା ପରେ ଠିକା ସଂସ୍ଥା ଏମଏସଆଇଏଲ ମାଧ୍ୟମରେ ୨୦୧୭ମସିହା ଠାରୁ ରାସ୍ତା କାର୍ଯ୍ୟ କରୁଛି । ହେଲେ ୭ବର୍ଷ ପରେ କାର୍ଯ୍ୟ ଅଧା ସରିନି । ରାସ୍ତା ସମ୍ପ୍ରସାରଣ ଏବଂ କବାଟବନ୍ଧରେ ବ୍ରାହ୍ମଣୀ ଦ୍ୱିତୀୟ ସେତୁ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ ତାହା ଅଧାରେ ପହଁଚିନି । ଯେଉଁଥିପାଇଁ ଉନ୍ନତିକରଣ ପରିବର୍ତ୍ତେ ରାସ୍ତାଟି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଦୈନନ୍ଦିନ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଇଚାଲିଛି । ଅନେକ ନିରୀହ ଲୋକଙ୍କ ଜୀବନ ଯାଇଛି ଏବଂ ଅନେକ ସାରା ଜୀବନ ଅକର୍ମଣ୍ୟ ହୋଇଛନ୍ତି । ଯଦି ଦେଖିବା ୫୩ନଂ ରାଜପଥର ଡ଼ୁବୁରୀ ଠାରୁ କାମାକ୍ଷାନଗାର ଏବଂ କାମାକ୍ଷାନଗର ଠାରୁ ତାଳଚେର କାର୍ଯ୍ୟ ପ୍ରାୟତ ଶେଷ ହୋଇଛି । ଦେଢବର୍ଷ ପୂର୍ବରୁ ଏହି ଦୁଇ ରାସ୍ତା କାମ ପୂର୍ଣ୍ଣାଙ୍ଗ ହୋଇ ତାହା ଉଦଘାଟନ ସରିସାରିଛି । ହେଲେ ଚଣ୍ଡିଖୋଲ ଠାରୁ ଡ଼ୁବୁରୀ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ସମ୍ପ୍ରସାରଣ କାର୍ଯ୍ୟ ନକହିବା ଭଲ ।
 ଚଣ୍ଡିଖୋଲରୁ ଡ଼ୁବୁରୀ ମଧ୍ୟରେ ୧୦ଗୋଟି ଫ୍ଲାଏ ଓଭର ନିର୍ମାଣ ହେବାକୁ ଥିବାବେଳେ ଏବେ ସୁଦ୍ଧା କୌଣସି ଫ୍ଲାଏ ଓଭର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଭୂଇଁରୁ ଉଠି ପାରିନାହିଁ । ମାତ୍ର ୪ଟି ପିଲାର ମୁଣ୍ଡ ଟେକିଛି ।  ବ୍ରିଜ କାର୍ଯ୍ୟ ୫୦ପ୍ରତିଶତ ସରିନଥିବା ବେଳେ ବିଭାଗୀୟ ମନ୍ତ୍ରୀ କିନ୍ତୁ ୮୨% କାମ ସରିଥିବା କଥା କହିଛନ୍ତି । ସେହିପରି ବ୍ରିଜ ଠାରୁ ଡ଼ୁବୁରୀ ପର୍ଯ୍ୟନ୍ତ ୪ଗୋଟି ପ୍ଲାଇ ଓଭରବ୍ରିଜ ହେବାକୁ ଥିବା ବେଳେ ୫ପ୍ରତିଶତ କାର୍ଯ୍ୟବି ଶେଷ ହୋଇନି । ହେଲେ ବିଭାଗୀୟ ମନ୍ତ୍ରୀ ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ଜୁନମାସ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ, ଏବଂ ଫେବ୍ରୁଆରୀ ମାସ ୨୦୧୫ ବେଳକୁ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି । ଧାର୍ଯ୍ୟ ସମୟ ଭିତରେ ରାସ୍ତା ନିର୍ମାଣ ଶେଷ ହେବା ନେଇ ସନେ୍ଦହ ସୃଷ୍ଟି କରିଛି । ପେଟି ଠିକାଦାର ସଂସ୍ଥା ପାଇଁ ସଂପ୍ରସାରଣ ଏବଂ ବ୍ରିଜ୍ କାର୍ଯ୍ୟ କେବେ ଶେଷ ହେବ, ତାର କୈାଣସି ନିଶ୍ଚିନ୍ତତା ଦେଖାଯାଉନି । ହେଲେ ଠିକାସଂସ୍ଥାକୁ ଘଣ୍ଟ ଘୋଡ଼ାଇବାକୁ ରାଜପଥ କର୍ତୁପକ୍ଷ ମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଇଥିବା କଥା ଚାରିଆଡ଼େ ଚର୍ଚ୍ଚା ହେଉଛି । ରାସ୍ତାରେ ଶତାଧିକଙ୍କ ମୁଣ୍ଡ ଯାଇଥିଲେ ହେଁ ରାଜପଥ କର୍ତୁପକ୍ଷଙ୍କ ଠିକାଦାର ପ୍ରୀତି ଯାଉନି । ଏଣୁ ଠିକା ସଂସ୍ଥା ହାତରେ ୫୩ ନଂ ରାଜପଥର ଭାଗ୍ୟ ବୋଲି ଆଲୋଚନା ହେଉଛି ।