ବନ ବିଭାଗ ପାଇଁ ଉଜୁଡ଼ିଗଲା ୧୫ ହଜାର ଗଛ


ାା ପ୍ରଭାନୁ୍ୟଜ ।ା ଦାନଗଦୀ: ପରିବେଶ ଚିନ୍ତା ସମସ୍ତଙ୍କୁ ଘାରିଛି । ସେଥିପାଇଁ ବୃକ୍ଷ ରୋପଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ଯୋଜନାରେ ବର୍ଷକୁ କୋଟି କୋଟି ଟଙ୍କା ଏଥିନିମନ୍ତେ ଖର୍ଚ୍ଚ ହେଉଛି । ମନରେଗା ଯୋଜନାରୁ ଆରମ୍ଭ କରି କାମ୍ପା ଯୋଜନାରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଉଛି । ଯାହାର ସଦବିନିଯୋଗ ବନ ବିଭାଗ ଉପରେ ଛଡ଼ାଯାଇଛି । ହେଲେ ବନ ବିଭାଗ ଅନେକ ସମୟରେ ଏକର ଏକର ଜଙ୍ଗଲ ସୃଷ୍ଟି କରୁଥିବା କହୁଥିବା ବେଳେ କିଛି ଦୁର୍ନୀତିଖୋରଙ୍କ ପାଇଁ କୋଟି କୋଟି ଟଙ୍କା ବରବାଦ ହେଉଛି । ଉଦାହରଣ ଭାବେ ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତ ୫୦ଏକର ଜମି ପଡ଼ିଆ ପଡ଼ିବାର ଦୃଶ୍ୟକୁ ନିଆଯାଇପାରେ । ପଡ଼ିଆ ପଡ଼ିଥିବା ପଞ୍ଚାୟତର ଖାତା ନମ୍ବର୮୯ପ୍ଲଟ ନମ୍ବର ୯୩, ୧୬୭, ୩୬୭, ୪୮୫ କିସମ ୫୦ଏକର ଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟି ନିମନ୍ତେ ୨୦୨୧-୨୨ରେ ୧୫ହଜାର ଚାରା ରୋପଣ କରାଯାଇଥିଲା । ଏଥିନିମନ୍ତେ କାମ୍ପା ଯୋଜନାରେ ବହୁଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା । ଯାଜପୁର ରୋଡ଼ ବନ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଚାରାରୋପଣ କରାଯିବା ପରେ ସିମେଣ୍ଟପିଲାର ଲଗାଇ ତାରବାଡ଼ ଲଗାଯାଇ ଅବରୋଧ କରାଯାଇଥିଲା । ବାସ୍ ଏତକ କାମ କରି ବନ ବିଭାଗ ତାର ଦାୟିତ୍ୱ ଶେଷ କରି ଦେଲା । ଲଗାଯାଇଥିବା ଚାରା ବଢୁଛି କି ନାହିଁ ସିମେଣ୍ଟ ପିଲା କି ତାରବାସ ସୁରକ୍ଷିତ ଅଛି କି ନାହିଁ, ତାହାକୁ ପରବର୍ତ୍ତୀ ସମୟରେ ଦେଖାଗଲାନି । ଫଳରେ କ୍ରମାନ୍ୱୟରେ ଗଛ ଗୁଡ଼ିକ ନଷ୍ଟ ହୋଇଗଲା, ଆଉ ଦୁବୃର୍ତ୍ତ ସିମେଣ୍ଟ ପିଲାର ଓ ତାର ଚୋରି କରି ନେଇଗଲେ । ଯାହା ଫଳରେ ପୂର୍ବରୁ ଜଙ୍ଗଲ ଯେମିତି ପଡ଼ିଆ ପଡ଼ିଥିଲା ଏବେ ସେଇ ପଡ଼ିଆ ପଡ଼ିଛି । କାମ୍ପା ଯୋଜନା ଅର୍ଥର ସଦବିନିଯୋଗ ଦାୟିତ୍ୱକୁ ଯାଜପୁର ରୋଡ଼ ବନ ବିଭାଗ ନତୁଲାଇବା ପଛରେ ମହାଘୋଟାଲା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ୧୫ଜହାର ଚାରାରୋପଣ ପରେ ଧୂଳିଗଡ଼ ପଞ୍ଚାୟତର ଲୋକ ଭାବିଥିଲେ ଆଗକୁ ପ୍ରଦୂଷଣରୁ ଟିକେ ମୁକ୍ତି ମିଳିବ । ପରିବେଶ ଭଲ ରହିବ । କିନ୍ତୁ ଦୁଃଖ ଦୁର୍ଭାଗ୍ୟର କଥା ଗୋଦାରା କୋଡେ ଯେତେ ମାଡ଼େ ସେତେ ନୀତିରେ ବନ ବିଭାଗ, ଯେଉଁ ପନ୍ଦର ହଜାର ଚାରା ରୋପଣ କରାଯାଇଥିଲା ତିନିବର୍ଷ ହେଲା ତାର ଚିହ୍ନବର୍ଣ୍ଣ ରହିଲନି । ଗୋଟିଏ ଚାରା ବି ବଞ୍ଚାଇ ପାରିଲା ନାହିଁ ବନ ବିଭାଗ । ଓଲଟା ଯେଉଁ ପୁରୁଣା ଧୂଳିଗଡ଼ ବଣଟି ଅଛି ତାହା ଲୋକ ମାନେ ଦୈନିକ କାଟି କାଟି ସଫା କରିବାରେ ଲାଗିଛନ୍ତି । ଜଙ୍ଗଲ ଭିତରକୁ ଘର ମାଡିଗଲାଣି । ହେଲେ ବନ ବିଭାଗ ନିଦାବିଷ୍ଣୁ ସାଜିଛି । ଯେଉଁଠି ପରିବେଶ ପ୍ରଦୂଷିତ ହେଉଛି ନିହାତି ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ବନ ବିଭାଗ କହୁଥିବା ବେଳେ ଉକ୍ତ ବିଭାଗ କିନ୍ତୁ ତାର କାର୍ଯ୍ୟ ଠିକରେ କରୁନି । ପଞ୍ଚାୟତ ପାଖରେ ଥିବା ସୁକିନ୍ଦା ରୋଡ ରେଳ ସାଇଡିଂରେ କୋଇଲା, କ୍ଲିଙ୍କର, ଚୂନ ପଥର, ଡୋଲ ମାଇଟ, ଲୁହାପଥର, କ୍ରୋମଇଟ ଲୋଡ଼ିଂ ଓ ଅନ୍ଲୋଡି ପରେ କାରଖାନା ଭିତରକୁ ବଡବଡ଼ ଗାଡି ଦ୍ୱାରା ପରିବହନ ହେଉଥିବାରୁ, ଧୂଳିଗୁଣ୍ଡ, କୋଇଲା ଚୂନ ଗୁଣ୍ଡ ଉଡି ମାତ୍ରାଧିକ ବାୟୁ ପ୍ରଦୂଷିତ ହେଉଛି । ତେଣୁ ଏହାର ପାଖରେ ଖାଲିଥିବା ଜଙ୍ଗଲ ଜମିରେ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଦାବି କରାଯାଇଛି ।