ମଦରେ ଉଜୁଡୁଛି ସଂସାର : ତେଜୁଛି ଅସନ୍ତୋଷ, ଚେଇଁ ଶୋଇଛି ପ୍ରଶାସନ
ଚମ୍ପୁଆ : ସାହିରେ ସୀମା ଟପିଛି ଦେଶୀ ଚୋରା ମଦ କାରବାର । ମଦ ପାଇଁ ଅକାଳରେ ଝଡୁଛି ଜୀବନ । ମଦ ପାଇଁ ସାହିରେ ଦିନକୁ ଦିନ ବଢୁଛି ବିଧବା ଓ ଅନାଥଙ୍କ ସଂଖ୍ୟା । ଏଥି ସହିତ ବଢୁଛି ଅସାମାଜିକ କାର୍ଯ୍ୟକଳାପ । ତେବେ ମଦ କାରବାର ବନ୍ଦ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗୁରୁତ୍ୱ ଦେଉନି ଅବକାରୀ ବିଭାଗ କି ପୋଲିସ ପ୍ରଶାସନ । ଯାହାକୁ ନେଇ ସାହିରେ ପୁଞ୍ଜିଭୁତ ହେଉଛି ଅସନ୍ତୋଷ । ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କରଞ୍ଜିଆ ଭୁମିଜ ସାହିରେ ସୀମା ଟପିଛି ଦେଶୀ ଚୋରା ମଦ କାରବାର । ସାହିରେ ରହୁଛନ୍ତି ୫୦ ରୁ ଉର୍ଦ୍ଧ୍ୱ ଭୂମିହୀନ ପରିବାର । ସମସ୍ତେ ପ୍ରାୟ ଦିନ ମଜୁରିଆ ଆଦିବାସୀ ସଂପ୍ରଦାୟର । ପୁରୁଷମାନେ ମୂଲ ମଜୁରୀ କାମ କରୁଥିବା ବେଳେ ମହିଳାମାନେ ପର ଘରେ ପାଇଟି କରି ପରିବାର ପ୍ରତିପୋଷଣ କରୁଥନ୍ତି । ସାହି ସାରା ଝାଟିମାଟି ଭଙ୍ଗା ଦଦରା କୁଡିଆ ଘର । ସ୍ୱାଧୀନତା ର ୭୭ବର୍ଷ ପରେ ମଧ୍ୟ ଏହି ଭୂମିଜ ସାହିକୁଏଯାବଦ ବିକାଶର ପାଦ ମଧ୍ୟ ପଡ଼ିନାହିଁ । କିନ୍ତୁ ଏହି ସାହି ପାଇଁ ଅଭିଶାପ ପାଲଟିଛି । ସାହି ଭିତରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ କାରବାର । ଅବାଧ ମଦ କାରବାର ପାଇଁ ବଢୁଛି ସାହିରେ ମଦୁଆକଂ ସଂଖ୍ୟା । ଦିନ ତମାମ କାମକରି ସନ୍ଧ୍ୟାରେ ଫେରିବା ପରେ ମଦ ପିଇ ମାତାଲ ଅବସ୍ଥାରେ ଘରେ ଓ ବାହାରେ କରନ୍ତି ଉପଦ୍ରବ । ଯେଉଥିପାଇଁ ଦୈନିକ ବିଶୃଙ୍ଖଳା ଘଟିବା ଏଠାରେ ଦେହସୁହା ହୋଇଗଲାଣି । ଅପମିଶ୍ରିତ ମଦ ପିଇ ଅକାଳରେ ଜୀବନ ଯାଉଥିବା ବେଳେ ସାହିରେ ବଢି ଚାଲିଛି ଦିନକୁ ଦିନ ବିଧବା ମହିଳା ଓ ଅନାଥ ଶିଶୁକଂ ସଂଖ୍ୟା । । ମଦ କାରବାର ବନ୍ଦ ପାଇଁ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମୁଣ୍ଡାଙ୍କ ନେତୃତ୍ୱରେ ସାହି ବାସୀ ଚମ୍ପୁଆ ଉପଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଗୁହାରି କରିଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ଆଖୂଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହି ସାହି ବାସୀଙ୍କ ପାଇଁ ଦେଶୀ ମଦ ଏବେ ଅଭିଶାପରେ ପରିଣତ ହେଇ ସାରିଛି । ଯାହାକୁ ନେଇ ସାହିରେ ପୁଞ୍ଜିଭୁତ ହେଉଛି ଅସନ୍ତୋଷ । ନିକଟରେ ଏନେଇ ସରପଞ୍ଚ କେନ୍ଦୁଝର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ଗୁହାରି କରିଥିବା ଜଣାପଡିଛି । ତେବେ ଏ ଦିଗରେ ଆଗକୁ ପ୍ରଶାସନ କଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।