ଆରମ୍ଭ ହେଲା ପିତୃପକ୍ଷ, ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ

ପୁରୀ : ଆଶ୍ୱିନ କୃଷ୍ଣ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ପିତୃପକ୍ଷ ବା ଅପରପକ୍ଷ ପାଳନ । ଏହି ଅବସରରେ ହିନ୍ଦୁମାନେ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ତର୍ପଣ ଓ ଶ୍ରାଦ୍ଧାଦି କର୍ମ କରିଥାନ୍ତି । ବ୍ରାହ୍ମଣମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ତିଳ, ତଣ୍ଡୁଳ ଓ ପୁଷ୍ପ ଉସôର୍ଗ କରାଯାଇଥାଏ । ମହାଳୟା ଅମାବାସ୍ୟାରେ ହୋଇଥାଏ ପିତୃପକ୍ଷର ପରିସମାପ୍ତି । ଅପରପକ୍ଷର ପ୍ରଥମ ଦିବସରେ କେତେକ ଗୃହସ୍ଥ ନିଜ ବାସଭବନରେ ତର୍ପଣ କରିଥିବା ବେଳେ ଅନେକ ବ୍ୟକ୍ତି ବିଭିନ୍ନ ତୀର୍ଥ ପୁଷ୍କରିଣୀ ନିକଟରେ ତର୍ପଣ ଆରମ୍ଭ କରିଥିଲେ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ତୀର୍ଥ ସରୋବର ଶ୍ୱେତଗଙ୍ଗାରେ ବହୁ ବ୍ୟକ୍ତି ତର୍ପଣ ଓ ଶ୍ରାଦ୍ଧ କରୁଥିବା ଦେଖିବାକୁ ମିଳିଥିଲା । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ତୀର୍ଥ ସରୋବର ମାର୍କଣ୍ଡେୟ ପୁଷ୍କରିଣୀରେ ବହୁବ୍ୟକ୍ତି ତର୍ପଣ କରୁଥିବା ଦେଖିବାକୁ ମିଳିଥିଲା । ତର୍ପଣକାରୀମାନେ ମନ୍ତ୍ରୋଚ୍ଚାରଣ ପୂର୍ବକ ତିଳ ଓ ତଣ୍ଡୁଳରେ ପିଣ୍ଡଦାନ କରିବା ସହ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏକାଗ୍ରଚିତ୍ତରେ ଅନେକବ୍ୟକ୍ତି ପୁଷ୍କରିଣୀ ତଟରେ ବସି ପିତୃପୁରୁଷଙ୍କୁ ଆବାହନ ପୂର୍ବକ ତିଳ ଓ ତଣ୍ଡୁଳ ସମର୍ପଣ କରିଥିଲେ । ପୁଷ୍କରିଣୀର ପାହାଚ ଉପରେ ଅରୁଆଚାଉଳ, ଅଟା, କଦଳୀ ଓ ରାଶି ଆଦିର ସମ୍ମିଶ୍ରଣରେ ପିଣ୍ଡ ପ୍ରସ୍ତୁତ କରାଯାଇ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ଉସôର୍ଗ କରାଯାଇଥିଲା । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ବହୁ ଶ୍ରଦ୍ଧାଳୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିଥିଲେ । ପୁରୋହିତମାନଙ୍କ ଦ୍ୱାରା ପିତୃପିତାମହମାନଙ୍କ ଉଦେ୍ଦଶ୍ୟରେ ଶ୍ରାଦ୍ଧ କରାଯାଇଥିଲା ।