ଭାଷଣରେ ସୀମିତ ପରିବେଶ ଦିବସ: ହେଉନି ବୃକ୍ଷରୋପଣ

ତାଳଚେର : ବିଶ୍ୱ ପରିବେଶ ଦିବସକୁ ସମଗ୍ର ଦେଶ ପାଳୁଥିବାବେଳେ ଏଥିନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ତାଙ୍କ ବାର୍ତ୍ତାରେ ଲୋକଙ୍କୁ ପରିବେଶ ପ୍ରଦ୍ୟୁଷଣକୁ ନେଇ ବିଜ୍ଞାପନ ମାଧ୍ୟମରେ ସଚେତନ କରାଇଛନ୍ତି । ଏହା ନିହାତି ପକ୍ଷେ ସୁନ୍ଦରବାର୍ତ୍ତା ଓ ସ୍ମୃତି ମଧୁର ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ଜନସାଧାରଣଙ୍କ ସମେତ ସରକାରୀସ୍ତରରେ ଏହାକୁ କେତେ ପାଳନ କରାଯାଉଛି ତାହାର ବାସ୍ତବତା ଉପର ପ୍ରଶ୍ନବାଚୀ ସୃଷ୍ଟି କରୁଛି  । ଏପରିକି ପରିବେଶ ସନ୍ତୁଳିତ ହେଉଥିବାରୁ ଭାରତ ତଥା ରାଜ୍ୟ ସଂକଟ ଦେଇ ଗତି କରୁଛି । ଏହାର ମୁଖ୍ୟକାରଣ ଯେଉଁ ଅନୁସାରେ ଜାତୀୟ ରାଜପଥ, ଖଣି, ଶିଳ୍ପ ପାଇଁ ଅନେକ ମାତ୍ରାରେ ଗଛକୁ କାଟି ଦିଆଯାଉଛି, ସେହି ଅନୁପାତରେ ବୃକ୍ଷରୋପଣ କରାଯାଉନାହିଁ । ଏହା ଏକ ପ୍ରମୁଖ କାରଣ ହୋଇଥିବାବେଳେ ବହୁଳ ମାତ୍ରାରେ ପଲିଥିନ, ପ୍ଲାଷ୍ଟିକ ବ୍ୟବହାର, ଯାନବାହାନ ଆଶାତୀତ ବୃଦ୍ଧି, ଖଣି ଓ ଶିଳ୍ପ ଦିନକୁ ଦିନ ବୃଦ୍ଧି ପାଇବା, ହୁହୁ ହୋଇ ଅଟ୍ଟାଲିକାମାନ ଗଢ଼ି ଉଠିବା ଏବଂ ସେହି ମାତ୍ରାରେ ଚଳପ୍ରଚଳ ପାଇଁ କଂକ୍ରିଟ ରାସ୍ତା ନିର୍ମାଣ ଓ ମାତ୍ରାଧିକ ଧୂଳି, ଧୂଆଁ, ଶଦ୍ଦ ପ୍ରଦ୍ୟୁଷଣ ଇତ୍ୟାଦି ଜଳବାୟୁ ପରିବର୍ତ୍ତନ କରିବା ସହ ପରିବେଶକୁ ମଧ୍ୟ ବିଗାଡି ଦେଉଛି  । ଉକ୍ତ ଦିବସଟି ପାଇଁ ସରକାର ପ୍ରଚାର ପ୍ରସାର ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଏହା କେବଳ ପ୍ରଶାସିନକସ୍ତରରେ କାଗଜ ପତ୍ରରେ ସୀମିତ ରହିଯାଉଥିବା ପରିବେଶବିତ୍‌ମାନେ ପ୍ରକାଶ କରୁଛନ୍ତି । ପୂର୍ବରୁ ଯେଉଁ ପରିମାଣରେ ଜଙ୍ଗଲଜମି, ନଦୀ, ନାଳ, ଝରଣା, ପାଣିମାହାର ଗୁଡିକ ରହିଥିଲା ତାହା ଆଜି ଧ୍ୱଂସ ହେବାରେ ଲାଗିଛି ।  ଫଳରେ ଏହାର ଏକ ନଗ୍ନ ଉଦାହରଣ ଜଳଜଳ ହୋଇ ଦିଶୁଛି । ଏହି ଘଟଣାକୁ ନେଇ ପାଲଲହଡା ପ୍ରାକ୍ତନ ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ କ୍ଷୋଭ ପ୍ରକାଶ କରିବା ସହ ବାୟୁ ପ୍ରଦ୍ୟୁଷଣ ପ୍ରତିକାର ନିମନ୍ତେ ଓଡିଶା ମାନବଧିକାରଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ପ୍ରକାଶ କରିଥିଲେ କୋଇଲା ଖଣି, ଏନଟିପିସି ଏବଂ ନାଲକୋ ପାଇଁ ଅନୁଗୋଳ ଓ ତାଳଚେର ଦେଶର ଅତି ପ୍ରଦ୍ୟୁଷଣ ଅଞ୍ଚଳରେ ଭାବେ ପରିଚିତ ହୋଇଥିବା ବେଳେ ଉକ୍ତ ଦୁଇ ଅଞ୍ଚଳର ଶତକଡା ୮୦% ଲୋକ ଅଧିକାଂଶ ଛାତି ରୋଗରେ ଆକ୍ରାନ୍ତ ହେଉଛନ୍ତି  । ଗ୍ରୀଷ୍ମ ଋତୁରେ ୪୫ରୁ ୪୮ଡିଗ୍ରୀ ତାପମାତ୍ରା ଏଠାରେ ବୃଦ୍ଧି ପାଇଥାଏ । ଏହାର ପ୍ରତିକାର ନିମନ୍ତେ ଅନୁଗୋଳ ଓ ତାଳଚେର ଅଂଚଳର ସମସ୍ତ ଗ୍ରାମରେ ପ୍ରଚୁର ମାତ୍ରାରେ ବୃକ୍ଷରୋପଣ ସହିତ ପ୍ରତି ଗ୍ରାମରେ ବଡବଡ ପୋଖରୀ ନିର୍ମାଣ କରିବାକୁ ମାନବଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ମାନବ ଅଧିକାର କମିଶନ ହୃଦବୋଧ କରି ଏହି ଅଂଚଳ ଗୁଡିକର ପ୍ରତିକାର ନିମନ୍ତେ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର କୌଣସି କାର୍ଯ୍ୟକାରୀ ହୋଇ ପାରିଲାନାହିଁ । ସେହିଭଳି ପ୍ରାକ୍ତନ ବିଧାୟକ ମହେଶ ସାହୁ ବ୍ରାହ୍ମଣୀ ନଦୀ ସୁରକ୍ଷା ଓ ପ୍ରଦ୍ୟୁଷଣକୁ ନେଇ ନଦୀକୂଳରେ ପ୍ରଚୁର ବୃକ୍ଷରୋପଣ କରିବା ଏବଂ ପଥର ପ୍ୟାଚିଙ୍ଗ ପାଇଁ  ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର କୌଣସି କାର୍ଯ୍ୟ ହୋଇ ପାରିଲା ନାହିଁ । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଏହି ପରିବେଶ ଦିବସ କେବଳ କାଗଜକଲମ ଓ ଫଟୋ ଉଠାରେ ସୀମିତ ହୋଇ ରହିଛି ।