ସଂଖ୍ୟାଲଘୁ ଗୋଷ୍ଠୀ ସଂଘର୍ଷ : ୨ ଗିରଫ; ଗାଡି ଓ ମାରଣାସ୍ତ୍ର ଜବତ

 ସିଂହପୁର/ବିଞ୍ଝାରପୁର : ରବିବାର ରାତିରେ ବିଞ୍ଝାରପୁର ଥାନା ସୟଦପୁର ପଠାନ ମହଲା ଠାରେ ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ପୁଲିସ ଘଟଣା ସ୍ଥଳୁ ଗୋଟିଏ ଥାର ଗାଡି ଓ ମାରଣାସ୍ତ୍ର ଜବତ କରିଛନ୍ତି । ଖବର ଅନୁଯାଇ ସୟଦପୁର ପଞ୍ଚାୟତରେ ରାଜନୈତିକ ଓ ବିଭିନ୍ନ ପ୍ରକଳ୍ପ କାମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଯାହା ଗତକାଲି ରାତିରେ ସଂଘର୍ଷର ରୁପ ନେଇଥିଲା । ବିଞ୍ଝାରପୁର ଥାନାରେ ଘଟଣାକୁ ନେଇ ଦୁଇଟି ଲିଖିତ ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ସେକ ବାସୋର ପତ୍ନୀ ମୁନେରା ବେଗମ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ଗତକାଲି ରାତି ୯ଘଟିକା ସମୟରେ ଖରସ୍ରୋତା ନଦୀରୁ ଶୈାଚ ହୋଇ ଫେରୁଥିବା ବେଳେ ପଠାନ ମହଲା ନିକଟରେ ତାଙ୍କୁ ଫଇଦୁଲ ରେହମାନ, ସଫୋତ୍ , ମାରଗି‘ ଅଲ୍ଲି ଖାନ ପ୍ରମୁଖ ୭ ଜଣ ଯୁବକ ଅତର୍କିତ ଭାବେ ଖଣ୍ଡା, ଭୂଜାଲିରେ ଆକ୍ରମଣ କରିଥିଲେ । ଖବର ପାଇ ସେ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିବା ବେଳେ ଅଭିଯୁକ୍ତ ତାଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ । ଅନ୍ୟପକ୍ଷରେ ମାର୍ଗବ ଅକ୍ତର କରିଥିବା ଅଭିଯୋଗ ଅନୁଯାଇ ସେକ ବାସୋ ଓ ତାର ସହେଯାଗୀ ପଠାନ ମହଲା ଠାରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ରାତି ପ୍ରାୟ ୯ ଟା ସମୟରେ ଆତଙ୍କ ସ୍ମୃଷ୍ଠି କରୁଥିବା ସମୟରେ ତାଙ୍କୁ ବାସୋ ଓ ତାର ସହଯୋଗୀ ମରଣାନ୍ତକ ଆକ୍ରମଣ କରିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ । ପୁଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି କେସ ନଂ ୨୨୫/୨୫ ଓ ୨୨୬/୨୫ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜ କରି ଉଭୟ ପକ୍ଷରୁ ଦୁଇ ଜଣ ସେକ ବାସୋ ଓ ସେକ ସିରାଜଉଦ୍ଦିନକୁଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବାମଦେବ ନନ୍ଦ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ସୟଦପୁର ପଞ୍ଚାୟତରେ ଚାପା ଉତ୍ତେଜନା ଲାଗି ରହିଛି ।