ପରିବାର ହାତାହାତି, ୩ ଗିରଫ
ବୁଗୁଡା : ବୁଗୁଡ଼ା ଥାନା ବାଲିପଦର ଗ୍ରାମସ୍ଥ ବେଲଗୁଣ୍ଠା ରୋଡସାହିର ସ୍ୱର୍ଗତ ହରେକୃଷ୍ଣ କରଙ୍କ ଦୁଇ ପୁତ୍ରଙ୍କ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳକୁ ନେଇ ଦୁଇଟି ପୃଥକ୍ ଅଭିଯୋଗ କ୍ରମେ ତିନି ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଗିରଫ ତିନି ଜଣ ହେଲେ ସ୍ୱାମୀ ବିଘ୍ନେଶ୍ୱର କର (୩୬) ଓ ସ୍ତ୍ରୀ ତପସ୍ୱିନୀ ପଣ୍ଡା (୨୭)ଙ୍କ ସମେତ ଭାଇ ଶେଷଦେବ କର (୨୨) । ଏ ନେଇ ଶେଷଦେବଙ୍କ ଅଭିଯୋଗ କ୍ରମେ କେସ୍ ନଂ ୩୩୮/୨୫ ଏବଂ ତପସ୍ୱିନୀଙ୍କ ଅଭିଯୋଗ କ୍ରମେ କେସ୍ ନଂ ୩୩୯/୨୫ରେ ପୃଥକ୍ ଭାବେ ୨ଟି ମାମଲା ରୁଜୁ ହୋଇଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି । ଗତ ୨୧ ତାରିଖ ଦିନବେଳା ଶେଷଦେବ ତାଙ୍କ ମାଆ ଓ ଭଉଣୀଙ୍କ ସହ ମିଶି ଭାଇ ବିଘ୍ନେଶ୍ୱରଙ୍କ ଘରକୁ ଯାଇଥିଲେ । ସେଠାରେ ଥିବା ବିଘ୍ନେଶ୍ୱର ଓ ଅନ୍ୟ ସମ୍ପର୍କୀୟମାନେ ତିନିହେଁଙ୍କୁ ମିଳିମିଶି ଗାଳିଗୁଲଜ କରିବା ସହ ଶୀଘ୍ର ଘରଛାଡି ନଗଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ ଏବଂ ଏହି ସମୟରେ ବିଘ୍ନେଶ୍ୱରଙ୍କ ସ୍ତ୍ରୀ ତପସ୍ୱିନୀ ତାଙ୍କ ଭଉଣୀଙ୍କୁ ଆକ୍ରମଣ କରିଥିଲେ । ସେଠାରୁ ଫେରିଆସି ଶେଷଦେବ ପୋଲିସରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ତପସ୍ୱିନୀ ମଧ୍ୟ ଶେଷଦେବ ଓ ତାଙ୍କର ସମ୍ପର୍କୀୟମାନେ ତାଙ୍କ ଘରେ ଅନଧିକାର ପ୍ରବେଶ କରି ତାଙ୍କର ମଙ୍ଗଳସୂତ୍ର ଓ ମୋବାଇଲ ଛଡାଇନେବା ସହ ହତ୍ୟା ଧମକ ଦେଇଥିବା ନେଇ ପୁଲିସରେ ପାଲଟା ଅଭିଯୋଗ କରିଥିଲେ ।