ନକଲି ନିଯୁକ୍ତି ପତ୍ର ଦେଇ ଠକେଇ ଅଭିଯୋଗ, ୩ ଗିରଫ 


ାା ପ୍ରଭାନୁ୍ୟଜ୍ ।ା ବୁଗୁଡ଼ା : କୋର୍ଟରେ ଜୁନିୟର ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବ୍ୱାନେ ହେଲେ ବୁଗୁଡ଼ା ନିକଟସ୍ଥ ଷୋହଳମାଇଲିର ପ୍ରଭାତ କୁମାର ପାତ୍ର ଓ ଭଞ୍ଜନଗର ଲଣ୍ଡେଇ ସାହିର ରମେଶ ପାତ୍ର ଓ ଭଞ୍ଜନଗରର ଟୁଲୁ  । ବୁଗୁଡ଼ାର ପ୍ରଭାତ କୁମାର ପାତ୍ର ବି ଟେକ ପଢା ସାରି ଚାକିରି ପାଇଁ ସମ୍ପର୍କୀୟ ରମେଶ ପାତ୍ରଙ୍କ ଜରିଆରେ ଟୁଲୁ ପାଣିଗ୍ରାହୀକୁ ଯୋଗାଯୋଗ କରିଥିଲେ । ଟୁଲୁ ଚାକିରି କରାଇଦେବ କହି  ୬ ଲକ୍ଷ ଟଙ୍କାର ଡିଲ କରିଥିଲା  । ଚାକିରି ଆଶାରେ ପ୍ରଭାତ ଟୁଲୁଙ୍କୁ ୨ ଲକ୍ଷ ଟଙ୍କା ଅଗ୍ରିମ ଦେଇ ବାକି ଟଙ୍କା ଚାକିରି ହେବା ପରେ ଦେବେ ବୋଲି କଥା ଛିଣ୍ଡିଥିଲା । ଗତ ଜୁଲାଇ ୯ ତାରିଖରେ ବୁଗୁଡ଼ା ଅଦାଲତରେ ଟାଇପିଷ୍ଟ ପଦବୀରେ ଚାକିରି ପାଇଥିବା ନେଇ ଚାକିରିରେ ଯୋଗ ଦେବାକୁ ଯାଇ ବୁଗୁଡ଼ା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପହଞ୍ଚିଥିଲେ । ଯାଞ୍ଚ ବେଳେ କୋର୍ଟର କର୍ମଚାରୀମାନେ ନିଯୁକ୍ତି ପତ୍ରକୁ ନକଲି ବୋଲି ଦର୍ଶାଇ ଥିଲେ  । ବୁଗୁଡ଼ା ଜେଏମଏଫସି ମାଜିଷ୍ଟ୍ରେଟ୍ ଏହି ଲେଟର ଦେଖିବା ପରେ ଏହା ନକଲି ହୋଇଥିବା ଜାଣି ବୁଗୁଡ଼ା ଥାନାକୁ ଖବର ଦେଇଥିଲେ । ବୁଗୁଡ଼ା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ତୁରନ୍ତ ପ୍ରଭାତଙ୍କୁ ଧରି ବୁଗୁଡ଼ା ଥାନାକୁ ଆଣି ଏ ନେଇ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । ଏହା ପଛରେ ଏକ ଗ୍ୟାଙ୍ଗର ହାତ ଥିବା ଜାଣିବାକୁ ପାଇଛି ପୁଲିସ । ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଭଞ୍ଜନଗର ଯାଇ ରମେଶ ଓ ଟୁଲୁ ପାଣିଗ୍ରାହୀଙ୍କୁ ଗିରଫ କରିଥିଲେ ।  ଏହି ରାକେଟରେ ଥିବା ଆଉ ଜଣେ ଆସାମୀକୁ ମଧ୍ୟ ପୁଲିସ୍ ଖୋଜୁଥିବା ଜଣାପଡିଛି ।