ଜଳ ଯନ୍ତ୍ରଣା: ଅସନ୍ତୁଷ୍ଟ ଗ୍ରାମବାସୀ ଭୋଟ୍ରେ ଜବାବ ଦେବେ

ଆସିକା: ଆସିକା ବ୍ଲକର ମଙ୍ଗଳପୁର ଗ୍ରାମରେ ଏବେଠୁ ଜଳକଷ୍ଟ ଦେଖାଗଲାଣି । ଗ୍ରୀଷ୍ମ ଋତୁ ଆରମ୍ଭରୁ ଏହି ଜଳକଷ୍ଟ ଲୋକଙ୍କୁ ଅତିଷ୍ଠ କଲାଣି । ଆଗକୁ ଏହି ଅବସ୍ଥା ଆହୁରି ଭୟଙ୍କର ହେବ ନିଶ୍ଚିତ । ଶୋଷ ମେଣ୍ଟିବାକୁ ଗ୍ରାମରେ ଟ୍ୟୁବେଲ୍  ନାହିଁ । ସେମିତି ଷ୍ଟାଣ୍ଡ  ପାଇପ ଅଛି ସତ କିନ୍ତୁ ପାଣି ଅସୁନି । ଏଣିକି ଗ୍ରାମବାସୀଙ୍କୁ କୂଅ ଓ ବନ୍ଧ ଉପରେ ର୍ନିଭର କରିବାକୁ ପଡିବ । ଦୂର ଦୁରାନ୍ତକୁ ଯାଇ ପାନୀୟ ଜଳ ସଂଗ୍ରହ କରିବାକୁ ପଡିବ । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ପଛପଟ ପାହାଡ଼ ଉପରେ ବସୁଧା ଯୋଜନାରେ ପାଣି ଟ୍ୟାଙ୍କ ର୍ନିମାଣ ହୋଇଛି କିନ୍ତୁ ଏହି ଟ୍ୟାଙ୍କର ପାଣି ଅଧିକାଂଶ ଘରକୁ ଯାଉନି । ଏହେଉଛି ପାନୀୟ ଜଳ ପାଇଁ ଲୋକଙ୍କ ଦୁର୍ଦ୍ଦଶା । ସେହିଭଳି ଗ୍ରାମବାସୀ ଶୌଚ କରିବା ପାଇଁ ଗ୍ରାମରେ ୪୦ବର୍ଷର ପୋଖରୀ ରହିଥିଲେ ମଧ୍ୟ ତାହା ଅନ ଉପଯୋଗୀ ହୋଇ ରହିଛି । ଦୀର୍ଘ ବର୍ଷ ହେଲା ଏହି ପୋଖରୀରେ ଦଳ ଓ ଗଛ ଲତା ମାଡି ଯାଇଛି । ପଙ୍କ ଭର୍ତ୍ତି ପୋଖରୀରୁ ଅଳିଆ ଓ ଆବର୍ଜନା ବାହାରୁଛି ।  ପାଣି ନେଳିଆ ହୋଇଗଲାଣି । ସେଇଠି ଦାନ୍ତଘସା, ସେଇଠି ଲୁଗା କ· ଓ ଗାଧୁଆ ପାଧୁଆ କରନ୍ତି ଲୋକେ । ଏଠାରେ ଗାଧାଇଲେ ଲୋକଙ୍କ କୁଣ୍ଡିଆ ହୁଏ ଏବଂ ଚର୍ମ ରୋଗ ହେଉଥିବା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ନଥିବାରୁ ସେହି ଆବର୍ଜନା ପୋଖରୀ ଗାଁ ଲୋକଙ୍କ ପାଇଁ ଲୋଡାହୁଏ । ବିଗତ ଦଶବର୍ଷ ହେଲା ଏହି ଆବଶ୍ୟକତାକୁ ଗ୍ରାମବାସୀମାନେ ସରପଞ୍ଚ ଓ ନେତାଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ ରଖିଥିଲେ ମଧ୍ୟ ଏ ଦୁଃଖ ଗ୍ରାମରୁ ହଟିନି । ତେଣୁ ଗ୍ରାମବାସୀ ଏହାର ଉଚିତ ଜବାବ ଭୋଟରେ ଦେବେ ବୋଲି କହିଛନ୍ତି । ଏକଥାକୁ ଗ୍ରାମର ୨ନଂ ୱାର୍ଡ ସଭ୍ୟ ପ୍ରଫୁଲ ପ୍ରଧାନ ସ୍ୱ୍ୱୀକାର କରିଛନ୍ତି । ସେ ସରପଞ୍ଚ ଓ ସମିତିସଭ୍ୟଠୁ ଆରମ୍ଭ କରି ବିଧାୟକ ଓ  ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ କୌଣସି ଫଳ ମିଳୁନାହିଁ । ମାତ୍ର ମିଥ୍ୟା ପ୍ରତିଶ୍ରୁତି ମିଳିଛି  । ତେଣୁ ସେ ନିଜ ଅର୍ଥରେ ଗ୍ରାମର କିଛି ଯୁବକଙ୍କୁ ନେଇ ଗାଁ ପୋଖରୀକୁ ଦଳ ସଫା କରିଛନ୍ତି । ଏପରିକି ପାନୀୟ ଜଳକଷ୍ଟ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା କରିବା ସହ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି କରିବେ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ପ୍ରଶାସନ ଅଧିକାରୀ କିମ୍ବା ସ୍ଥାନୀୟ ନେତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା ସତ୍ତ୍ୱେ ତାହା ମିଳିପାରିନାହିଁ ।